Unknown

 

 

 

 

 

 

 

 

 

 

 

ଢପ

ଶ୍ରୀ ଗୋକୁଳାନନ୍ଦ ନାୟକ

 

ସୂଚୀପତ୍ର

 

୧.

ପ୍ରସ୍ତାବନା

୨.

ଉପକ୍ରମ

୩.

ସରଳ ଜୀବନଯାତ୍ରା

୪.

ନିରାଡ଼ମ୍ବର ଖାଦ୍ୟ

୫.

ସରଳ ସରସ ଖାଦ୍ୟ

୬.

ଶିଶୁପାଳନ

୭.

ସଙ୍ଗଦୋଷ

୮.

ସଂଯମ

୯.

ବିବାହ ସଂସ୍କାର ଢପ ନୁହେଁ ଦାୟିତ୍ୱପୂର୍ଣ୍ଣ

୧୦.

ପର୍ବପର୍ବାଣି

୧୧.

ବସ୍ତ୍ରର ଢପ

୧୨.

ଖେଳ ଓ ରହଣିର ଢପ

୧୩.

ନାମ ଢପ

୧୪.

ଆଦର ଢପ

Image

 

(୧)

ପ୍ରସ୍ତାବନା

 

ଜୀବନକୁ ଉପାଦେୟ ଓ ଉପଭୋଗ୍ୟ କରିବାକୁ ମାନବିକ କାର୍ଯ୍ୟ ସବୁର ଅନୁଶୀଳନ ଅପରିହାଯ୍ୟ । ତା’ କରିବାକୁ ଯାଇ ସାର୍ବଲୌକିକ ମାନବିକତା ଫୁଟାଇବା ପ୍ରୟାସରେ ‘ମାନବିକତା’ ଲେଖିବା ପରେ ମନେ ହେଲା ‘ଢପ’ ତ ବ୍ୟକ୍ତିଗତ ଜୀବନର ସରଳତାକୁ ଦୂରେ ରଖି ଜାତୀୟ ଜୀବନକୁ ଦୁର୍ବିହ କରି ପକାଇଲାଣି । ‘ସରଳତା’ କୁ ଜୀବନର ମାନଦଣ୍ଡ ନ କଲେ ‘ଅଭାବ’ ଜୀବନବ୍ୟାପୀ ହୋଇପଡ଼ୁଛି । ଏହି ଅବସ୍ଥାରେ ବ୍ୟକ୍ତିଗତ ଜୀବନର ଖୁଣ୍ଟିନାଣ୍ଟି ଆଲୋଚନା ନ କଲେ ‘ସରଳତା’କୁ ଜୀବନର ଅବଲମ୍ବନ କରି ହେଉ ନାହିଁ । ‘ଢପ’ ଶୂନ୍ୟ ଜୀବନରେ ସରଳତା ଉପଭୋଗ୍ୟ ହୁଏ । ସରଳତା ସରସତାର ଅନୁଗାମୀ । ତେଣୁ ବ୍ୟକ୍ତିଗତ ଓ ଜାତୀୟ ଜୀବନରୁ ‘ଢପ’ କୁ କମାଇ ଦେବା ପ୍ରୟାସରେ ‘ଢପ’ ଲେଖି ଜାତି ହାତରେ ଦେଉଛିଁ । ଏ ପ୍ରୟାସ ଅତି ବିଷମ । ସଫଳ ବା ବିଫଳ ହେବାର ବିଚାର କରିବାର ଅବସର ଏ ନୁହେଁ । ତେବେ ବର୍ତ୍ତମାନର ଶହେ ପଇସିଆ ଟଙ୍କାରୁ ବର୍ତ୍ତମାନର ଜାତୀୟ ଜୀବନର ‘ଢପ’ ରୁ ଏକ ପଇସା ମଧ୍ୟ ଯଦି ଏହା ଯୋଗେ କମ୍‍ ହୁଏ, ତେବେ କୃତକୃତ୍ୟ ହେବି ।

Image

 

(୨)

ଉପକ୍ରମ

 

ଢପ ସବୁ କାଳରେ ସମସ୍ତେ କରନ୍ତି ଓ କରି ଆସୁଛନ୍ତି, ତାକୁ ବୁଝାଇବାକୁ ହେବ ନାହିଁ । ତାହା ଜଳ ପରି ଜଳଜଳ ଦିଶୁଛି । ସମସ୍ତେ ବୋଲି ଲେଖିଲୁଁ । ତେଣୁ ସମସ୍ତେ ମିଳି ଲେଖକର ମୁଣ୍ଡ ନ ଖାଇଲେ ରକ୍ଷା । ଏ ସମସ୍ତ ମଧ୍ୟରେ ଲେଖକ ମଧ୍ୟ ଅନ୍ତର୍ଭୁକ୍ତ । ସମ୍ବଲପୁର ଜିଲ୍ଲାରେ ଓ ତତ୍‍ସଂଲଗ୍ନ ପୂର୍ବତନ ଗଡ଼ଜାତମାନଙ୍କରେ “ଢପ” କାହାକୁ ବୁଝାଇବାକୁ ହେବ ନାହିଁ । ଅନ୍ୟ ଅଞ୍ଚଳ ପାଇଁ ଅଳ୍ପ କଥାରେ ତାହା ବୁଝାଇବାକୁ ଚେଷ୍ଟା କରୁଛୁଁ । ଢପ କହିଲେ ବାହ୍ୟାଡ଼ମ୍ବର ବୁଝାଏ । ବାହ୍ୟାଡ଼ମ୍ବର ଓ ଭେକ ମଧ୍ୟରେ ପ୍ରଭେଦ ଅତି ଅଳ୍ପ । ଭେକ ପରିଚୟର ସଙ୍କେତ ଦିଏ, ଯେପରି ପଇତା ଦେଖିଲେ ବ୍ରାହ୍ମଣ ବାରି ପାରିବା । ଗଣ୍ଡ ମଧ୍ୟ ପଇତା ପିନ୍ଧେ, କ୍ଷତ୍ରିୟ ଓ ବୈଶ୍ୟ ମଧ୍ୟ ପଇତା ପିନ୍ଧନ୍ତି । ଏପରି କି ପୂର୍ବତନ ହରିଜନ ବୀଜବିଂଝାଲ ନାମରେ ଅପସବ୍ୟ ଆକାରରେ ପଇତା ପିନ୍ଧୁଛନ୍ତି । କିନ୍ତୁ ପଇତା ପିନ୍ଧିବାର ମୂଳସୂତ୍ର କେତେ ଜଣ ଜାଣନ୍ତି ? ଶହେ ଜଣ ମଧ୍ୟରେ ଜଣେ ମଧ୍ୟ ନୁହନ୍ତି । ତାହା ନ ଜାଣି ପିନ୍ଧିବା ଭେକ ଅଟେ । ପଇତା ପିନ୍ଧିବାର କାରଣ ଜାଣିଥିବା ଲୋକ ପକ୍ଷରେ ତାହା ଭେକ ହେଲେ ମଧ୍ୟ ଢପ ନୁହେଁ । କେହି କେହି କହିବେ, ଯୋଗୀ ଋଷି ଆଦି ଭେକ ନେବେ କାହିଁକି ? କିନ୍ତୁ ଭେକ ସେମାନଙ୍କୁ ମଧ୍ୟ ଛାଡ଼େ ନାହିଁ । ମନୁଷ୍ୟ ମାତ୍ରେ ସମସ୍ତଙ୍କର ଦୁର୍ବଳତା କିଛି ନା କିଛି ରହିଛି । ଦୁର୍ବଳତାକୁ ଘୋଡ଼ାଇ ନ ରଖିଲେ ଅନ୍ୟମାନେ ତାହା ଅନୁକରଣ କରିବେ ବା ତହିଁର ସୁବିଧା ନେବେ । ତେଣୁ ପଇତା ପିନ୍ଧିବାକୁ ହେବ, ଭେକ ନେବାକୁ ପଡ଼ିବ । ଢପ କରିବାକୁ ହେବ । ଅନ୍ୟର ଉପକାର ପାଇଁ ଯେଉଁ ଢପ ତାହା ଦୋଷାବହ ନୁହେଁ । ଲୋକ ସଂଗ୍ରହ ପାଇଁ ତାହା କରଣୀୟ ବୋଲି ଭଗବାନ୍‍ ଗୀତାରେ କହିଛନ୍ତି । ତେବେ ଲୋକସଂଗ୍ରହ ବା ପରୋପକାରର ଉଦ୍ଦେଶ୍ୟ ନ ରଖି ଢପ କରିବା ଦୋଷାବହ । ଅନ୍ୟ ପକ୍ଷେ ଏହା ଯେତେ କ୍ଷତିକାରକ, ନିଜ ପାଇଁ ତହୁଁ ବଳି ମାରାତ୍ମକ । ଏହି “ନିଜ” ସମୂହ ଅର୍ଥାତ ସମାଜ ପକ୍ଷେ ମାରାତ୍ମକ । ଆଜିର ଓ ପଞ୍ଚାଶ ବର୍ଷର ତଳର କଥା ତୁଳନା କରି ଦେଖିଲେ, ତାହା ହାଡ଼େ ହାଡ଼େ ଅନୁଭୂତ ହେବ । ଆଜି ସ୍ଵାଧୀନତା ପରେ ମଧ୍ୟ ଆମେ ଯେ ବିକଳାଙ୍ଗ ତା’ର ମୂଳରେ ଏ ଢପ ରହିଛି । ଢପ ସରଳତାର ବିରୋଧୀ । ସରଳତା ସରସତାର ବଡ଼ ଭାଇ । ଆଜି ଜାତି ସରଳତା ହରାଇଛି । ଫଳରେ ସରସତା ଉଭେଇଗଲାଣି । ତେଣୁ ଆଜି ଏ ଜାତି ଶୁଷ୍କ କାଠ ହୋଇ କାଠ ଚରିବାକୁ ଓ ପାଣି ଆଣିବାକୁ ବ୍ୟବସାୟ କରି ଧଇଲାଣି ।

 

ଦୈନନ୍ଦିନ କାର୍ଯ୍ୟ ଓ ଜୀବନ ଉପରେ ଢପ ଦୋର୍ଦ୍ଦଣ୍ଡ ପ୍ରତାପ ବିସ୍ତାର କରୁଛି । ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ ଯାଇଛି । ତାହା ତାହା ରହିଛି ସୁର୍ଯ୍ୟୋଦୟର କିଛି ବା ଅନେକ ସମୟ ପରେ । ଶଯ୍ୟା ତ୍ୟାଗ ବେଳକୁ ସ୍ଵଚ୍ଛଳ ଅବସ୍ଥାରେ ‘ଶଯ୍ୟା ଚା’ ଗରମାଗରମ୍ । ତାହା ନ କଲେ ‘ଦସ୍ତ’ ସଫା ହେବ ନାହିଁ । ଶଯ୍ୟା ଚା ନ ହେଲା ଗୁଡ଼ାଖୁ, ଗୁଡ଼ାକୁ ନ ହେଲା ସିଗାରେଟ୍‍, ସିଗାରେଟ୍‍ ନ ହେଲା ବିଡ଼ି ବା ଗୁଣ୍ଡ ଧୂଆଁପତ୍ର ଦାନ୍ତରେ ଘଷିଘଷି, ଲୁଙ୍ଗି ବା ଗାମୁଛା ପିନ୍ଧି ବହିର୍ଦେଶ ଗମନ । ରାତ୍ରିର ବିଶ୍ରାମ ପରେ ଦାନ୍ତମୂଳରେ ଓ ଜିଭରେ ଜମିଥିବା କ୍ଳେଦ ଉପରେ ବିଷ ପ୍ରୟୋଗରୁ ଦିନର ଆରମ୍ଭ ହୁଏ । ବଙ୍ଗାଳୀମାନେ କହନ୍ତି, ‘ଚାପେର୍ ଉପରେ ଚାପ୍, କି କରେ ଅଜୀର୍ଣ୍ଣେର ବାପ୍’ । ହୋମିଓପ୍ୟାଥି ଚିକିତ୍ସାର ମୂଳ ‘ଯଦି କୁଇନାଇନ୍ ରେ ଜ୍ଵର ଭଲ ହୁଏ, ତେବେ କୁଇନାଇନ୍ ଖାଇ ଦେହରୁ ଜ୍ଵର ବାହାର କର’ । ମହାଭାରତରେ ଅଛି, ଅଗ୍ନିଦେବଙ୍କ ଅଗ୍ନିମାନ୍ଦ୍ୟ ରୋଗରେ ଶ୍ରୀକୃଷ୍ଣ ଖାଣ୍ଡବବନ ଦହନର ବ୍ୟବସ୍ଥା କରିଥିଲେ । ସେପରି ଏ ଶଯ୍ୟା-ଚା, ଗୁଡ଼ାଖୁ, ସିଗାରେଟ, ବିଡ଼ି ବା ଗୁଣ୍ଡ ଧୂଆଁପତ୍ରରେ ମରଣୋନ୍ମୋଖୀ ଏ ଜାତିର ଲୋକେ କୋଡ଼ିଏ ବର୍ଷରୁ ନାରଦ ଓ ଷାଠିଏ ବର୍ଷର ଖୁଁ ଖୁଁ କାସରେ ବିବ୍ରତ । ଝାଡ଼ାରୁ ଫେରି ଦାନ୍ତ ଘଷିବା ପାଇଁ ନିମ୍ବ, ମହୁଲ, ଶାଲ ବା ହରିଡ଼ା କାଠିର ଉପାଦେୟ ରସ ଦାନ୍ତରେ ପ୍ରୟୋଗ କରିବା ଯାଇଛି । ତା’ର ସ୍ଥାନ ଅଧିକାର କରିଛି, ମୂଲ୍ୟବାନ ଦାନ୍ତଘଷା ଜୱାହରଲାଲ ବା ଗାନ୍ଧି ଗୁଡ଼ାଖୁ, ସୁଭାଷ ପାଉଡ଼ର ବା ଔଷଧି ସମାଯୁକ୍ତ ‘ତିଲକ’ (୧) ଅଠା, ବ୍ରାସରେ ଦାନ୍ତରେ ପ୍ରୟୋଗ କରି କରି ଦାନ୍ତମାଢ଼ି ଛିଣ୍ଡାଇ ଛିଣ୍ଡାଇ ଦାନ୍ତକୁ ପ୍ରେତୁଣୀ ପରି ଦନ୍ତୁର ଓ ଭୟାବହ କରଣ । ମାତ୍ର କେତେ ବର୍ଷ ପରେ ଦାନ୍ତ କେବଳ ପାଟିରେ ପ୍ରକୃତିର ପ୍ରାକୃତିକ ମଙ୍ଗଳେଚ୍ଛାର ସଙ୍କେତ ସ୍ଵରୂପ ଲଗ୍ନୀଭୂତ । କାମଦାର ନ ହୋଇ ବିଲଗ୍ନ ପାଇଁ ଯନ୍ତ୍ରଣାଦାୟକ ହୋଇ ରହିଥାଏ । ଦାନ୍ତଘଷା ପରେ ପରେ ଚା-ଜଳଖିଆ । ଆଜି ସର୍ବହରା ମଧ୍ୟ ଚିନି ନ ହେଲେ ଗୁଡ଼ର ଚା ନ ଖାଇ ରହି ପାରୁ ନାହିଁ । ଏହି ଚା’ ର ଆବଶ୍ୟକତା ଅଛି କି ନାହିଁ, ଆମେ ‘ଚା’ ଭୋଜୀ ଅବୈଜ୍ଞାନିକ କହିପାରିବୁଁ ନାହିଁ । ତେବେ ଏତିକି କହି ରଖୁଛୁଁ ପଞ୍ଚାଶ ବର୍ଷ ପୂର୍ବେ ଚା’ର ଅପ୍ରଚଳନ ବେଳେ ଜାତିର ସ୍ୱାସ୍ଥ୍ୟ ଭଲ ଥିଲା । ଅଭିଜ୍ଞତା ନା ଅନଭିଜ୍ଞତା ଦୃଷ୍ଟିରୁ ଏତିକି କୁହାଯାଇ ପାରେ ଯେ ଚା ମଳରୋଧକ, ଚା ମଜ୍ଜାରେ ମଜ୍ଜି ରହେ, ମଳ ସଙ୍ଗେ ସବୁ ଯାଏ ନାହିଁ । ଅନ୍ତ ବା ପୁଟାରେ ଅଠା ପରି ଲାଗି ଲାଗି ଜମି ରହେ । ତାକୁ ବାହାର କରିବା ଆଉ ସହଜ ନୁହେଁ । ଫଳରେ ଜାତିର ଶତକଡ଼ା ଅଶୀ ଜଣ ଚା ଅଭ୍ୟାସ କରି ନେଇ ଜଠର ଯାତନାରେ ବିବ୍ରତ ।

 

(୧) ବାଲଗଙ୍ଗାଧର ତିଳକ ।

 

ଜଳଖିଆର ଢପ ଦେଖିଲେ କାନ୍ଦ ମାଡ଼େ । ସହରର କଥା ଛାଡ଼ିଦେଲେ ମଧ୍ୟ ଆଜି ଗ୍ରାମେ ଗ୍ରାମେ ଚା ଜଳଖିଆ ଦୋକାନ । ଗୋ ଜାତି ତ “ଓଁ” ପ୍ରାପ୍ତ ହୋଇଛନ୍ତି । ଗ୍ରାମରେ ଯାହା କିଛି ଦୁଧ ମିଳେ ଏକ ପା ଦୁଧରେ ତିନି ପା ପାଣି । ଯେତେଦୂର ସମ୍ଭବ ନିର୍ମଳ ଜଳ ତ୍ୟାଗ କରି ମାଟିଆ ବହଳ ପାଣି ମିଶାଇ ସେସବୁ ସହରରେ ବିକ୍ରି ହୁଏ । ସହରବାସୀର ବାପର ସାଧ୍ୟ ନାହିଁ ତାହା ନିର୍ମଳ ଦୁଧ ନୁହେଁ ବୋଲି ବାରିପାରିବ । ଆମେରିକା ବା ଇଉରୋପରୁ ଆସୁଥିବା ଦୁଧ ଗୁଣ୍ଡରେ ଗ୍ରାମେ ଗ୍ରାମେ ଚା ତୟାରି କରାଯାଏ । ଆଜିର ଚିନି ଗୁଡ଼ଠାରୁ ମୂଲ୍ୟବାନ ହେଲେ ହେଁ ଓ ମୁହଁକୁ ମିଠା ଲାଗୁଥିଲେ ହେଁ ଶର୍କରାର ଅଂଶ ସେଥିରେ କମ୍‍ ଅଛି, ଏହା ସମସ୍ତେ, ସ୍ଵୀକାର କରିବେ । ଚା ତୟାରିର ଧରଣ ଏପରି ବିକୃତ ଯେ ଚାର ଗୁଣ ଯଦି କିଛି ଅଛି, ତାହା ଯାଇ ତା’ର ଦୋଷକୁ ଫୁଟାଇ ଦିଆଯାଏ ମାତ୍ର । ଆଉ ଜଳଖିଆ ମଧ୍ୟରେ ପକୋଡ଼ି ବା ବରା, ନିମିକି ବା ଗାଣ୍ଠିଆ ଦାଲଦା ବା ଅନ୍ୟ ବନସ୍ପତି ସିଦ୍ଧ ବା ତୈଳପକ୍ଵ ପୁରୀ ବା ପରେଟା, ଅଟା ବା ବେସନ ନାମଧେୟ ଗୁଣ୍ଡରେ ପ୍ରସ୍ତୁତ ହୁଏ । ତାହା ଖାଇବା ଅପେକ୍ଷା ନ ଖାଇବା ଶ୍ରେୟସ୍କର ଓ ସ୍ୱାସ୍ଥ୍ୟ ସମ୍ମତ । ଆଉ ସେଗୁଡ଼ାକ ପ୍ରସ୍ତୁତ କରିବାକୁ ଯେଭଳିଆ ବାସନ ବର୍ତ୍ତନ ବ୍ୟବହାର କରାଯାଏ ହା ଦଇବ ! ଯେ ଜାତି ସେଥିରେ ଏପରି ଅଭ୍ୟସ୍ତ ଓ ଜଡ଼ିତ, ସେ ଜାତି ରୋଗ ନିପୀଡ଼ିତ ହୋଇ ସବୁବେଳେ ନ ରହିବ ତ ଆଉ ରହିବ କିଏ ? ଜଳଖିଆ ପରେ କାର୍ଯ୍ୟାରମ୍ଭ । ସ୍ନାନ ବେଳେ ରାଶି, ନଡ଼ିଆ ତେଲ ଛାଡ଼ି ଔଷଧଯୁକ୍ତ ସୁବାସିତ ତୈଳ । ସ୍ନାନରେ ଢପ । ଢାଳେ ପାଣିରେ ସ୍ନାନ ଶେଷ । ଅବଗାହନ ପାଇଁ ଦୂରକୁ ଯିବାର ଆୟାସ କିଏ କରେ ? ସ୍ନାନ ପରେ ଭୋଜନ । ଭୋକ ଥାଉ ନ ଥାଉ ଖାଇବାକୁ ହେବ । ଅବସ୍ଥା ଭଲ ଥିଲେ ଭୋଜନ ଉତ୍ତାରୁ ଦିନଯାକ ପାନ ରୋମନ୍ଥନ । ଭୋଜନର ଢପ ଅକଥନୀୟ । ପରିଧାନ ଢପ ପାଇଁ ଆଜି ଏ ଜାତି ନିଃସ୍ଵ । କଥାର ପ୍ରତ୍ୟେକ ଶବ୍ଦରେ ଢପ । କାର୍ଯ୍ୟରେ ଅକଥନୀୟ ଢପ । କାର୍ଯ୍ୟ ଶେଷରେ କ୍ଳାନ୍ତିରେ ମଧ୍ୟ ଢପ । କ୍ଳାନ୍ତି ନିବାରଣ ପାଇଁ ପାନ, ବିଡ଼ି, ସିଗାରେଟ ବା ଚା’ର ଢପ । କ୍ଳାନ୍ତିର ଏବମ୍ବିଧ ନିରାକରଣ ପରେ ସୂର୍ଯାସ୍ତ ପରେ ଅଗମନେ ଗମନ, ଅକଥନେ କଥନ, ଅପାନୀୟେ ପାନ, ଅଖାଦ୍ୟେ ଖାଦ୍ୟ, କ୍ଳାନ୍ତି ଦୂର କରିବା ତେଣେ ଥାଉ ମସ୍ତିଷ୍କ ଉପରେ ବେଦରକାରୀ ଚାପ ପକାଇ ମନକୁ କୁପଥଗାମୀ କରେ । ପରେ ରାତ୍ରି ଭୋଜନର ଢପ, ଭୋଜନ ପରେ ବିଛଣାର ଢପ, ଶୟନରେ ସ୍ଵପ୍ନ ଓ ଦୁର୍ଭାବନାର ଢପ । ଏ ଢପରେ ଡରି ଯାଇ ଭଗବାନ ଦୂରରେ ରହନ୍ତି । ଜାତି ଲକ୍ଷ୍ମୀଛଡ଼ା ହୋଇଛି । ସରସ୍ଵତୀ ମଯୂରବାହନରେ ଉଡ଼ି ପଳାଇ ବଞ୍ଚିଗଲେଣି । ଏଠାରେ ଥିଲେ ଏତେବେଳକୁ ମରିଥାନ୍ତେ-। ତେବେ ଏତେ ଢପ ସତ୍ତ୍ୱେ ମରଣୋନ୍ମୁଖ ଏ ଜାତିକୁ କିପରି ବଞ୍ଚାଇବାକୁ ହେବ, ବଞ୍ଚାଇ ଜାତିକୁ ସରଳ ଓ କ୍ରମେ ସରଳ କରି ଜୀବନକୁ ଉପଭୋଗ୍ୟ କରିବାକୁ ହେବ ତାହା ଖାଲି ଚିନ୍ତାର ବିଷୟ ନୁହେଁ, ଗବେଷଣା ଓ ସାଧନା ସାପେକ୍ଷ ।

Image

 

(୩)

ସରଳ ଜୀବନଯାତ୍ରା

 

ପଚାଶ ବର୍ଷ ପୂର୍ବର କଥା, ଶୁଣା କଥା । ଶୁଣା କଥା ଉପରେ ନିର୍ଭର କରି ଲେଖିଲେ ଆଜି ଲୋକେ ହସି ଉଡ଼ାଇ ଦେଉଛନ୍ତି, ବିଶେଷତଃ ଆଜିର ଯୁବକ ଢପକୁ ଢପ ବୋଲି ବୁଝି ପରିବା ଅସମ୍ଭବ । ବାପାଠାରୁ ବା ଅଜାଠାରୁ “ଆମେ ଏପରି ଚଳୁଥିଲୁ” ବୋଲି ଶୁଣିଲେ, ତାକୁ ଅସମ୍ଭବ ମନେକରି, କହି ନ ପାରିଲେ ମଧ୍ୟ ଭାବି ନେବେ, ‘ଏଟା ବୁଢ଼ାର ଢପ ।’ ତେଣୁ ପଞ୍ଚାଶ ବର୍ଷ ପୂର୍ବର କଥାକୁ ସତ ବୋଲି ଆମ୍ଭେ ବିଶ୍ଵାସ କରୁଥିଲେହେଁ, ତାହା ଶୁଣା କଥା ଥିବାରୁ ତା’ଉପରେ ନିର୍ଭର ନ କରି ପଞ୍ଚାଶ ବର୍ଷ ମଧ୍ୟର କଥା, ଯାହା ଆଖିରେ ଦେଖିଛୁଁ ଓ ଅଙ୍ଗେ ନିଭାଇଛୁଁ, ତାର ଅବତାରଣା କରିବୁଁ ଏବଂ ଆଜି ତା’ର ସ୍ଥାନରେ ଜାତି କଅଣ କରି ତା’ର ସ୍ଥାନ ପୂରଣ କରି, ତାହା ଏଠାରେ ଦେଖାଇବୁଁ । ତତ୍‍ସଙ୍ଗେ ଜାତି ଯଦି ପୂର୍ବ ସରଳତା ଗ୍ରହଣ ନ କରେ ଓ ହସି ଉଡ଼ାଇଦିଏ, ତେବେ ଆମେ ‘ହରିବୋଲ’ କରି ଆମର ‘ଭବହାଟ’ ଭାଙ୍ଗିଦେବାକୁ ଯତ୍ନ କରିବୁ । ତା’ ନ କଲେ ଜାତିର ଏ ନିରୟଗମନ ଦେଖିବା ଆମ ପକ୍ଷେ ଅସହ୍ୟ ।

 

ପ୍ରଥମେ ନିମ୍ନସ୍ତର ଲୋକ ଯାହାଙ୍କୁ ଆମେ ବଡ଼ ସହଜରେ ସର୍ବହରା ବୋଲି କହିଦେଉଁ, ତାଙ୍କର ଖାଦ୍ୟର ଆଲୋଚନା କରୁଁ । ଆଜିର କୃଷିଶ୍ରମିକ ବା ଗୁତିର ଖାଦ୍ୟର କଥା କହୁଛୁଁ । ଆଜିର ଗୁତି ପରି ପଚାଶ ବର୍ଷ ଭିତରର ଗୁତିମାନେ ମଧ୍ୟ ଧାନ ଆକାରରେ ପାରିଶ୍ରମିକ ନେଉଥିଲେ । କୃଷକର ଅବସ୍ଥା ସେ ସମୟରେ ଆଜିର କୃଷକଠାରୁ ସ୍ଵଚ୍ଛଳ ଥିଲା । ସେ ସମୟରେ ଗୁତି ପାଉଥିଲା ମାସିକ ଖ୩ଣ୍ଡି ଧାନ, ବୁଣା ଓ ନିସ୍ତାରରୁ ଖ୨୪ଣ୍ଡି ; ଏପରି ମୋଟ ଖ୬୦ଣ୍ଡି ଧାନ ବା ୨୫ ମହଣ ଧାନ । ଆଜି ମଧ୍ୟ ଜଣେ ଗୁତି ସାଧାରଣତଃ ସେତିକି ପାଉଛି । ପନିପରିବା ଦିଗରେ ଆଜି ପରି ଆଗ ଗୁତି ମଧ୍ୟ କୃଷକଠାରୁ କିଛି ଅଂଶ ପାଉଥିଲା । ସେ ସମୟରେ ଏ ଅଞ୍ଚଳରେ ମହୁଲ ଗଛ ଯଥେଷ୍ଟ ଥିଲା । ଶ୍ରମିକପତ୍ନୀ ମାଗଣାରେ ୫/୬ ମହଣ ମହୁଲ ସାଉଣ୍ଟି ରଖୁଥିଲା । ଶ୍ରମିକପତ୍ନୀ ୨୫ ମହଣ ନିଜ ଢିଙ୍କିରେ କୁଟି ପ୍ରାୟ ୧୯ ମହଣ ଚାଉଳ ଓ ୧ ମହଣ ଖୁଦ, ଅତି ବାରିକ କୁଣ୍ଡା ପ୍ରଭୃତି ବାହାର କରୁଥିଲା । ଶ୍ରମିକ, ଶ୍ରମିକପତ୍ନୀ ଓ ଧର ତାଙ୍କର ଦୁଇ ସନ୍ତାନ ଏପରି ଦିନକୁ ଅନ୍ତତଃ ୩ ସେର ନିଦା ଖାଦ୍ୟ ପାଉଥିଲେ । ସେଥିରେ ୧ ପା ପରିବାରର ଲୁଣ ଓ ତେଲ ପାଇଁ ଏବଂ ଆଉ ଏକ ପା ପରିବାରର ବସ୍ତ୍ର ପାଇଁ ଓ ଅନ୍ୟାନ୍ୟ ଆଡ଼ମ୍ବର ପାଇଁ ବ୍ୟୟିତ ହେଲେ ମଧ୍ୟ, ବାକି ୨୪ ସେର ନିଦା ଖାଦ୍ୟ ଏକ ଚାରିଜଣିଆ ପରିବାର ପାଇଁ ଯଥେଷ୍ଟ ହେଉଥିଲା । ଅନ୍ତତଃ ସେମାନେ ପେଟ ପୂରାଇ ଖାଇବାକୁ ପାଉଥିଲେ । ଖାଦ୍ୟ ତୟାରି ଧରଣ ମଧ୍ୟ ଅତି ସରଳ ଥିଲା । ସରଳ ଥିବାରୁ ମୁଖରୋଚକ ଥିଲା ମଧ୍ୟ । ରୁଚି ଅଭ୍ୟାସ ଅନୁରୂପୀ ହୁଏ । ଏହି ଖାଦ୍ୟରେ ଶାଗସବ୍‍ଜି, ସୁଲଭ୍ୟ ବନ୍ୟ ଫଳମୂଳ ମିଶୁଥିଲା । ଏପରି ଦେଖାଯାଇଛି, କଞ୍ଚା କେନ୍ଦୁଫଳର ମଞ୍ଜିର କଷାଖୋଳ ବାହାର କରିଦେଇ, ତାକୁ ଧୋଇ ଖରାରେ ଶୁଖାଇ ଗୁଣ୍ଡ କରି, ଚାଉଳଠାରୁ ମଧ୍ୟ ଉପାଦେୟ ଭାତ ବାହାର କରା ଯାଉଥିଲା । ଏପରି ମହଣ ମହଣ କେନ୍ଦୁମଞ୍ଜି ଘରେ ଘରେ ଶୁଖୁଥିବାର ଦେଖି ସେତେବେଳେ ମନେ ହେଉଥିଲା ଏ ମନୁଷ୍ୟଗୁଡ଼ାକ ପଶୁ ପରି ଖାଉଛନ୍ତି । ପଲାସ ଫଳର ମଞ୍ଜିର ଲାଲ ଅଂଶ ବାହାର କରିଦେଇ ଧୋଇ ଶୁଖାଇ ତାକୁ ଖାଇ ଜଳଖିଆର ତୃପ୍ତି ଲୋକେ ପାଉଥିଲେ । କୌତୂହଳ ପରବଶ ହୋଇ, ଆମେ ତାହା ଖାଇ ପେଟ ପୂରାଇ ଦେଖିଛୁଁ, ଆର ଦିନ ଦସ୍ତ ସଫା ହୋଇ ଦେହ ନୀରୋଗ ହୋଇଥିଲା । ବାଉଁଶଗଜାରୁ ‘କର୍ଡି’ ଓ ‘ହେଣ୍ଡୁଆ’ କରି ଶ୍ରମିକ, ମଧ୍ୟବିତ୍ତ ଏବଂ ଧନୀ ସମସ୍ତେ ଅନେକ ଆଦାୟ କରୁଥିଲେ ଏବଂ ସଙ୍ଗେ ସଙ୍ଗେ ନିଜର ଅତି ସରଳ ଖାଦ୍ୟ ପରିପାଟୀ ଘଟାଉଥିଲେ । ନାନା ସରକାରୀ କଟକଣା ସତ୍ତ୍ୱେ ଏବେ ମଧ୍ୟ ତା’ର ପ୍ରଚଳନ ରହିଛି, କିନ୍ତୁ ଅଧିକାଂଶ ସ୍ଥାନରେ ତାହା ପୂର୍ବର ଅବଶେଷ ମାତ୍ର-। ଶ୍ରମିକର ଖାଦ୍ୟରେ ଏସବୁ ମିଶିଥିଲା, ତେଣୁ ସେ ଯଥେଷ୍ଟ ଖାଇବାକୁ ପାଉଥିଲା-। ଆଜିର ଆବର୍ଜନା ତାର ଖାଦ୍ୟରେ ପ୍ରବେଶ କରି ନ ଥିଲା । ସେତେବେଳର ଶ୍ରମିକ ହୃଷ୍ଟପୁଷ୍ଟାଙ୍ଗ ରହୁଥିଲା-

 

ଖାଦ୍ୟପ୍ରସ୍ତୁତି ପ୍ରଣାଳୀ ହିଁ ତା’ର ଖାଦ୍ୟକୁ ସରସ, ସରଳ ଓ ରୁଚିକର କରୁଥିଲେ । ସଚରାଚର ଧାନକୁ ସିଝାଇ ପରେ ଶୁଖାଇ କୁଟି ଚାଉଳ ବାହାର କରିବାକୁ ହେଉଥିଲା । ଏହି ଧାନ ସିଝାଇବାରେ ମଧ୍ୟ ପ୍ରକାରଭେଦ ରହିଛି, ଯେପରି ଅରୁଆସିଝା ଓ ବଡ଼ସିଝା । ଅରୁଆସିଝା ଚାଉଳ ସ୍ଵଚ୍ଛଳ ଅବସ୍ଥାରେ ଲୋକେ ଭଲ ପାଆନ୍ତି । କମ୍‍ ସିଝିଲେ ତାହା ଅରୁଆସିଝା । ବେଶୀ ସମୟ ସିଝିଲେ ବଡ଼ସିଝା । ଅରୁଆସିଝା ଚାଉଳ ଲଘୁପାକ ହୁଏ । ବଡ଼ସିଝା ଚାଉଳ ଗୁରୁପାକ । ବଡ଼ସିଝା ଚାଉଳର ଭାତ ଭାଙ୍ଗିଯାଏ ନାହିଁ, ଗୋଟା ଗୋଟା ହୋଇ ରହେ । ସହଜେ ବିଲିଯାଏ ନାହିଁ । ଶ୍ରମିକ ଏ ଗୁରୁପାକ ଭାତ ଖାଇ ବେଶୀ ସମୟ ଶାରୀରିକ ପରିଶ୍ରମ କରି ପାରୁଥିଲା । ପ୍ରତ୍ୟେକ ଫଳର ବୀଜଦଳ ସାରଯୁକ୍ତ ଖାଦ୍ୟ । ଧାନରୁ ଚାଉଳ ବାହାର କରିବା ବେଳେ ଚାଉଳରେ ଆଉ ବୀଜଦଳ ନ ଥାଏ । ଶ୍ରମିକ କିନ୍ତୁ କୁଣ୍ଡାରେ ତାକୁ ଧରି ରଖୁଥିଲା । ଆଉ ଗୋରୁ କୁଣ୍ଡାରେ ଶସ୍ୟର ସାର ବୀଜଦଳ ପାଉଥିବାରୁ ସେତେବେଳର ବଳଦ ହୃଷ୍ଟପୁଷ୍ଟାଙ୍ଗ, ଆଉ ଗାଈ ଦୁଗ୍‌ଧବତୀ ହେଉଥିଲେ । ଭାତ ରାନ୍ଧି ପେଜ ଯଦି ଗାଳି ଦିଆଯାଏ, ତେବେ ଭାତର ଶ୍ଵେତସାର ଅଂଶ ସେଥିରେ ଚାଲିଯାଏ । ଶ୍ରମିକ ଭାତର ପେଜ ଗାଳେ ନାହିଁ । ତଦୁପରି ମଣ୍ଡ ସାଇତି ରଖେ । ଶ୍ରମିକ ଭାତ ଖାଏ ନାହିଁ, ପଖାଳ ଖାଏ । ଭାତରେ ପାଗ ଅନୁସାରେ ଓ ଉପଯୁକ୍ତ ପରିମାଣରେ ପାଣି ଦେଲେ, ତାହା ଉପଯୁକ୍ତ ପଖାଳ ହୁଏ । ଆଜି ଏ ପାଗ ଓ ଏ ଜଳର ପରିମାଣ ଭଲ ଭଲ ପାଚକମାନେ ମଧ୍ୟ ଜାଣନ୍ତି ନାହିଁ । କିନ୍ତୁ ସେତେବେଳେ ଏହା ପ୍ରତ୍ୟେକ ପାଚିକାର ସ୍ଵଭାବସିଦ୍ଧ ହୋଇ ପଡ଼ିଥିଲା । ଭାତ ଖାଇବାକୁ ତିଅଣର ଆବଶ୍ୟକତା ଅପରିହାଯ୍ୟ, କିନ୍ତୁ ସକାଳେ ରନ୍ଧା ଯାଇଥିବା ପଖାଳ ସନ୍ଧ୍ୟାରେ ବା ସନ୍ଧ୍ୟାରେ ରନ୍ଧା ଯାଇଥିବା ପଖାଳ ଆରଦିନ ସକାଳେ ଯଦି ଖାଇବ, ତେବେ ସାମାନ୍ୟ କିଛି ଲୁଣ ପକାଇ ଗୋଟିଏ ଲଙ୍କା ଧଇଲେ, ପେଟ ପୂରାଇ ତାହା ଖାଇ ହୁଏ । କୌଣସି ତିଅଣର ଆବଶ୍ୟକତା ପଡ଼େ ନାହିଁ । ଯଦି ସେପରି ପଖାଳ ଖାଇବାବେଳେ ଶୁଖିଲା ମାଛ ଦୁଇ ଚାରଟା ଅଙ୍ଗାର ଶୂନ୍ୟ ମାତ୍ର ଉତ୍ତପ୍ତ ଖାରରେ ଗରମ କରି, ବାମ ହାତରେ ତାହା ନେଇ, ସେଥିରୁ ଟିକିଏ ଟିକିଏ ଦାନ୍ତରେ ଛିଣ୍ଡାଇ ନେବାର ସୁବିଧା ଶ୍ରମିକ ପାଏ ତେବେ ତମର ଚୌଷଠି ବ୍ୟଞ୍ଜନଯୁକ୍ତ ଖାଦ୍ୟ ପ୍ରତି ସେ ଆଖି ପକାଏ ନାହିଁ । ଆଜିର ବୈଜ୍ଞାନିକମାନେ ମଧ୍ୟ ସ୍ଵୀକାର କଲେଣି, ବାସିପଖାଳ ଓ ଶୁଖା ମାଛରେ ଯଥେଷ୍ଟ ଭିଟାମିନ୍ ରହିଛି । ଶ୍ରମିକ ସେତେବେଳେ ସକାଳେ ୭ ଘଣ୍ଟା ଏବଂ ଆରବେଳା ପ୍ରାୟ ୫ ଘଣ୍ଟା ଖାଟୁଥିଲା । ସକାଳେ ୩ ଘଣ୍ଟା ବା ୪ ଘଣ୍ଟା କାମ କରିବା ପରେ ଅର୍ଥାତ ‘ଥିରପିଆ’ ବେଳକୁ ଯଦି ଶ୍ରମିକପତ୍ନୀ କିଛି ‘ଭଜାମହୁଲ’ ବା ‘କୁଣ୍ଡାପିଠା’ ରୁ ଖଣ୍ଡିକ ସଙ୍ଗେ ବାସିପେଜ କଂସାଏ (ଲୁଣ ଓ ଲଙ୍କା ମିଶାଇ) ଦେଇ ପାରିଲା, ତେବେ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସିବା ତକ ତା’ର କାମ ଶିଥିଳ ହେଉ ନଥିଲା । କାମ ସାରିବା ପରେ ପରେ ଶ୍ରମିକ ଗାଧୋଇ ପଡ଼ି ଘରକୁ ଆସିବା ମାତ୍ରେ କଂସାଏ ପଖାଳ ଲୁଣ, ଲଙ୍କା, ଶାଗ ବା ଯାହା କିଛି ଶ୍ରମିକପତ୍ନୀ ଯୋଗାଡ଼ କରିଥିବ, ତାର ସାମନାରେ ଧରି ଦେଲେ, ଶ୍ରମିକ କହୁଁ କହୁଁ ୫/୧୦ ମିନିଟରେ ହାକୁଟି ମାରି ହାତ ଧୋଇ, ‘ରସରକେଲିରେ’ ଗୀତ ଗାଇ, ପତ୍ନୀ ସଙ୍ଗେ ହାସ ପରିହାସ କରୁଁ କରୁଁ ପତ୍ନୀର ଭୋଜନ ସାଙ୍ଗ ହୁଏ । ପରେ ପ୍ରାୟ ଅଧଘଣ୍ଟାଏ ବିଶ୍ରାମ କରି, କାମ ଶେଷରେ ପ୍ରାୟ ଦେଢ଼ ଘଣ୍ଟା ମଧ୍ୟରେ ପୁଣି କାମକୁ ବାହାରିବାବେଳେ ଶ୍ରମିକପତ୍ନୀ କିଛି ‘ଭଜାମହୁଲ’ ଶ୍ରମିକ ଅଣ୍ଟିରେ ଗୁଞ୍ଜିଦେଇ କହି ପକାଏ, ଆହା ବେଳବୁଡ଼ା ତକ କାମ କରିବ, ମଝିରେ କେତେବେଳେ ଏ ଦିଟାକୁ ମୁହଁରେ ପକାଇଦେଲେ ବଳ କମିବ ନାହିଁ । ରାତ୍ର ଭୋଜନ ପୂର୍ବେ ଶ୍ରମିକପତ୍ନୀ କିଛି ଖୁଦ ଓ କେତୋଟି ମହୁଲ ବାଟି ‘ପିଠଉ’ କରି ରଖିଥିବ । ପିଠଉରେ ମଣ୍ଡ ଓ କୁଣ୍ଡା ପକାଇ ଗରମ ଚୁହ୍ଲା ଉପରେ ‘ତେଲାନୀ’ ରେ ତାହା ରଖି ତା’ଉପରେ ପତ୍ର ସମାନ କରି ରଖି, ପତ୍ର ଉପରେ ଆବଶ୍ୟକ ପରିମାଣ ଅଙ୍ଗାର ଦେଲେ ସକାଳକୁ ପିଠା ପ୍ରସ୍ତୁତ ହୋଇଥାଏ । ସକାଳୁ ପିଲାପିଲିଙ୍କୁ ସେଥିରୁ ଖଣ୍ଡିଏ ଲେଖାଏଁ ଧରାଇ ଦେଲେ, ସେମାନଙ୍କର ପ୍ରାତରାଶ ଶେଷ ହୁଏ । ଥିରପିଆବେଳେ ସେଥିରୁ ଖଣ୍ଡିଏ ଶ୍ରମିକ ପାଏ । ସେଥିରୁ ଓ ତୋରାଣିରୁ କିଛି ବଳିଲେ ଶ୍ରମିକପତ୍ନୀ ସେଥିରେ ପରିତୃପ୍ତି ପାଏ ।

 

ସେକାଳରେ ଏ ଥିଲା ଶ୍ରମିକର ସାଧାରଣ ଖାଦ୍ୟ । ମହୁଲଫଳ (ଟୋଲ) ର ତେଲ କିଛି ଠେକିରେ ସାଇତି ରଖା ଯାଇଥାଏ । ୨/୩ ଦିନରେ ଠାରେ ଶ୍ରମିକ ମଧ୍ୟାହ୍ନ ଭୋଜନ ପରେ କାମକୁ ବାହାରିବା ପୂର୍ବେ ଟିକିଏ ତେଲ ଦେହରେ ଘଷିଦେବ । ୫ ମିନିଟ ମଧ୍ୟରେ ଦେହରେ ତେଲ ଘଷି ଦେହକୁ ଚିକ୍‍କଣ କରି ଦେଇ, ହସି ଦେଇ, ପତ୍ନୀକୁ ପିଠିରେ ତେଲ ଘଷି ଦେବାକୁ କହିବ ଓ ପତ୍ନୀ ଆଗ୍ରହରେ ତାହା ସଙ୍ଗେ ସଙ୍ଗେ କରିଦେବ । କନାରେ ଗୁଡ଼ା ହୋଇ ଖଣ୍ଡିଏ ‘ଛୋରା’ ଛତରେ ରଖା ହୋଇଥିବ । ସେଥିମଧ୍ୟରେ ଏକ ପଇସାର ଗୋଟିଏ ଛୋଟ ଦର୍ପଣ ଓ ପଳସାରେ ୨ଟା କରି ମିଳୁଥିବା କାଠ ପାନିଆ ମଧ୍ୟ ଥିବ । ଏହା ହେଉଛି ଶ୍ରମିକର To।let ବା ପ୍ରସାଧନ ବାକ୍‍ସ । ୧୦/୧୫ ଦିନରେ ଥରେ ଦାଢ଼ି ବନାଇ ନେବ ଓ ମାସକରେ ଥରେ ଗ୍ରାମଭଣ୍ଡାରୀଠାରେ ବାର୍ଷିକ ୮ ତାମ୍ବି ଧାନ ଦେଇ ୧୨ ଥର କ୍ଷୌର ହୋଇ ବାଳ କଟାଇନେବ । କେହି କେହି ବା ଖୋସା ଭିଡ଼ି ଭଣ୍ଡାରୀର ଆବଶ୍ୟକତା ନ ଥିବାର ବିଶ୍ୱାସବାନ୍‍ ହୁଅନ୍ତି । ସେମାନଙ୍କ ମତରେ କେବଳ ଅନ୍ତ୍ୟେଷ୍ଟିକ୍ରିୟାରେ ଭଣ୍ଡାରୀର ଆବଶ୍ୟକତା ଅନିବାର୍ଯ୍ୟ । ଶ୍ରମିକ ଜୀବନରେ ଏ ଥିଲା ପ୍ରସାଧନ । ଶ୍ରମିକ ଏ ସରଳ ଖାଦ୍ୟ ପାନ ପ୍ରସାଧନରେ କଠୋର କାୟିକ ପରିଶ୍ରମ ମଧ୍ୟରେ ନିଜର ଜୀବନକୁ ସରସ କରି, ଶାନ୍ତି ସନ୍ତୋଷ ଲାଭ କରି, ରାତ୍ରର ସୁଷୁପ୍ତି ଯୋଗୁଁ ଅତୁଟ ସ୍ଵାସ୍ଥ୍ୟ ଉପଭୋଗ କରୁଥିଲା । ଶ୍ରମିକର ଜୀବନର ଶାନ୍ତି ସୁଖ ଦେଖି ମଧ୍ୟବିତ୍ତ ଓ ଧନିକ ଈର୍ଷା ପରାୟଣ ହେଉଥିଲେ । ବିଷମ ବିଷୟ ଜଞ୍ଜାଳରେ ପଡ଼ି, ସେମାନେ ମୁଁ ଶଳା କାହିଁକି ଗରିବ ଗୁତି ନ ହେଲି ବୋଲି ଆକ୍ଷେପ କରିବାର ବହୁବାର ଶୁଣିବାକୁ ମିଳୁଥିଲା । କିନ୍ତୁ ଆଜି ଆଉ ସେ ଶ୍ରମିକ ନାହିଁ, ଆଜି ତ ଖାଲି ଢପ ।

Image

 

(୪)

ନିରାଡ଼ମ୍ବର ଖାଦ୍ୟ

 

ବର୍ତ୍ତମାନ ତତ୍କାଳୀନ ଏକ ମଧ୍ୟବିତ୍ତ ପରିବାରର ଖାଦ୍ୟର କିଛି ଆଲୋଚନା କରୁଁ । ଆୟର ପନ୍ଥା କେବଳ କୃଷି । ଜମିପ୍ରାୟ ୩୦ ଏକର ମଧ୍ୟରୁ ଧାନଜମି ମାତ୍ର ୧୫ ଏକର । ବାକି ନୀରସ ଆଟଜମି । ଧାନ ଆଦାୟ ହୁଏ ୩୦୦ ମହଣ । ଆଟଜମିରୁ ମୁଗ, ବିରି, ରାଶି ଓ କୋଳଥ କିଛି ମିଳେ, ଯାହା ପରିବାର ପକ୍ଷରେ ଯଥେଷ୍ଟ ନୁହେଁ । ବାଡ଼ିରେ ବାଇଗଣ, ପାତଳଘଣ୍ଟା, ଶିମ୍ବ, ପିଆଜ ଓ ରସୁଣ ଆଦି ଚାଷ କରାଯାଏ । ସେସବୁ ପରିବାରର ଖର୍ଚ୍ଚରେ ଲାଗେ । ଗୁହାଳରେ ଗାଈ ୨/୪ ପଟ ଥାନ୍ତି ଓ ସେଥିରୁ ପଟେ ବା ଦୁଇପଟ ସବୁବେଳେ ଦୁହାଁଳ ରହନ୍ତି । ଗାଈ ଛଡ଼ା ଗୁହାଳରେ ୬ ପଟ ବଳଦ ଓ ୨ ପଟ ପୋଢ଼ ରହନ୍ତି । ଚାରୋଟି ହଳରେ କୃଷକ ଚାଷ କରନ୍ତି । ଚାରୋଟି ହଳ ପାଇଁ ଚଷା ୪ ଜଣ ମୂଲିଆ ରଖନ୍ତି । ସେଥିର ୩ ଜଣ ପୂର୍ଣ୍ଣବୟସ୍କ ଓ ଜଣେ ଆପ୍ରାପ୍ତବୟସ୍କ, ୧୨ ରୁ ୧୫ ବର୍ଷର । ଶେଷୋକ୍ତ ଜଣକ ସକାଳେ ହଳ କରେ ଓ ଆରବେଳ ବା ଅନ୍ୟ ସମୟରେ ଗୋରୁ ଚରାଏ । ଦୁହାଁଳ ଗାଇଠାରୁ ଯେଉଁ ଦୁଧ ମିଳେ, ସେଥିରେ ମାସକୁ ୨ ସେର ଘିଅ କରାଯାଏ । ଦୁଧ ଆକାରରେ ତାହା ବ୍ୟୟିତ ହୁଏ ନାହିଁ । ଦୁଧସବୁ ଦହି କରାଯାଏ । ଲହୁଣୀସବୁ କାଢ଼ି ନେବା ପରେ ‘ମହୀ ’କୁ କୃଷକ ପରିବାର ମହୀ ଆକାରରେ ବା ତିଅଣରେ ପକାଇ ଖାନ୍ତି । ଆଟରୁ ଯାହା ରାଶି ମିଳେ ସେଥିରୁ ତେଲ ବାହାର କରାଯାଏ । ପରିବାରର ପ୍ରସାଧନ ପାଇଁ ଏହି ତେଲ ଯଥେଷ୍ଟ ହୁଏ । ପ୍ରସାଧନ ପାଇଁ ରାଶିତେଲ ସମାନ ଆଉ କିଛି ନାହିଁ । ପିଡ଼ିଆସବୁ ଚାଷର ଗୋରୁ ଖାଆନ୍ତି । କ୍ଷେତରେ ଥିବା ମହୁଲ ଗଛରୁ ବର୍ଷକର ଖର୍ଚ୍ଚ ପାଇଁ ଯଥେଷ୍ଟ ମହୁଲ ସାଇତି ରଖାଯାଏ । ତାହା ବାହାରେ ଶ୍ରମିକମାନେ ମଧ୍ୟ ପ୍ରତ୍ୟେକ ୫/୭ ମହଣ ଲେଖାଏଁ ମହୁଲ ନିଜ ବ୍ୟବହାର ପାଇଁ ରଖନ୍ତି । ମହୁଲଫଳ (ଟୋଲ) ରୁ ତେଲ ବାହାର କରାଯାଏ । କୃଷକ ପରିବାର ଏବଂ ଶ୍ରମିକମାନେ ଯଥେଷ୍ଟ ଟୋଲତେଲ ସଂଗ୍ରହ କରି ନିଅନ୍ତି, ଯାହା ସଦ୍‍ବ୍ୟବହୃତ ହେଲେ କୃଷକ ପରିବାରର ଖାଇବା ପାଇଁ ଓ ଶ୍ରମିକମାନଙ୍କର ଖାଇବା ଓ ପ୍ରସାଧନ ପାଇଁ ଯଥେଷ୍ଟ ହୁଏ । ବାସ୍ତବିକ କୃଷକ ଓ ଶ୍ରମିକ ପକ୍ଷେ ମହୁଲ ଗଛ ଏତେ ଉପକାରୀ ଯେ ତାକୁ ଧାନର ଦ୍ଵିତୀୟସ୍ଥାନରେ ରଖା ଯାଉଥିଲା । ବ୍ରିଟିଶ ଜାତି ସେମାନଙ୍କର ଅମଳଦାରିରେ ଅନ୍ୟ ବିଷୟରେ ଯାହା କରନ୍ତୁ, ମହୁଲଗଛ ଉପରେ ବେଶ୍‍ ନଜର ରଖିଥିବାରୁ ଏ ପର୍ଯ୍ୟନ୍ତ ଏତେ ମହୁଲ ଗଛ ରହିଛି-। କିନ୍ତୁ ସ୍ଵାଧୀନତା ପରେ ଭୂମିରୁ ଉପୁଜନ ବଢ଼ାଇବାର ପ୍ରଚାର କରି ମଧ୍ୟ ଗରିବର ଜୀବନୋପାୟ ମହୁଲ ଗଛ ପ୍ରତି ଲୋକେ ଉଦାସୀନ ହେବାରୁ ତାହା ଲୋପ ହେବାକୁ ବସିଲାଣି । ଜଙ୍ଗଲରୁ ଅନ୍ୟ ସବୁ ଗଛ କେତେ କାଠ ପାଇଁ କେତେ ବା ଘର ତୋଳିବାରେ ଲଗାଇ ଜଙ୍ଗଲସବୁ ପଦା ହେବା ପରେ ଏବେ ଗତ୍ୟନ୍ତର ନ ଥିବାରୁ ମହୁଲ ଗଛସବୁ ନିକାଶ ହେଉଛନ୍ତି । ଏହି ଗତିରେ ଚାଲିଲେ, ଆଉ ୨୦ ବର୍ଷରେ ମହୁଲ ଓ ମହୁଲ ଗଛ ଓ ତା’ ସଙ୍ଗେ ଚଷା ଓ ମୂଲିଆ ନିପାତ ହେବେ ପରି ଜଣାଯାଉଛି । ଟୋଲତେଲ ଗରମ କରି ସେଥିରେ ଦିଓଟି ଅରୁଆ ଚାଉଳ ବା ଦିଓଟି କଞ୍ଚା ଶାଳପତ୍ର ପକାଇଲେ, ତା’ର ଦୁର୍ଗନ୍ଧ ସଙ୍ଗେ ସଙ୍ଗେ ଚାଲିଯାଏ; ଏପରି କି ସେଥିରେ ସିଦ୍ଧପିଠା ଏତେ ଗନ୍ଧଶୂନ୍ୟ ହୁଏ ଯେ ତାହା ଘିଅର ପିଠା ନୁହେଁ ବୋଲି କହି ହେବ ନାହିଁ । ଏହି ଟୋଲତେଲ ବନସ୍ପତି ତେଲ ପାଇଁ ମୁଗଫଲୀତେଲରୁ ମଧ୍ୟ ଭଲ । ଏହା ବର୍ତ୍ତମାନ ସ୍ଵୀକୃତ ହେଲାଣି-। ଏବେ ଟୋଲତେଲ ଶୋଧନର ଏ ପନ୍ଥା ଏଠାକାର ପ୍ରତ୍ୟେକ ସ୍ତ୍ରୀଲୋକ ଜାଣନ୍ତି ।

 

କୃଷକର ବାଡ଼ିରେ ପିଆଜ, ରସୁଣ, ଲଙ୍କା, ସୋରିଷ, ଧନିଆ, ଜୀରା, ପାନମହୁରି, ଅଦା, ମେଥି, ପୋଦିନାପତ୍ର, ଧନ୍ଵନ୍ତରୀ ଆଦି ଲଗା ହୋଇ ସେଗୁଡ଼ିକ ପରିବାରର ମସଲା ପାଇଁ ବ୍ୟବହୃତ ହୁଏ । ଉପରୋକ୍ତ ମସଲା ଅନ୍ତତଃ ପକ୍ଷେ ଆଜିର କଦର୍ଯ୍ୟ ମସଲା ଅପେକ୍ଷା ନିର୍ଦ୍ଦୋଷ, ରୁଚିକର ଓ ପୁଷ୍ଟିକର ଥିଲା । ଚାଷ ସଙ୍ଗେ ସଙ୍ଗେ ଆଖୁଚାଷ । ପରିବାରର ବ୍ୟବହାର ପାଇଁ ଯଥେଷ୍ଟ ଗୁଡ଼ ସଂଗ୍ରହ କରା ଯାଉଥିଲା ।

 

ସେକାଳର ମଧ୍ୟବିତ୍ତ ପରିବାରର ଗୃହିଣୀ ପ୍ରକୃତ ଅନ୍ନପୂର୍ଣା ଥିଲେ । ଦିନକୁ ୨୪ ଘଣ୍ଟା ନ ଥାଇ ଯଦି ୨୬ ଘଣ୍ଟା ଥାନ୍ତା ତେବେ ମଧ୍ୟ ତାହା ତାଙ୍କୁ ନଅଣ୍ଟ ହୁଅନ୍ତା । ରାତ୍ରିରେ କେବଳ ୬ ଘଣ୍ଟା ସମୟ ଶୋଇବାକୁ ପାଇଲେ ସେମାନେ ଦେହକୁ ସୁସ୍ଥ, ସମର୍ଥ ଓ କାର୍ଯ୍ୟକ୍ଷମ କରି ରଖି ପାରୁଥିଲେ । ସେକାଳର ଗୃହିଣୀର ଗୃହିଣୀପଣିଆ ଦେଖିଥିବା ଲୋକ ପକ୍ଷରେ ଆଜିର ସ୍ତ୍ରୀ ଶିକ୍ଷା ଓ ସ୍ତ୍ରୀ ଅଧିକାରର ଆସ୍ଫାଳନ ପ୍ରତି ଘୃଣା ସ୍ୱାଭାବିକ ହୋଇପଡ଼େ, କାନ୍ଦ ବି ମାଡ଼େ । ପରେ ଏ ଆସ୍ଫାଳନକୁ ହାସରେ ଉଡ଼ାଇ ଦେଇ, ଶେଷରେ ରାଗରେ ଦାନ୍ତ କଡ଼ମଡ଼ କରି, ସାମନାରେ ଯାହା ଥାଏ ତାକୁ ଭାଙ୍ଗି ଚକଟି ଫୋପାଡ଼ି ଦେଇ, ଏ ଜୀବନ-ଡୋରିକୁ ଛିଣ୍ଡାଇ ଦେବାକୁ ଇଚ୍ଛା ହୁଏ ଏବଂ ସର୍ବଶେଷରେ ନିଜର ଅସହାୟର ଅନୁଭବ କରି ଏ ଦେହ ପ୍ରତି କରୁଣାର ଉଦ୍ରେକ ହୁଏ । ଆଉ ମନକୁ ଭୁଲାଇବାକୁ ଲେଖନୀ ଧରି ଏ ଗେଜୋବେଜୋ ଲେଖି ସମୟ ବିତାଇବାକୁ ପଡ଼େ । ଏପରି ଏକ ପରିବାରର ଗୃହିଣୀପଣିଆ ଏଠାରେ ବର୍ଣ୍ଣନା କଲେ ତାହା ଅବାନ୍ତର ହେବ ନାହିଁ ।

 

ଗୃହସ୍ଥ ଓ ଗୃହିଣୀଙ୍କର ଚାରି ପୁତ୍ର, ଦୁଇ କନ୍ୟା । କୁସଙ୍ଗରେ ପଡ଼ି ଗୃହସ୍ଥ ଅଫିମ ଧରି ନେଇଥାଆନ୍ତି । ଗୃହସ୍ଥ ଅତି ପରିଶ୍ରମୀ ବୁଦ୍ଧିମାନ । କୃଷି କାର୍ଯ୍ୟରେ ଧୁରନ୍ଧର । ସଞ୍ଚୟଶୀଳ ନ ଥାଇ ମଧ୍ୟ ପରିବାରର ସୁବିଧା ଦିଗରେ ସର୍ବତୋଭାବେ ତତ୍ପର । ଦିନଯାକର କଠିନ ପରିଶ୍ରମ ପରେ ସନ୍ଧ୍ୟାର ଆରତି କରି ୨ ଘଣ୍ଟା ଅଫିମ ସେବାରେ ଲାଗି ରହନ୍ତି । ୨/୩ ଜଣ ଅଫିମିଆଙ୍କର ଅଫିମ ଖର୍ଚ୍ଚ ସେ ନିଜେ ବହନ କରନ୍ତି । ତେଣୁ ସେହି ଅଫିମିଆଗୁଡ଼ାକ ତାଙ୍କୁ ଆୟତ୍ତ କରିଥିଲେ । ଆଡ଼୍‍ଡ଼ାରେ ସେମାନେ ବଡ଼ ବଡ଼ ଓ ଦୁରୂହ ସମସ୍ୟାମାନଙ୍କର ସହଜ ସମାଧାନ ସ୍ତୋକ କଥାରେ ଅନୁଚ୍ଚସ୍ଵରରେ ବୟାନ କରିବା ଦେଖିଲେ ମନେ ହେବ ଯେପରି ଅଫିମ ସର୍ବସମସ୍ୟା ସମାଧାନର ମୂଳ । ଆଉ ଦୁନିଆରେ ସବୁ ଅସାର, ସାର କେବଳ ଅଫିମ । ଆଉ ସେଥିପାଇଁ ଆୟାସସବୁ ଆୟାସ ନୁହଁନ୍ତି, କରଣୀୟ ମାତ୍ର । ରାତ୍ର ପ୍ରାୟ ୯ଟା ବେଳକୁ ଆଡ଼୍‍ଡ଼ାରୁ ଫେରି ଖାଦ୍ୟପାନର କୌଣସି ଘାଟତି ଦେଖିଲେ, ଗୃହିଣୀ ଉପରେ ଅତ୍ୟାଚାରର ଶେଷପର୍ଯ୍ୟନ୍ତ କରନ୍ତି । ମାଡ଼ଗାଳି ତ ଗୃହିଣୀଙ୍କର ଫୁଲଚନ୍ଦନ ହୋଇଥାଏ । ସନ୍ତାନସନ୍ତତିଙ୍କର ପାଳନ, ରକ୍ଷଣ ଓ ଶିକ୍ଷା ପାଇଁ ଜୀବନବ୍ରତ କରିଥିବାରୁ ସେ ତାହା ସବୁ ସହି ନେଉଥିଲେ । ଗୃହସ୍ଥଙ୍କର ରାତ୍ରିଭୋଜନ ପରେ ଗୃହିଣୀ ଗୃହସ୍ଥଙ୍କର ଅବଶିଷ୍ଟ ଭୋଜନରେ ତୃପ୍ତି ଲାଭ କରି ବାସନ ବର୍ତ୍ତନ ସାଇତି ରଖନ୍ତି । ତତପୂର୍ବେ ପିଲାପିଲିଙ୍କର ଭୋଜନ ବଢ଼ାଇ ସେମାନଙ୍କୁ ଶୁଆଇ ଦେଇ ପ୍ରାୟ ୧ ସେର ଚାଉଳ ବା ଖୁଦ ଯାହା ସେ ଆଗରୁ ବତୁରାଇ ରଖିଥାନ୍ତି ତାକୁ ବାଟି ‘ପିଠଉ’ କରି ନେଇଥାନ୍ତି । ଗୃହିଣୀଙ୍କର ଭୋଜନର ପରେ ପରେ ଚୁହ୍ଲିରେ ‘କରାଇ’ ଦେଇ ତେଲ ଦେଇ ତା’ ଉପରେ ‘ପିଠଉ’ ଏବଂ ଆଗରୁ ‘ସଂଗ୍ରହ କରିଥିବା ‘ମଣ୍ଡ’ ନିଉଡ଼ି ଦେଇ ଉପଯୁକ୍ତ ପରିମାଣ ଲୁଣ ଦେଇ ତାହା ଘାଣ୍ଟି ଦିଅନ୍ତି-। ପରେ ତା’ଉପରେ ପତ୍ର ବିଛାଇ ଖାରମିଶା ଅଙ୍ଗାର ଲଦି ଦିଅନ୍ତି । ଗରମ ଚୁହ୍ଲିରେ ଆଉ ନିଆଁ ନ ଥାଏ । ତା କରି ସେ ଶୋଇବାକୁ ଯାଆନ୍ତି । ଏହି ପିଠା ପ୍ରସ୍ତୁତିରେ ସେ ଏତେଦୂର ଅଭ୍ୟସ୍ତା ଏବଂ ଏ ଦିଗରେ ତାଙ୍କର ଅଭିଜ୍ଞତା ଏତେ ବେଶୀ ଯେ କେବେ ସେ ପିଠା ପୋଡ଼ିଯାଏ ନାହିଁ ବା କଞ୍ଚା ରହେ ନାହିଁ । ରାତ୍ର ୧୦ଟା ପରେ ସେ ଶୋଇବାକୁ ଯାଆନ୍ତି, କିନ୍ତୁ ଭୋର ୪ଟାରେ ଉଠି ଘଣ୍ଟେ ଦେଢ଼ ଘଣ୍ଟା ମଧ୍ୟରେ ପ୍ରାୟ ୫ ସେର ଚାଉଳଘର ଢିଙ୍କିରେ କୁଟି ନିଅନ୍ତି । କୁଣ୍ଡାସବୁ ଗୋରୁଙ୍କର ଡଙ୍ଗାକୁ ଯାଏ । ସୂର୍ଯ୍ୟୋଦୟ ପୂର୍ବରୁ ପୋଖରୀରୁ ପାଣି ଆସିଥାଏ । ବାସନବର୍ତ୍ତନ ଧୋଇ ଉପଯୁକ୍ତ ସ୍ଥାନରେ ସେସବୁ ରଖିଯାଏ । ତତ୍‍ପୂର୍ବରୁ ରନ୍ଧାଘର ଓ ଖାଇବା ସ୍ଥାନ ଗୋବରରେ ଘଷା ଯାଇ ପରିଷ୍କାର ହୋଇଥାଏ । ୧୦ ମିନିଟରେ ଘରର ଅଳିଆସବୁ ଯାଇ ଖତଗଦାରେ ପଡ଼େ-। ଖାଲି ସେତିକି ନୁହେଁ, ଗୁହାଳ ଆଦି ପରିଷ୍କାର ପରିଚ୍ଛନ୍ନ ଥିବାର ତନଖି ନିଅନ୍ତି । ଓଦା ଅଂଶକୁ ଶୁଖିଲା କରିବାକୁ ଗୃହିଣୀ ନିଜେ ଓଦା ସ୍ଥାନରେ ପାଉଁଶ, ମାଟି, ବାଲି ପକାଇ ଦିଅନ୍ତି-। ସୂର୍ଯ୍ୟୋଦୟ ବେଳକୁ ପିଲାପିଲିଙ୍କୁ ଉଠାଇ ସମସ୍ତଙ୍କର ମୁହଁ ଧୋଇ ସମସ୍ତଙ୍କ ପାଖରେ ରାତ୍ରିରେ ପ୍ରସ୍ତୁତ ହୋଇଥିବା ପିଠାରୁ ଖଣ୍ଡିଏ ଲେଖାଏଁ ଏବଂ ଗୋଟିଏ ପତ୍ରରେ ଉପଯୁକ୍ତ ପରିମାଣରେ ‘ଜମାନ’ ବା ପାନିଗୁଡ଼ ବାଣ୍ଟି ଦିଆଯାଏ । ଏ ପରିବେଷଣରେ ଗୃହିଣୀ ଏପରି ସିଦ୍ଧହସ୍ତା ଯେ କେହି ପିଠା ବା ଗୁଡ଼ର ପରିମାଣ ଅଳ୍ପ ବେଶୀ ଥିବାର ଆପତ୍ତି କରନ୍ତି ନାହିଁ । ପରମ ସନ୍ତୋଷରେ ସମସ୍ତେ ପେଟ ପୂରାଇ ନିଜ ଧନ୍ଦାରେ ବା ସ୍କୁଲ ପ୍ରତି ଧାବମାନ ହୁଅନ୍ତି । ବାସ୍ତବିକ, ମା’ ସମାନ ସନ୍ତାନର ଅଭାବ ବୋଧ ଅନ୍ୟର ସମ୍ଭବେ ନାହିଁ । ଅଫିମିଆ ହେଲେ ମଧ୍ୟ ଗୃହସ୍ଥ ବିଷୟ କର୍ମରେ ଏତେ ତତ୍ପର ଯେ ସେ ମଧ୍ୟ ରାତ୍ର ୪ଟାରେ ଉଠି ପ୍ରଥମେ ଗୋରୁଙ୍କୁ କିଛି ପୁଆଳ ଦେଇ ଗୁତିମାନଙ୍କୁ ଡାକି ଦିଅନ୍ତି । ଗୁତିମାନେ ଖାଦ୍ୟ ପରିତୃପ୍ତ ବଳଦ ଓ ପୋଢ଼ଙ୍କୁ ନେଇ ଫାନ୍ଦିବା ବେଳକୁ ସୂର୍ଯ୍ୟୋଦୟ ହୋଇ ନ ଥାଏ । ପାଗ ଭଲ ଥିଲେ ସୂର୍ଯ୍ୟୋଦୟ ବେଳକୁ ଗୋରୁଙ୍କର ଅଧା କାମ ସରିଥାଏ ଏବଂ ସୂର୍ଯ୍ୟୋଦୟ ୨/୩ ଘଣ୍ଟା ମଧ୍ୟରେ ଗୋରୁଙ୍କ କାନ୍ଧରୁ ଯୁଆଳି ଫିଟିଯାଏ ଏବଂ ପୂର୍ବାହ୍ନରେ ଗୋରୁ, ମୂଲିଆ ସମସ୍ତେ ଘ୨ଣ୍ଟା ବିଶ୍ରାମ ପାଇ ପାରନ୍ତି ।

 

ପିଲାପିଲିମାନେ ସ୍କୁଲ୍‍ରୁ ଫେରିବା ବେଳକୁ ସେମାନଙ୍କର ଅଣ୍ଟିରେ ମୁଠାଏ ଲେଖାଏଁ ମୁଢ଼ି ଥିବ । ମା’ ସେମାନଙ୍କ ଦେହରେ ତେଲ ଲଗାଇ ଦେଇ ଗାଧୋଇବାକୁ ପଠାଇ ଦିଅନ୍ତି । ଗାଧୁଆ ସ୍ଥାନରେ ପହଞ୍ଚିବା ପୂର୍ବେ ବା ଏକ ଦୁଇ ମିନିଟ ମଧ୍ୟରେ ମୁଢ଼ି ଶେଷ ହୋଇଥାଏ । ସେମାନେ ଗାଧୋଇ ଘରକୁ ଫେରିବା ମାତ୍ରେ ଶୁଖିଲା ବସ୍ତ୍ର ପିନ୍ଧି ଖାଇବାକୁ ବସିଯାନ୍ତି । କାହାରି ବାସନରେ ପଖାଳ ତିଅଣ ବଳିବ ନାହିଁ ବା ପେଟ ଖାଲି ରହିବ ନାହିଁ । ଭୋଜନରେ ସମସ୍ତେ ପରିତୃପ୍ତ । ବାସ୍ତବିକ ଭାଗ୍ୟବାନ୍ ନ ହେଲେ ‘ମା’ ର ପରସା ପାଇବ ନାହିଁ । ଖାଇସାରିବା ପରେ ମା’ ସେମାନଙ୍କୁ ସ୍କୁଲକୁ ପଠାଇ ଦିଅନ୍ତି । ଅପରାହ୍ନ ପ୍ରାୟ ୨/୩ ଟା ମଧ୍ୟରେ ପିଲାଏ ଖାଇ ଛୁଟି ପାଇ ଘରକୁ ଆସି ପେଟେ ପଖାଳ ୧୫ ମିନିଟ୍‍ ମଧ୍ୟରେ ଖାଇ ଦେଇ ୨୦/୨୫ ମିନିଟ୍‍ ମଧ୍ୟରେ ପୁଣି କ୍ଲାସରେ ହାଜିର ହୋଇଯାଆନ୍ତି । ସନ୍ଧ୍ୟାରେ ଆଉ ପଢ଼ାପଢ଼ି ନ ଥାଏ । କେବଳ ନିର୍ଦ୍ଦୋଷ ଖେଳ କଉତୁକ । ବ୍ୟାୟାମ ଓ ବିଶ୍ରାମର ଉପଯୋଗିତା ସେମାନେ ପାଉଥିଲେ । ସନ୍ଧ୍ୟାରେ ଆରତିକୁ ପ୍ରତି ପିଲା ଯିବେ । ପ୍ରସାଦ ସେବନ କରିବେ । ପ୍ରସାଦ କହିଲେ, କେବେ ଫଳର ବିନ୍ଦୁ ବା କେବେ ଗୁଡ଼ ମିଶ୍ରିତ ଲିଆରୁ ଗଣି ଗଣି ଚାରୋଟି । ଭଗବାନଙ୍କୁ ମୁଣ୍ଡିଆ ମାଇଲେ ତା ସେମାନେ ପାଉଥିଲେ ଓ ପ୍ରାପ୍ତ ମାତ୍ରେଣ ଭୋକ୍ତବ୍ୟ ନୀତି ଅବଲମ୍ବନ କରି ଘରକୁ ଫେରି ଭୋଜନରେ ବସି ପଡ଼ୁଥିଲେ । ରାତ୍ରରେ ଭାତ, ଡାଲି, ତରକାରୀ ଯାହାକି ନିର୍ଦ୍ଦୋଷ, ସରଳ ଓ ରୁଚିକର ଥାଇ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ଓ ସୁଗନ୍ଧିଯୁକ୍ତ ରହୁଥିଲା । ମାଛ କ୍ଷେତରୁ ଆସେ ଓ ଶୁଖିଲା ମାଛ ଯଥେଷ୍ଟ ସଂଗୃହୀତ ହୁଏ । ଛେଳି ୮/୧୦ ପଟ ଥାନ୍ତି । ମାଂସବରାଦ ସେମାନେ ପୂରା କରନ୍ତି । ମଧ୍ୟ, ଛେଳିଲଣ୍ଡି ଓ ଗୋବର ମିଳାଇ ଯଥେଷ୍ଟ ଖତ ବା ସାର ଖେତରେ ପକାଇ ଜମିକୁ ବେଶୀ ଉପୁଜନର ଉପଯୋଗୀ କରାଯାଏ । ଧାନ ଅମଳ କଲାବେଳେ ଅତି ସରୁ ଧାନ ଯଥେଷ୍ଟ ଥାଏ । ଅତି ସରୁଚୁଡ଼ାର ବ୍ୟବସ୍ଥା ବର୍ଷକ ପାଇଁ ହେଉଥିଲା । ଚୁଡ଼ା ଭଲଭାବରେ ଧୋଇ ଗରମ ଦୁଧରେ ପରିପାକ ହୁଏ ଏବଂ ପାକବେଳେ ସେଥିରେ ଗୁଡ଼ ପକାଇ ତାକୁ ସୁମିଷ୍ଟ କରି ‘ବଡ଼ଠେଲା’ ପ୍ରସ୍ତୁତ କରାଯାଏ । ଏପରି ଏକ ଠେଲାର ଓଜନ ୫ ସେରରୁ ୧୦ ସେର ମଧ୍ୟରେ ହୁଏ । ସେପରି ଏକ ଠେଲାରେ ଅନ୍ୟୂନ ୧୫ ଦିନ ଜଳଯୋଗ ଚଳେ । ଗୃହସ୍ଥ ଯଥେଷ୍ଟ ଆଖୁଚାଷ କରୁଥିଲେ । ବର୍ଷକରେ ଥରେ ସେ ଆଖୁରୁ ଗୁଡ଼ ତୟାରି କରି ନିଅନ୍ତି । ଗୁଡ଼ ତୟାରି କରିବାବେଳେ ଘିଅ ଓ ନଡ଼ିଆ ପକାଇ ସେ ବର୍ଷକ ପାଇଁ ଯଥେଷ୍ଟ ‘ଶାଳଉଖୁଡ଼ା’ କରି ନେଇ ମାଟିର ହାଣ୍ଡିରେ ତାକୁ ଏପରିଭାବେ ରଖୁଥିଲେ ଯେ ତହିଁରେ ପବନ ବାଜିବାର ଆଶଙ୍କା ନ ଥାଏ । ଯେତେବେଳେ ଦେଖିବ ତାହା ‘ଦରଦ’ ତୟାର ହୋଇଥିବାର ମନେ ହେବ । ସେ ପ୍ରକାର ‘ଶାଳଉଖୁଡ଼ା’ ଓ ଚୁଡ଼ାର ଠେଲା ଆଜି ସ୍ଵପ୍ନ ହେଲାଣି । ଢପ କହ ବା ସରଳ ଓ ସରସ କହ, ଏ ଥିଲା ମଧ୍ୟବିତ୍ତର ସାଧାରଣ ଖାଦ୍ୟ । ଏ ସରଳତା ଏବଂ ସରସତା ପାଇବାକୁ ମଧ୍ୟବିତ୍ତକୁ ସେତେ ଆୟାସ କରିବାକୁ ହେଉ ନ ଥିଲା । ସେ ସମୟରେ ତା’ର ସବୁ କାର୍ଯ୍ୟ ଘଣ୍ଟାକଣ୍ଟା ଗତିରେ ଚାଲୁଥିଲା । ଗୃହସ୍ଥ ବଦରାଗୀ ଅଭିମାନୀ ହେଲେ ମଧ୍ୟ କର୍ମଠ କର୍ମତତ୍ପର, ବୁଦ୍ଧିମାନ ହୋଇ ମଧ୍ୟ ଜୀବନକୁ କର୍ମମୟ କରି ଜୀବନ ସଂଗ୍ରାମରେ ଝାସ ଦେଇ ଜୟୀ ହେଉଥିଲେ । ତାଙ୍କର ଏ ଜୟର ମୂଳରେ ଗୃହିଣୀ । ଲକ୍ଷ୍ମୀ ଓ ସରସ୍ଵତୀଙ୍କ ଅବତାରଣା ତାଙ୍କଠାରେ ପରିସ୍ପୁଟ । ସାକ୍ଷାତ ଅନ୍ନପୂର୍ଣ୍ଣା ସେ । ସେପରି ଗୃହସ୍ଥ ଅନେକେ ରହିଛନ୍ତି, କିନ୍ତୁ ଆଜି ପ୍ରକୃତ ଗୃହିଣୀର ଅଭାବରେ ଜାତି ଲକ୍ଷ୍ମୀଛଡ଼ା ହୋଇଛି । ସେହି ଲକ୍ଷ୍ମୀ, ସେହି ସରସ୍ଵତୀ ଆଉ ସେହି ମା ଅନ୍ନପୂର୍ଣ୍ଣାଙ୍କର ଅଭାବରେ ଆଜି ଜାତିର ପେଟ ଭରୁ ନାହିଁ-। ଜାତିର ଅଣ୍ଟା ଦୁର୍ବଳ ହୋଇ ପଡ଼ିଛି । ଫେରି ଆସ ମା ଅନ୍ନପୂର୍ଣ୍ଣା, ଆଉ ଥରେ ଫେରି ଆସି ଜାତିର ଜୀବନକୁ ଧନ୍ୟ କର ।

Image

 

(୫)

ସରଳ ସରସ ଖାଦ୍ୟ

 

ନିମ୍ନସ୍ତର ଓ ମଧ୍ୟବିତ୍ତ ଶ୍ରେଣୀର ଖାଦ୍ୟରେ ଢପ ନ ଥିବାର ଆଲୋଚନା କିଛି କରୁଛୁ । ଧନିକର ଖାଦ୍ୟରେ ଢପ ଦେଖାଇବାର ଆବଶ୍ୟକତା ନାହିଁ, କାରଣ ଧନୀକର ଢପ କିଛି ଥିଲେ ମଧ୍ୟ କାହାର କିଛି କହିବାର ନଥାଏ । ଧନୀକର ଢପରେ ନିମ୍ନସ୍ତରର ଲୋକ କିଛି ସୁବିଧା କରିନିଏ-। ତେବେ ସୁଦ୍ଧା କହିବାକୁ ହେଉଛି, ଆଜିର ଶ୍ରମିକର ଢପ ତୁଳନାରେ ସେକାଳର ଧନୀକର ଢପ କିଛି ନୁହେଁ । ସେତେବେଳେ ଶ୍ରମିକ ଓ ମଧ୍ୟବିତ୍ତ ପର୍ବପର୍ବାଣିରେ ଯାହା ଖାଉଥିଲେ, ଧନିକ ଦୈନନ୍ଦିନ ସେପରି ଖାଦ୍ୟ ପାଉଥିଲା । ଧନୀକର ଖାଦ୍ୟରେ ମାଛମାଂସ ମିଶୁଥିଲା । ଯେଉଁ ଧନିକ ନିରାମିଷ ଥିଲା, ସେ ଦୁଧଘିଅ ଓ ଗୁଡ଼ର ସାର ଶର୍କରା ବା ଖଣ୍ଡର ବ୍ୟବସ୍ଥା କରୁଥିଲା । କିନ୍ତୁ ତାଙ୍କର ଖାଦ୍ୟରେ ବରାବର ସରଳତା ରହୁଥିଲା । ମାଛମାଂସ ଭାରତୀୟ ପକ୍ଷେ ଖାଦ୍ୟ ନା ଅଖାଦ୍ୟ, ତହିଁର ବିଚାର ବୈଜ୍ଞାନିକ ଓ ଆଧ୍ୟାତ୍ମିକମାନଙ୍କ ହାତରେ । ‘ଆୟୁଃ’ ସତ୍ତ୍ଵବଳାରୋଗ୍ୟସୁଖପ୍ରୀତିବିବର୍ଦ୍ଧନାଃ, ରସ୍ୟାଃ ସ୍ନିଗ୍‍ଧାଃ ସ୍ଥିରାହୃଦ୍ୟାଃ, ସଙ୍ଗେ ମାଛମାଂସ କେତେଦୂର ଖାପ ଖାଇବ, ସେକଥା ଆମେ ଆମିଷାଶୀ କହିଲେ ସୁନ୍ଦର ହେବ ନାହିଁ । ଆଉ ଖାଦ୍ୟ ଅଭାବରେ ଜାତିର ଜୀବନୀଶକ୍ତି କମି ଯାଉଥିବା ବେଳେ ତଥା ଅଖାଦ୍ୟ ଖାଇ ଦେହ ମନ କଳୁଷିତ କରିବାକୁ ନାରାଜ ନୋହୁଥିବାବେଳେ ସେ ବିଷୟ ଆଲୋଚନା କରିବାକୁ ଆମର ସାହସ ନାହିଁ-। ଧୈର୍ଯ୍ୟ ତ ଦୂରର କଥା । ଗୋଜାତିର ସର୍ବନାଶ ହୋଇଛି । ଦୁଧ ଘିଅ ଦେଶରୁ ଉଭେଇ ଗଲାଣି, କିନ୍ତୁ ଆମେ ଯେ ସମୟର କଥା କହୁଛୁ, ସେ ସମୟରେ ସେପରି ନ ଥିଲା । ଘରେ ଘରେ ଦୁହିତା, ଘରେ ଘରେ ଗାଈ । ଝିଅ ନାମ ଦୁହିତା, ଝିଅ ସ୍ନେହମୟୀ ଦୁଧ ତା ଅମୃତ ଦୋହନ କରୁଥିବାରୁ-। ଦୁଧ ଝିଅ ପରି ଅତି ଆଦରର ଜିନିଷ ଥିଲା କାହିଁକି ? ମନୁଷ୍ୟଖାଦ୍ୟ ପାଇଁ ଯେ ସବୁ ଉପାଦାନ ଆବଶ୍ୟକ, ସେସବୁ ଦୁଧରେ ରହିଛି । ଖାଲି ଦୁଧ ଖାଅ, ଆଉ କୌଣସି ଜିନିଷ ଛୁଅଁ ନାହିଁ-। ପରମାୟୁ ବଢ଼ିବ, କମିବା ନାହିଁ । କିନ୍ତୁ ଆଜିର ଭୋକିଲା ରୋଗିଲା ଗାଈଠାରୁ ଯେ ଦୁଧ ମିଳେ, ସେଥିରେ ସେସବୁ ଉପାଦାନ ସେହି ପରିମାଣରେ ଅଛି କି ନା, ତାହା ଭାବିବାକୁ ସମୟ ନାହିଁ-। ‘ଆତୁରେ ନିୟମୋ ନାସ୍ତି’ ନୀତିରେ ଯାହା ମିଳିବ ତାକୁଇ ଜାବୁଡ଼ି ଧରିବାକୁ ହେଉଛି । ଅନ୍ତତଃ ଆମର ଏ ଭାରତରେ ଗୋଜାତିର ଉନ୍ନତି ବିନା ଭାରତୀୟ ଯେତେ ଆକାଶରେ ଉଡ଼ୁ ବା ପାଣିରେ ବୁଡ଼ୁ, ତା’ର ଉନ୍ନତି ନାହିଁ । ଆଶ୍ଚର୍ଯ୍ୟର କଥା ମାଂସଜୀବୀ ୟୁରୋପ ଓ ଆମେରିକା ଏ ଦିଗରେ ଉନ୍ନତି କରି ଭାରତକୁ ଦୁଧ ଘନୀଭୂତ ଆକାରରେ ବା ଗୁଣ୍ଡ ଆକାରରେ ଯୋଗାଇ ପୃଥିବୀରେ ସର୍ବେସର୍ବା ହେଲେଣି । ଆଉ ଭାରତୀୟ ଏହି ୫୦ ବର୍ଷ ମଧ୍ୟରେ କୁମ୍ଭୀପାକ ଆଡ଼କୁ ଅଗ୍ରସର ହେଉଛି । ସେ ସମୟରେ ଧନିକର ଖାଦ୍ୟ ଦୁଧଘିଅର ପରିମାଣ ଯଥେଷ୍ଟ ଥିବାରୁ ସରଳ ହେଲେ ମଧ୍ୟ ସେ ଖାଦ୍ୟ ସରସ ଥିଲା । ତାହା ଢପ ନୁହେଁ, ଆଡ଼ମ୍ବର ନୁହେଁ । ତାହା ସବୁ ଶ୍ରେଣୀର ମନୁଷ୍ୟ ପକ୍ଷରେ ଆବଶ୍ୟକ ଓ ଭଗବଦୁଦ୍ଦିଷ୍ଟ । ତାହା ଏଡ଼ାଇବାର ନୁହେଁ । ଏଡ଼ାଇଲେ ମନୁଷ୍ୟର ଅକ୍ଷୁର୍ଣ୍ଣ ରହିବା ନାହିଁ । ସେ ସମୟରେ ଶ୍ରମିକ ମଧ୍ୟ ତହିଁର ଅଂଶ ପାଉଥିଲା । ମଧ୍ୟବିତ୍ତ ଓ ଧନିକ ପକ୍ଷରେ ତାହା ଅତି ସାଧାରଣ ଥିଲା । ସେତେବେଳର ଜଣେ ଧନିକର ଖାଦ୍ୟ ଆଲୋଚନା କଲେ, ଜଣାଯିବ, ସେତେବେଳେ ଧନିକର ଖାଦ୍ୟ ମଧ୍ୟ ଢପ ନା ଥିଲା । ଥିଲା କେବଳ ଆବଶ୍ୟକତା-

 

ଧନିକ ଜଣେ ବ୍ୟବସାୟୀ । ବ୍ୟବସାୟରୁ ସେ ଯଥେଷ୍ଟ ଜମିବାଡ଼ି କରି ନେଇଛନ୍ତି । ବିସ୍ତୀର୍ଣ୍ଣ ପକ୍‌କା ଘର, ଘର ତଳସବୁ ମାଟିରେ ଲିପା । ତାଙ୍କର ବୈଠକ ଘରର ତଳ ଚୂନ ପଲସ୍ତରା-। ଘର ସବୁ ପରିଷ୍କାର ପରିଚ୍ଛନ୍ନ । ଧନିକ ଆବର୍ଜ୍ଜନା ଦେଖିଲେ ଧୈର୍ଯ୍ୟଚ୍ୟୁତ ହୁଅନ୍ତି-। ତାଙ୍କର ଗୋଠେ ଗାଈ ଓ ଗୋଠେ ମହିଷୀ ଥାନ୍ତି । ପ୍ରତିଦିନ ସକଳେ ୨୫/୩୦ ସେର ଦୁଧ ଦୁଇଟି ପରିଷ୍କାର ପିତ୍ତଳ ଗରାରେ ଆସେ । ଗାଈଦୁଧ ଓ ମହିଷୀଦୁଧ ଅଲଗା ଅଲଗା ଥାଏ, ଅଲଗା ସିଦ୍ଧ ହୁଏ । ବ୍ୟବସାୟରୁ ଖର୍ଚ୍ଚ ଯାଇ ମାସକୁ ଅନ୍ତତଃ ଟ୩୦୦ଙ୍କା ଆସେ । ଦିଓଟି ଲୁହା ସେଫରେ ଟଙ୍କା ପୂର୍ଣ୍ଣ ଥାଏ । କାଗଜର ନୋଟ୍‍କୁ ମାଲିକ ବିଶ୍ଵାସ ନ କରି କହନ୍ତି, ଆରେ ବାପା ରାଜୁତି ପରିବର୍ତ୍ତନ ହେଲେ ଟଙ୍କାର ରୂପା ସବୁ ହେଲେ ମିଳିଯିବ, କିନ୍ତୁ କାଗଜଗୁଡ଼ାକ କଅଣ ହେବ-? ଦେବା ବିଷୟରେ ସେ ମୁକ୍ତହସ୍ତ । ବ୍ରାହ୍ମଣ, ବୈଷ୍ଣବ, ପଣ୍ଡିତ ଓ ଅପାରଗ କେହି ଖାଲି ହାତରେ ତାଙ୍କ ଦୁଆରୁ ଫେରନ୍ତି ନାହିଁ । ତାଙ୍କର ଧାରଣା ସେ ଯଦି ଏ ଜନ୍ମରେ ସାଧୁସଙ୍ଗ କରନ୍ତି, ଲୋକଙ୍କର ଉପକାର କରନ୍ତି ଓ ଭୋଜନରେ ସମସ୍ତଙ୍କୁ ପରିତୃପ୍ତ କରନ୍ତି, ତେବେ ଅନ୍ୟ ଜନ୍ମରେ ଫଳ ପାଇ ପାରିବେ । ଅତିଥି, ସାଧୁ, ବାବୁଭାୟାମାନଙ୍କୁ ଖୁଆଇବାକୁ ସବୁବେଳେ ସୁଖ ମଣୁଥିଲେ-। ନିଜେ ସଫାସୁତୁରା, ଶୁଚି, ପବିତ୍ର ରହିବା ତାଙ୍କର ସ୍ଵଭାବ ଥିଲା । ଯେତେ ଥର ପାନ ଖାଇବେ, ପ୍ରତି ଥର ହାତ ଧୋଇବେ । ପରିସ୍ରା କଲାବେଳେ ପାଣି ନେଇ ପ୍ରସ୍ରାବ କରିବାକୁ ଯିବେ-। ଅତିଥି ସଙ୍ଗେ ବସି କଥାବାର୍ତ୍ତା କରି ଭୋଜନ କରାଇବେ । ସରୁ ସୁଗନ୍ଧଯୁକ୍ତ ଆତପ ତଣ୍ଡୁଳର ଭାତ-। ଗୋଟେ ଗୋଟା ହୋଇ ଝାଡ଼ି ହେଉଥିବ । ନିଜ ଚାଷଲବ୍‍ଧ ଗହମ, ଘର ଯନ୍ତାରେ ପେଷା ହୋଇଥିବା ଅଟା । ଘରେ ପ୍ରସ୍ତୁତ ହୋଇଥିବା ଦାନାଦାର ଗବ୍ୟଘୃତ, ଚୋପା ଛଡ଼ା ମୁଗ ଡାଲି-। ଭଜା ହେବା ପରେ ଚୋପା ଛଡ଼ା ଯାଇ ସୁନା ପରି ଦିଶୁଥିବ । ଉତ୍କୃଷ୍ଟ ପରିବାଯୁକ୍ତ ମହିଆମ୍ବିଳ-। ସେଥିରେ ମେଥି ବଘରା ଯାଇଥିବ । ବାଡ଼ିରୁ ଅଣା ଯାଇଥିବା ସଦ୍ୟ ପନିପରିବା-। ଘୃତସିଦ୍ଧ, କେବଳ ଜୀରା ଓ ଲଙ୍କା ମସଲାଯୁକ୍ତ ତରକାରୀ । ପରିଷ୍କାର ପରିଚ୍ଛନ୍ନ ରୁପା ପରି ଚକ୍‍ଚକ୍‍ କରୁଥିବା ବସନରେ ପ୍ରସ୍ତୁତ ଖାଦ୍ୟ । ଦେବଦୁର୍ଲ୍ଲଭ, ଦେବ ଲୋଭନୀୟ ଏ ଖାଦ୍ୟ ଆଜି କେତେ ଜଣ ଧନିକ ଭାଗ୍ୟରେ ଘଟେ । ଅଥଚ ଆଡ଼ମ୍ବର ନାହିଁ ଦେଖାଇ ହେବା ପାଇଁ କିଛି ନାହିଁ-। ମାଛମାଂସ ରୋଷେଇ ପାଇଁ ଭିନ୍ନ ବ୍ୟବସ୍ଥା, ଭିନ୍ନ ବାସନ, ଭିନ୍ନ ଚୁଲି, ଭିନ୍ନ ପାତ୍ର, । ମାଲିକ ନିଜେ ମାଂସାଶୀ, କିନ୍ତୁ ସେ ସବୁବେଳେ କହନ୍ତି, “ମାଛମାଂସ ଅମେଧ୍ୟ । ଆମ ପରି ପାପୀଙ୍କ ପାଇଁ ତହିଁର ବ୍ୟବସ୍ଥା” । କି ତପଶୂନ୍ୟ ମନୁଷ୍ୟ ସେ !

 

ପରିବେଷଣ ବିଷୟରେ ବହେରାଙ୍କର ତୀକ୍ଷ୍‍ଣ ଦୃଷ୍ଟି ଥାଏ । ପାଚକ ପରିବେଷକ ଏପରି ଟ୍ରେନିଂ ପାଇଥାଏ ଯେ ଅତିଥି ଭୁରିଭୋଜନ କରିବେ, କିନ୍ତୁ କାହାରି ପତ୍ରରେ କୌଣସି ଜିନିଷର ଅବଶେଷ ନା ଥିବ । ଆଜି ଭୋଜିଭାତର ବ୍ୟବସ୍ଥା ଦେଖିଲେ ମନେ ହୁଏ, ଭୋଜନର ଅବଶେଷ ମୂଲ୍ୟବାନ୍‍ ସୁଖାଦ୍ୟ ଏପରି ଅପବ୍ୟବହାର କରାଯାଉ ନ ଥିଲେ ଏବଂ ଜୀବନ ରକ୍ଷା ପାଇଁ ପରିମିତ ଖାଦ୍ୟ ଖାଇ ଖଇହାକୁଟି ପର୍ଯ୍ୟନ୍ତ ପାଉ ନ ଥିଲେ, ଆମର ଜାତୀୟ ଖାଦ୍ୟ ସମସ୍ୟାର ସମୁପଯୁକ୍ତ ସମାଧାନ ହୋଇ ପାରନ୍ତା । ଖୁଣ୍ଟିନାଣ୍ଟି ମାଲିକ ନିଜେ ରନ୍ଧନ ତଥା ପରିବେଷଣର ସମସ୍ତ ବ୍ୟବସ୍ଥା କରୁଥିଲେ ଏବଂ ତା’ର ଉଚିତ ତଦ୍‍ବିର କରୁଥିଲେ । ଗୋଟିଏ ଚାଉଳ ବା ଅନ୍ୟ କୌଣସି ଜିନିଷର ଅତି ସାମାନ୍ୟ ନଷ୍ଟ ସେ ସହି ପାରୁ ନ ଥିଲେ । ନିଜେ ‘ବଡ଼ି’ ତୟାରି କରାଇ ନୂତନ ମାଟିହାଣ୍ଡିରେ ସାଇତି ରଖାଉଥିଲେ । ସେଥିରେ ପରିମିତ ରାଶି, ଜୀରା, ଓ ସୈନ୍ଧବଲୁଣ ପଡ଼ୁଥିଲା । ତାଙ୍କର ନିଜ ପ୍ରସ୍ତୁତ ‘ବଡ଼ି’ ଓ ‘ଆଚାର’ ସମାନ ଜିନିଷ ଆଜି ସ୍ଵପ୍ନ ହେଲାଣି । ତାଙ୍କର ବଡ଼ିର ବିଶେଷତ୍ଵ ଏହା ଯେ ଦିଓଟି ଅଙ୍ଗୁଳିରେ ଯେତିକି ଭାଙ୍ଗିବାକୁ ଚାହିଁବ, ସେତିକି ଭାଙ୍ଗିପାରିବ । କିପରି ପାଗରେ ସେ ‘ବଡ଼ି’ ପ୍ରସ୍ତୁତ, ତାହା ଅନୁମେୟ । ଘୃତପକ୍ଵ ହେଲେ ସେ ‘ବଡ଼ି’ ଠାରୁ ଆଉ ଉପାଦେୟ ଓ ସୁରୁଚି ଜିନିଷର ବୋଧହୁଏ ଏପର୍ଯନ୍ତ ଆବିଷ୍କାର ହୋଇ ନାହିଁ-। କାହାକୁ ଆଦର କରି ଜଳଖିଆ ଦେବାର ହେଲେ ୧୫ ମିନିଟ୍‍ ମଧ୍ୟରେ ଘୃତ ପରିପକ୍ଵ ହାଲୁଆ ବା ଶାଲଉଖୁଡ଼ା ଏବଂ ଅଧ ସେରରୁ ଅଧିକ ସିଦ୍ଧ ଦୁଧ ଦିଆଯାଏ । ମିଠାରେ ମୁହଁ ବନ୍ଦ ନ ହେବାରୁ ଏବଂ ଯଥେଷ୍ଟ ଖାଇ ପରିବାକୁ ଓ ବାରମ୍ବାର ଜିହ୍ୱାର ମଧୁରତା ଅପସାରଣ କରିବାକୁ ତଟକା ଲେମ୍ବୁ ବା ଆମ୍ବ ଆଚାରର ବ୍ୟବସ୍ଥା ଥାଏ । ଏ ଅବସ୍ଥାରେ ଅତିଥି ଯଦି ଜଳଯୋଗରେ ପେଟ ପୂର୍ଣ୍ଣ କରି ଦୁଧତକ ପିଇ ଦିଅନ୍ତି, ତେବେ ଆମେ ଗ୍ୟାରେଣ୍ଟି ଦେଇ କହିପାରିବୁ, ୨୪ ଘଣ୍ଟା ମଧ୍ୟରେ ଆଉ ସେ କିଛି ଖାଇ ପାରିବେ ନାହିଁ । ମଳିକଙ୍କଠାରେ ଚା’ର ଆଦର ନ ଥାଏ । ସେ ଚା’କୁ କୁଲିର ରକ୍ତ ବୋଲି କହନ୍ତି । ଥରେ ଜଣେ ରାୟବାହାଦୁର ଏବଂ ଜଣେ ରାୟସାହେବ ଅସମୟରେ ତାଙ୍କର ଅତିଥି ହେଲେ । ଅପରାହ୍ନ ୪ଟା ବେଳେ ବୈଠକଖାନାରେ ବସିଯିବାର ୧୫ ମିନିଟ୍‍ ମଧ୍ୟରେ ଜଳଯୋଗର ବ୍ୟବସ୍ଥା ହେଲା । ରାୟସାହେବ କହିଲେ, “ଚା’ର କିଛି ବ୍ୟବସ୍ଥା କଳା ନାହିଁ-।” ଚା’ର ନାମ ଧରିବା ମାତ୍ରେ ମାଲିକ କହିଲେ, କୁଲିର ରକ୍ତ ପରିବର୍ତ୍ତରେ ରାତ୍ରକୁ ଆପଣମାନଙ୍କୁ ଯଥେଷ୍ଟ ରକ୍ତ ଖାଦ୍ୟ ଦେଇ ପାରିବି । ‘ଇଛେନ୍ କା ମାପ୍ କରୁନ୍’ ।

ଖାଦ୍ୟ ଢପ ଦେଶକୁ ଛାରଖାର କଲାଣି । ଜନ୍ମ ହେବାବେଳେ ମନୁଷ୍ୟ ନଗ୍ନ, ନିରାଡ଼ମ୍ବର ଓ ଅସହାୟ ଥାଏ । କ୍ରମେ ପାରି ଉଠିଲେ ଆଶ୍ଚର୍ଯ୍ୟର କଥା ସେ ସ୍ଵାବଲମ୍ବୀ ହୁଏ ନାହିଁ-। ପରାଙ୍ଗପୁଷ୍ଟ ହୋଇପଡ଼େ । ବଞ୍ଚିବାକୁ ସିନା ଖାଇବ, କିନ୍ତୁ ଖାଇବାକୁ ବଞ୍ଚିବା ଅପେକ୍ଷା ମରଣ ଶ୍ରେୟସ୍କର । ଖାଦ୍ୟର ଯୋଗାଡ଼ ଭଗବାନ କରନ୍ତି ଓ କରି ରଖିଛନ୍ତି । ଢପ ଅଭାବ ସୃଷ୍ଟି କରେ-। ଅଭାବରେ ମନୁଷ୍ୟର ସ୍ଵଭାବ ବଦଳୁଛି ଓ ବିଗିଡ଼ି ଯାଉଛି । ସ୍ଵଭାବ ବିଗିଡ଼ି ଯାଉଥିବାରୁ ଆମେ ଅଖାଦ୍ୟ ଓ ସୁଖାଦ୍ୟର ପ୍ରଭେଦ ଲକ୍ଷ୍ୟ କରି ପାରୁ ନାହୁଁ । ତେଣୁ ଗୋଦୁଗ୍‍ଧ ଛାଡ଼ି ଶୁଣ୍ଢୀଭାଟିକୁ ଧାବମାନ ହେଉ । ଶୁଣ୍ଢୀଭାଟି କହିଲେ, ଖାଲି ମଦ୍ୟର କାରବାରସ୍ଥଳୀ ବୋଲି ବୁଝିଲେ ହେବ ନାହିଁ-। ଯେଉଁ ଖାଦ୍ୟ ଦେହ ପୃଷ୍ଟିକାରକ ହେଲେ ମଧ୍ୟ ଉତ୍ତେଜକ, ତାହା ଖାଦ୍ୟ ନୁହେଁ । ଯେଉଁଠାରେ ଏ ଖାଦ୍ୟର ପ୍ରଚଳନ, ତାହାହିଁ ଶୁଣ୍ଢୀଭାଟି । ଆଜି ଖାଦ୍ୟର ପ୍ରତ୍ୟେକ ଦୋକାନ ଗୋଟିଏ ଗୋଟିଏ ଶୁଣ୍ଢୀଭାଟି ମାତ୍ର । ଲୋକଙ୍କୁ ଲୋଭାଇ ଅଖାଦ୍ୟ ଖୁଆଯାଉଛି । ନିଜ ପ୍ରସ୍ତୁତ ଖାଦ୍ୟ ନିଜର ରୁଚି ଅନୁଯାୟୀ ହୁଏ । ଜାତିଭେଦ ଏଦିଗରେ ଖାଦ୍ୟର ରୁଚି ଓ ପବିତ୍ରତା ରକ୍ଷା କରିଥିଲା-। ଜାତିଭେଦ ଯାଇଛି, ସଙ୍ଗେ ସଙ୍ଗେ ଖାଦ୍ୟର ରୁଚି ପବିତ୍ରତା ମଧ୍ୟ ଯାଇଛି । ତେଣୁ ଆଜି ସମସ୍ତଙ୍କର ଖାଦ୍ୟରେ ଢପ ବଢ଼ିଯାଇଛି । ଜାତିଭେଦ ନ ରଖି ଖାଦ୍ୟର ଶୁଚି ପବିତ୍ରତା ରଖିବାକୁ ହେବ ।

ଶ୍ରମିକ ଓ ମଧ୍ୟବିତ୍ତର ଖାଦ୍ୟ ବିଳାସ ନ ଥିଲା, ତାହା ନୁହେଁ । ମନୁଷ୍ୟମାତ୍ରେ କେବଳ ଖାଦ୍ୟରେ କାହିଁକି ଜୀବନର ସବୁ କଥା ଓ କାର୍ଯ୍ୟରେ ଗତାନୁଗତିକ ରୀତିର ପରିବର୍ତ୍ତନ ଚାହେଁ । କିନ୍ତୁ ଏ ପରିବର୍ତ୍ତନ ନିର୍ଦ୍ଦୋଷ ହେବା ଚାହି । ବର୍ଣ୍ଣିତ ସମୟରେ ଶ୍ରମିକ ଓ ମଧ୍ୟବିତ୍ତ ଖର୍ଚ୍ଚ ନ ବଢ଼ାଇ ଆଡ଼ମ୍ବର ନ ବଢ଼ାଇ ଖାଦ୍ୟରେ ବିଳାସ ଉପଭୋଗ କରୁଥିଲେ । ଏ ଅଧ୍ୟାୟରେ ତାହା ହିଁ ଦେଖାଇବାକୁ ଚେଷ୍ଟା କରିବୁ । ଜଣେ ଶ୍ରମିକ ତାର ସେ ସମୟର ଆୟରେ ମଧ୍ୟ କିପରି ସଞ୍ଚୟଶୀଳ ହୋଇ ପାରିଥିଲେ, ତାହା ଆଲୋଚନା କରି ଦେଖାଇଦେବୁଁ । ଆଡ଼ମ୍ବର ଅଭାବ ସୃଷ୍ଟି କରେ । ନିରାଡ଼ମ୍ବର ଜୀବନରେ ଅଭାବର ମାତ୍ରା ଏତେ କମ୍‍ ଯେ ମନୁଷ୍ୟର ଅଭାବ ରହେ ନାହିଁ । କଥିତ ଶ୍ରମିକ କନ୍ଧଜାତୀୟ । ଅତିଶୟ ସାଧୁ ସ୍ଵଭାବ । ମାଲିକର ଜିନିଷ ଉପରେ କେବେ ଆଖି କରେ ନାହିଁ । କାହାକୁ ନିଜର ଜ୍ଞାନ କରି ତା’ର ଅପଚୟରେ ବାଧା ଦିଏ । ତିନି ଜଣ ଚାକର ଉପରେ ସେ । ତିନି ଜଣଙ୍କୁ ଖଟାଇ ନିଜେ ଖାଟେ । ରାତ୍ରିରେ ଖାଇ ସାରିବା ପରେ ସେ ଯାଇ ସାହୁକାରର ପାଦରେ ଓ ଦେହରେ ତେଲ ମର୍ଦ୍ଦନ କଲାବେଳେ ଆର ଦିନ କି କାମ କରିବାକୁ ହେବ, ବୁଝିନିଏ । କାର୍ଯ୍ୟକ୍ଷେତ୍ରରେ ସାହୁକାର ଥାଆନ୍ତୁ ନ ଥାନ୍ତୁ, କାମସବୁ ହାସଲ କରିନିଏ । ସେତେବେଳେ ଚଷାକୁ ସାହୁକାର ଏବଂ ଶ୍ରମିକକୁ ଗୁତି କହୁଥିଲେ । ଶ୍ରମିକନେତାକୁ ଖମାରି କହୁଥିଲେ । ଖମାରି ଅନ୍ୟ ଶ୍ରମିକଠାରୁ ବାର୍ଷିକ ୪/୬ ଖଣ୍ଡି ଧାନ ଅଧିକ ମଜୁରି ପାଉଥିଲା । ତା’ ବାହାରେ ଅନ୍ୟପ୍ରକାରେ ମଧ୍ୟ ଆଉ ୪/୬ ଖଣ୍ଡି ଧାନ ଓ ଅନ୍ୟ ଜିନିଷ ସବୁ ଭାଗ ହେଉଥିବାବେଳେ ଅନ୍ୟ ଶ୍ରମିକଠାରୁ କିଛି ବେଶି ପାଉଥିଲା । ବୁଣିବାବେଳେ ମଧ୍ୟ ଅନ୍ୟ ଶ୍ରମିକ ପାଇଁ ଯେତେ ଧାନ ବୁଣି ଦିଆଯାଏ ସେଥିରେ ୫/୧୦ ତାମ୍ବି ଧାନ ବେଶୀ ଖମାରି ପାଇଁ ବୁଣା ଯାଉଥିଲା । ଏହିପରି ଭାବେ ସେ ୨୦ ଖଣ୍ଡି ଧାନ ଜମା କରିଥିଲା । ସାହୁକାର ଧାନ ବିକିଲାବେଳେ ସେ ନିଜେ ବଳକା ଧାନ ତକ ବିକି ଟ୫ଙ୍କା ପାଇଁ ଖର୍ଚ୍ଚ ହୋଇଯିବା ଭୟରେ ପଟେ ବାଛୁରୀ କିଣିଲା । ଆର ବର୍ଷ ବାଛୁରୀ ଛୁଆ ଦେଲା । ଦୈନିକ ୨ ସେର ଦୁଧ ଦୁହିଁଲା । ସେଥିରେ ୧ ସେର ଚଷାକୁ ଦେଇ ମାସିକ ଟ୨ଙ୍କା କରିନିଏ । ଚାରି ବର୍ଷ ଶେଷରେ ଦେଖାଗଲା, ଶ୍ରମିକର ୪ ପଟ ଗୋରୁ ମଧ୍ୟରୁ ୨ଟି ଚାଷ ବଳଦ ଓ ପଟେ ବାଛୁରୀ ତାର ଅଗଣାରେ ଉକ୍ତ ଗାଈ ସଙ୍ଗେ ବନ୍ଧା ଯାଉଥାନ୍ତି । ତାର ବାଡ଼ିରେ ଗୋବର ଖତ ପ୍ରାୟ ୧୦ ଗାଡ଼ି ରହିଛି । ଖର୍ଚ୍ଚ ଯାଇ ସାହୁକାରଠାରେ ନଗଦ ଟ୫୦ଙ୍କା ଜମା ଅଛି । ଗୋରୁ ଯେ ଭାରତର ଧାତ୍ରୀ, ଏହା ତାର ଖମାରି ଜୀବନରେ ପ୍ରମାଣିତ । ସେହି ଟ ୫୦ଙ୍କାରେ ୪ ଏକର ଜମି ବନ୍ଧା ନେଇ ସେହି ଦଶ ଗାଡ଼ି ଖତ ସେଥିରେ ପକାଇଲା । ସାହୁକାରଙ୍କୁ କହିଲା ସେ ଆଉ ବୁଣା ନେବ ନାହିଁ । ତାହାର ହଳଟି ସାହୁକାର ନିଜ ହଳ ସଙ୍ଗେ ମିଶାନ୍ତୁ ଏବଂ ତା’ର ଏ ୪ ଏକର ଜମିକୁ ଚାଷ କରି ଦିଅନ୍ତୁ । ସାହୁକାର ଆଗ୍ରହ ସହକାରେ ତା’ର ପ୍ରସ୍ତାବ ଗ୍ରହଣ କଲେ । ସେ ପୂର୍ବପରି ଖମାରି କାମ କରି ସବୁ ଜମି ଚାଷ କଲା । ତା’ର ନିଜ କ୍ଷେତରେ ୮୦ ମହଣ ଧାନ ଉପୁଜନ କରି ନେଲା । ସେଥିରେ ୫୦ ମହଣ ଧାନ ବିକ୍ରି କରି ଟ ୧୦୦ଙ୍କା ଦେଇ ସେହି ବନ୍ଧାଜମି କିଣି ନେଲା । ଜମି କିଣିବା ପରେ ସେ ସାହୁକାରଠାରୁ ଅବ୍ୟାହତି ନେଇ ଆଉ ଏକ ଏକର ଆଟଜମି ଟ ୧୫ଙ୍କାରେ କିଣି ନେଲା ଓ କ୍ରମାଗତ ୪ ମାସ କାମ କରି ପଛେ କିଣିଥିବା ଆଟ ଜମିକୁ ଧାନ ଜମି କରିନେଲା । ସେତେବେଳେ ତାର ୨ଟି ବଳଦ ଗ୍ରାମ ମଧ୍ୟରେ ସାର ଥିଲେ ଓ ସେ ଗୋଟିଏ ହଳରେ ଉକ୍ତ ୫ ଏକର ଜମି ଚାଷ କରି ୧୫୦ ମହଣ ଧାନ ଅଦାୟ କରେ । ଏହି ୫ ଏକର ଜମି ପାଇଁ ସେ ମାତ୍ର ଚାରି ଅଣା ରାଜସ୍ଵ ଦିଏ । ସାହୁକାରର କାମ ଛାଡ଼ିଲେ ମଧ୍ୟ ସାହୁକାର ଅନୁଗ୍ରହରୁ ସେ ମନୁଷ୍ୟ ହୋଇଥିବାର ସ୍ମରଣ କରି କାମ ନ ଥିବା ବେଳେ ସ୍ଵତଃ ପ୍ରଣୋଦିତ ହୋଇ ମାଗଣାରେ ସାହୁକାରର ଅନେକ କାମ କରିଦିଏ । ଅନ୍ୟ ଶ୍ରମିକମାନଙ୍କ କାମଧାର ପରଖି ନିଏ ଏବଂ ନିତ୍ୟପ୍ରତି ଯାଇ ମାଗଣାରେ ସାହୁକାରର ପାଦରେ ତେଲ ମର୍ଦ୍ଦନ କରିନିଏ । କିଛି ନେବାକୁ କହିଲେ କହେ, ଦରକାର ପଡ଼ିଲେ ମାଗି ନେବି ଯେ । ସେଟା ମୋର ହୋଇ ଏ ଘରେ ଥାଉ । ସାହୁକାରପତ୍ନୀ ଶ୍ରମିକପତ୍ନୀକୁ ବଳାଇ ବର୍ଷକୁ ଖଣ୍ଡିଏ ଶାଢ଼ି ବଢ଼ାଇ ଦିଅନ୍ତି । ସାହୁକାରର କାମ ଛାଡ଼ିବାର ୧୦ ବର୍ଷ ପରେ ଶ୍ରମିକର ପୁଅର ବିବାହ ହୁଏ । ଏ ବିବାହ ପରେ ମଧ୍ୟ ଶ୍ରମିକର ଅବସ୍ଥା ସ୍ଵଚ୍ଛଳ ରହିଥିଲା । ସେତେବେଳେ ତାର ଦୁଇ ହଳ ଚାଷଜମି ପ୍ରାୟ ୯ ଏକର । ଗ୍ରାମରେ ତାର ଘର ବିଶିଷ୍ଟ ଘର ମଧ୍ୟରେ ଗଣ୍ୟ । ଘରେ ସବୁ ଖର୍ଚ୍ଚ ଯାଇ ରହିଛି ଧାନ ପ୍ରାୟ ୧୫୦ ମହଣ-। ସେତେବେଳେ ତାର ଗୁହାଳରେ ୧୦ ପଟ ଗୋରୁ । ଦୈବାତ୍ ତାର ମୃତ୍ୟୁ ହୁଏ-। ପୁଅ ବିବାହବେଳେ ମଦ ନିଶା ଚାଖି ବିବାହ ଦିନରୁ ମଦ ଧରିଥିଲା । ୫ ବର୍ଷ ମଧ୍ୟରେ ସବୁ ବରବାଦ କରିଦେବାରୁ ‘ପୁନର୍ମୁଷିକୋଭବ’ ଅଭିଶାପ ତା’ଉପରେ ପଡ଼ିଲା । ସେ ଘରଦ୍ଵାର ବିକି ଚାହା ବାଗାନ୍‍କୁ ଗଲା । ଆଉ ସେଠାରେ ଦିଗ୍‍ବଳୟରେ ମିଶିଗଲା । ଆଉ ତା’ର ଖୋଜଖବର ନାହିଁ-

ସେହି କନ୍ଧ ଖମାରିର ଖାଦ୍ୟରେ ବିଳାସ ଓ ମଧ୍ୟବିତ୍ତର ଖାଦ୍ୟରେ ବିଳାସ ମଧ୍ୟରେ କୌଣସି ପାର୍ଥକ୍ୟ ନ ଥିଲା । ଶ୍ରମିକ କେବଳ ଦୁଧ ପାଏ ନାହିଁ ଯଦି ତାର ଗୋରୁ ବା ଛେଳି ଥାନ୍ତି । କିନ୍ତୁ ସେସମୟରେ ଅଧିକାଂଶ ଶ୍ରମିକ ପଟେ ପଟେ ଗାଈ ଓ ୪/୬ଟି ଛେଳି ରଖୁଥିଲେ । ଅବଶ୍ୟ ଛେଳିର ଦୁଧ କେହି କ୍ଵଚିତ ବ୍ୟବହାର କରୁଥିଲେ । ଗ୍ରାମରେ କୌଣସି ଛୁଆ ଜନ୍ମ ହେଲେ ଆଜିପର୍ଯ୍ୟନ୍ତ ରୀତି ରହିଛି ଯେ ଛୁଆର ବାପ ୨/୩ ଥର ଯେ କାହାରି ଦୁହାଁଳ ଗାଇକୁ ଦୁହିଁ ଦୁଧ ନେଇ ପାରିବ । ଗାଈର ମାଲିକ ତାହା ସୌଭାଗ୍ୟର ସୂଚନା ବୋଲି ମନେ କରନ୍ତି । ଯାହାହେଉ ଦୁଧକୁ ବାଦ୍‍ ଦେଇ ମଧ୍ୟ ଶ୍ରମିକ ଓ ମଧ୍ୟବିତ୍ତ କିପରି ଖାଦ୍ୟ ପ୍ରସ୍ତୁତ କରି ଖାଦ୍ୟରେ ବିଳାସ ଲାଭ କରୁଥିଲେ, ତାହା ବର୍ଣ୍ଣନା କରିବା ଆବଶ୍ୟକ । ଖୁବରେ କେତୋଟି ମହୁଲ ବାଟି, କୁଣ୍ଡା ଓ ମଣ୍ଡ ସଙ୍ଗେ ମିଶାଇ ଶ୍ରମିକପତ୍ନୀ ପ୍ରତିଦିନ ପିଠା ପ୍ରସ୍ତୁତ କରୁଥିଲେ । ମଧ୍ୟବିତ୍ତ ମହୁଲ ନ ପକାଇ ଗୁଡ଼ ବ୍ୟବହାର କରୁଥିଲା । ମହୁଲ ବା ଗୁଡ଼ କିଏ ବେଶୀ ସାରଯୁକ୍ତ ତାହା କହି ପାରୁନାହୁଁ-। ମହୁଲ ଓ ଗୁଡ଼ରେ ଗନ୍ଧ ଥାଏ ।

 

ଶ୍ରମିକ କାହିଁକି ସେ ସମୟରେ ମଧ୍ୟବିତ୍ତ ମଧ୍ୟ ମହୁଲ ବ୍ୟବହାର କରୁଥିବାରୁ ମହୁଲ ମଧ୍ୟ ଉଭୟଙ୍କ ପକ୍ଷରେ ରୁଚିକର ଥିଲା । ଖୁଦ ଓ କୁଣ୍ଡା ମଧ୍ୟବିତ୍ତ ମଧ୍ୟ ବ୍ୟବହାର କରୁଥିଲା-। ସେଥିରେ ଧାନର ବୀଜଦଳ ଥିବାର ସମସ୍ତେ ଜାଣିଥିଲେ । ପରିମାଣ ଅଳ୍ପ ହେଲେ ମଧ୍ୟ ଶ୍ରମିକ ଚଷାଠାରୁ ମୃଗ ବିରି ଆଦି କିଛି କିଛି ପାଉଥିଲା ।

 

ଏପରି ଦେଖାଯାଇଛି ଯେ ଶ୍ରମିକ ପାଇଁ ଚଷା ତାମ୍ବିଏ ମୁଗ ଓ ତାମ୍ବିଏ ବିରି ବୁଣି ଦିଏ ଓ ଶ୍ରମିକ ପ୍ରାୟ କୋଡ଼ିଏ ତାମ୍ବି ଲେଖାଏଁ ବିରି ଓ ମୁଗ ଆଦାୟ କରିନିଏ । ଏହି ମୁଗ ବିରି ଶ୍ରମିକର ଖାଦ୍ୟରେ ବିଳାସର ସୁବିଧା କରିନିଏ-। ସେ ସମୟରେ ଶ୍ରମିକ ଓ ମଧ୍ୟବିତ୍ତ ଅଧିକ ଖର୍ଚ୍ଚ ନ କରି କିପରି ବିଳାସ ଉପଭୋଗ କରୁଥିଲେ ତାହା ନିମ୍ନ ବର୍ଣ୍ଣନାରୁ ଜଣାଯିବ ।

 

୧. ଫଫୋ ପିଠା–

 

ବାଷ୍ପରେ ଏହା ପ୍ରସ୍ତୁତ ହେଉଥିବାରୁ (ବାଷ୍ପ କହି ନ ଜାଣି) ଏହାକୁ ଫଫୋ କୁହା ଯାଉଥିଲା । ଚାଉଳ ଅଧ ସେର ମୁଗ ବା ବିରିର ଭଜା ଡାଲି ଅଧ ପା ସଙ୍ଗେ ପାଣିରେ ବତୁରାଇ ଏବଂ ମହୁଲ ୧ଛଟାଙ୍କି ପକାଇ ସବୁ ବଟାଯାଏ । ଗୁଡ଼ ଥିଲେ ମହୁଲ ନ ପକାଇ ବଟିବା ପରେ ସେଥିରେ ୧ ଛଟାଙ୍କି ଗୁଡ଼ ଦିଆଯାଏ । ଅଧ ତୋଳା ଲୁଣ ପକାଇ ପିଠଉକୁ ଫେଣ୍ଟି ଦିଆଯାଏ ।

 

ହାଣ୍ଡିରେ ଅଧ ହାଣ୍ଡିଏ ପାଣି ଦେଇ ତାକୁ ଗରମ କରାଯାଏ । ବାଷ୍ପକୁ ଧରି ରଖିବାକୁ ହାଣ୍ଡି ମୁହଁରେ ଖଣ୍ଡିଏ ସଫା କପଡ଼ା ବାନ୍ଧି ଦିଆଯାଏ । ସେଥିରେ ଫେଣ୍ଟା ଯାଇଥିବା ପିଠଉ ରଖି ତା’ଉପରେ ଥାଳୀ ବା ତେଲାଣୀ (ମାଟିର ଢାଙ୍କୁଣି) ଡାବି ଦିଆଯାଏ । ଅଧ ଘଣ୍ଟା ପରେ ବାଷ୍ପରେ ପିଠା ପ୍ରସ୍ତୁତ ହୋଇଥାଏ । ଏହି ପିଠା ରୁଚିକର ଓ ପୁଷ୍ଟିକର ଏବଂ ସହଜରେ ଜୀର୍ଣ୍ଣ ହୁଏ । ହାୟ ଫଫୋ, ତମର ଆଜି ସମାଧି ହୋଇଛି ଓ ସଙ୍ଗେ ସଙ୍ଗେ ଜାତିର ସରଳତାର ସମାଧି ଘଟିଛି ।

 

୨. ପତ୍ର ଫଫୋ ପିଠା–

 

ଚାଉଳ ଅଧ ସେର ବତୁରାଇ ଅଧ ସେର ମାଖନ (କୁମୁଡ଼ା) ସିଝାଇ ଉଭୟକୁ ବଟାଯିବା । କେହି କେହି ପାଚିଲା ତାଳର ମଣ୍ଡ ବଟା ଚାଉଳରେ ମିଶାନ୍ତି । ଶାଳପତ୍ର ଗୋଟିକର ଫାଳେରେ ପିଠଉ ଦେଇ ଆର ଫାଳ ମୋଡ଼ି ଦିଅନ୍ତି । ପିଠଉ ପାଣିଆ ନ ହୋଇ ବହଳ ହୋଇଥିବ-। ଫଫୋ ପିଠା ପରି ଏହା ସିଦ୍ଧ ହୋଇ ବଡ଼ ରୁଚିକର ହୁଏ । ଫଫୋ ବର୍ତ୍ତମାନ ବାଷ୍ପ ଆକାରରେ ଉଡ଼ିଯାଇଛି ଓ ସଙ୍ଗେ ସଙ୍ଗେ ଜାତିର ସରଳତା ମଧ୍ୟ ଉଭେଇ ଯାଇଛି ।

 

୩. ପତ୍ରପୁଡ଼ା ପିଠା–

 

ଉଷୁନା ଚାଉଳ ବାଟି ତହିଁରେ ଲୁଣ ଦିଆଯାଏ । ଗୋଟିଏ ପତ୍ରରେ ରଖି ଆଉ ଗୋଟିଏ ପତ୍ର ଢାଙ୍କି ଦିଆଯାଏ ଓ ଖଡ଼ିକାରେ ପତ୍ରଗୁଡ଼ାକ ସିଲାଇ ହୁଏ । ଅଙ୍ଗାର ମିଶ୍ରିତ ଗରମ ଖାର ଉପରେ ଅଙ୍ଗାର ଦିଆଯାଏ, କିଛି ସମୟ ପରେ ପିଠା ପ୍ରସ୍ତୁତ ହୁଏ । ଏହା ଛୁଆ ଏବଂ ବୁଢ଼ାବୁଢ଼ୀଙ୍କ ପକ୍ଷେ ଲଘୁ ପାକ ବୋଲି ଭାରି ଆଦର ପାଏ ଏବଂ ରୁଗ୍‍ଣ ପକ୍ଷରେ ଏହା ପଥ୍ୟ ବୋଲି ବ୍ୟବହୃତ ହୁଏ । ପତ୍ରପୁଡ଼ା ଏବେ ଯାଇ ଜାତିର ସରଳତାକୁ ପୋଡ଼ି ଖାର କରିଛି ।

 

୪. ଚକୁଳି–

ଏହା ଏପର୍ଯ୍ୟନ୍ତ ସବୁଆଡ଼େ ପ୍ରଚଳିତ । ସରୁ ଚକୁଳି ଏବେ ମଧ୍ୟ ସମସ୍ତଙ୍କର ଆଦରର ଜିନିଷ । ହାୟ, ଚକୁଳି ତ ଯାଇଛି ଆଜି ଆମେ ଖାଲି ବିନ୍ଦୁ ଗଣି ବିନ୍ଦୁ ବିନ୍ଦୁ ଜୀବନ ଗଡ଼ାଉଛୁଁ ।

 

୫. ଚିତାଉ–

 

ପ୍ରସ୍ତୁତ ପ୍ରଣାଳୀ ଅତି ସରଳ । ଅରୁଆ ଚାଉଳ ଚିକ୍‍କଣ କରି ବାଟି ସେଥିରେ କିଛି କ୍ଷୀର ଦିଆଯାଏ । ଚଉକୁନି ବା ଦନା (ଦିଓଟି ଶାଳପତ୍ର ତାଟିଆ) ରେ ତାହା ରଖି ଅଙ୍ଗାର ଉପରେ ୧୦/୧୫ ମିନିଟ୍‍ ରଖିଲେ ତାହା ପ୍ରସ୍ତୁତ ହୋଇଯାଏ । ଶିଶୁ ଓ ବୁଢ଼ାବୁଢ଼ୀଙ୍କ ପକ୍ଷେ ଏହା ଅତି ଉପକାରୀ ଚିତାଉ ଯାଇ ବର୍ତ୍ତମାନ ଜାତିର ସ୍ଵାସ୍ଥ୍ୟ ଚିତାରୋହଣ କରିଛି ।

 

୬. ମଣ୍ଡା–

 

ଚାଉଳଗୁଣ୍ଡ (ଚୂନା ) ହାଣ୍ଡିରେ ସିଦ୍ଧ କରି ମଝିରେ ପୂର ଦେଇ ଅଧପାଏରେ ଗୋଟିଏ ମଣ୍ଡା ପ୍ରସ୍ତୁତ ହୁଏ । ସିଦ୍ଧ କରିବାର ପାଗ ଠିକ୍‍ ହେଲେ ତାହା ଆଉ ସିଝାଇବାର ବା ଭାଜିବାର ଦରକାର ପଡ଼େ ନାହିଁ । ମଣ୍ଡା ନିଦା ଖାଦ୍ୟ । ପେଟ ଭରି ଖାଇଲେ ୨୪ ଘଣ୍ଟା ମଧ୍ୟରେ ଆଉ ଖାଇବାର ଆବଶ୍ୟକତା ହୁଏ ନାହିଁ । ମଣ୍ଡା ତମେ ଯାଇଛ, ମାତ୍ର ଯିବା ପୂର୍ବେ ଜାତିର ବୁଦ୍ଧିକୁ ମୁଣ୍ଡା କରି ଦେଇଛି ।

 

 

୭. ଚୁଡ଼ା–

 

ଚୁଡ଼ା ମରି ମରି ଏବେ ମଧ୍ୟ ବଞ୍ଚି ୩/୪ ଦିନ ଭାତ ନ ପାଇଲେ ମଧ୍ୟ ଦେହକୁ ବଞ୍ଚାଇ ରଖୁଛି । ୨୫ ବର୍ଷ ପୂର୍ବେ ମଧ୍ୟ ଚୁଡ଼ା, ଦହି ଓ ଗୁଡ଼ର ଏତେ ଆଦର ଥିଲା ଯେ ସ୍କୁଲର ବ୍ରାହ୍ମଣ ବାଳକମାନେ ଆଶ୍ଵିନ ମାସର ଶ୍ରାଦ୍ଧରେ ଚୁଡ଼ା ଦହି ଭୋଜନ ପାଇଁ ଉପସ୍ଥାନରେ ବିଳମ୍ବ କରିବାରୁ ଶିକ୍ଷକ ଆକ୍ଷେପ କରୁଥିଲେ, ତମେ ବ୍ରାହ୍ମଣ ପିଲାମାନେ ଚିପିଟକ ୟୁନିଭରସିଟିରେ ଏତେ ବ୍ୟସ୍ତ ହେଲେ ଆମର ଏ ସ୍କୁଲର ପାଠରେ ଭଲ କରିବ ନାହିଁ । ଏ ଚୁଡ଼ା, ଦହି ଓ ଗୁଡ଼ ସଙ୍ଗେ ଆଜିର ପୁରୀ, ପକୋଡ଼ି, ଚାହା ଏବଂ ରସଗୋଲା ମଧ୍ୟ ତୁଳନୀୟ କି ନା ତାହା ଗଭୀର ଭାବେ ଭାବିବାର ସମୟ ଆସିଛି ।

 

୮. ଖଇ ବା ଲିଆ–

 

ଗୁଡ଼, ଦୁଧ ସଙ୍ଗେ ମିଶାଇ ଖାଇଲେ ଭାତଠାରୁ ମଧ୍ୟ ତାହା ରୁଚିକର, ପୁଷ୍ଟିକର ହୁଏ । ଏହା ଅତି ହାଲୁକା ଖାଦ୍ୟ । ଲିଆ ଯାଇଛି ଓ ସଙ୍ଗେ ସଙ୍ଗେ ଜାତିର ସରଳତା ଓ ରୁଚି ଲିଆ ପରି ଉଡ଼ି ଗଲାଣି ।

 

୯. ମୁଢ଼ି–

 

ଏହାର ଅବଶେଷ ଏବେ ମଧ୍ୟ ସବୁଠାରେ ରହିଥିଲେ ହେଁ ଜାତି “ମୁଢ଼ିର ମହିମା ଅପାର“ ଗୀତ ଭୁଲିଛି । ଅନ୍ୟ ଖାଦ୍ୟ ବା ଅଖାଦ୍ୟ ମୁଢ଼ିର ମହିମା କ୍ଷୁର୍ଣ୍ଣ କରିଥିବାରୁ ଲୋକେ ବର୍ତ୍ତମାନ ମୁଢ଼ି ଖାଇ ନ ଜାଣି ରୋଗାକ୍ରାନ୍ତ ହେଉଛନ୍ତି । ମୁଢ଼ିର ପୂର୍ବେ ମହିମାକୁ ଯଦି ପୁନର୍ଜ୍ଜୀବିତ କରା ନ ଯାଏ, ତେବେ ମୁଢ଼ିକୁ ଲୋପ କରିଦେବା ଚାହି, ନ ହେଲେ ମୁଢ଼ି ତଣ୍ଟିରେ ଚାବୁଛି ।

୧୦. କନ୍ଦମୂଳ–

ଗ୍ରାମେ ଗ୍ରାମେ ଘରେ ଘରେ ଏହାର ଆଦର ଥିଲା, ଆଜି ଆଳୁ ତାହା କମାଇ ଦେଇଛି-। କନ୍ଦମୂଳ ଚାଷ ଆଜି ସହଜ । ଏବେ ମଧ୍ୟ ତାହା ଶସ୍ତା । ଶସ୍ତା ବୋଲି ଜାତି ତାକୁ ଅଗ୍ରାହ୍ୟ କରି ଲାଭ କରିଛି ଏକ ‘ବୃହତ୍ ଆଳୁ’ (ଶୂନ୍ୟ) ।

୧୧. ଗୁଲୁଜୀ ହାଲୁଆ– ଗୁଳୁଚି

ଆଗେ ବହୁଳ ଗୁଲୁଜୀ ଚାଷ କରାଯାଉଥିଲା । ଧାନ ବୁଣିବା ସମୟରେ ଏହା ବୁଣା ଯାଉଥିଲେ ମଧ୍ୟ ଫସଲ ଆଦାୟ ହୁଏ ଭାଦ୍ରବର ପ୍ରଥମ ଭାଗରେ । ଗୁଲୁଜୀ ଚାଷ ପରେ ସେ ଜମିରେ ଅନ୍ୟ ଫସଲ କରି ହୁଏ । ଗୁଲୁଜୀ ଚାଉଳର ହାଲୁଆ ଅତି ଉପାଦେୟ । ସୁଜି ବର୍ତ୍ତମାନ ଗୁଲୁଜୀର ସ୍ଥାନ ଅଧିକାର କରିଥିବାରୁ, ଗୁଲୁଜୀ ଜାତିକୁ କହିଲାଣି, “ଗୁରୁଜୀ ହାଲିଆ ହେଲିଣି, ମୁଁ ଆଉ ରହିବି ନାହିଁ ।”

୧୨. ସେଓ–

ଆଖୁରସ ସିଦ୍ଧ କରି ସେଥିରେ ପାଣିରେ ମେଦା ଚାଉଳ-ଚୂନା ଚଟୁରେ ଛାଣି ସେଓ ପ୍ରସ୍ତୁତ ହୁଏ । ତାହା ଭାରି ମିଠା ଓ ଲଘୁପାକ । କୋଷ୍ଠବଦ୍ଧତା ଦୂର କରେ । ବଜାରୀ ସେଓ ତାର ସ୍ଥାନ ଦାଖଲ କରିନେଲାଣି ।

 

ଉପରୋକ୍ତ ଖାଦ୍ୟମାନ ମଧ୍ୟରେ ଶ୍ରମିକର ଖାଦ୍ୟରେ ବିଳାସ ବୋଲି ଗଣ୍ୟ ହେଉଥିଲା-। ଏ ବିଳାସ ସର୍ବତୋଭାବେ ନିର୍ଦ୍ଦୋଷ ଥିଲା । ଅତି କମ୍‍ ଖର୍ଚ୍ଚରେ ଏ ବିଳାସସବୁ ସୁଲଭ୍ୟ ହେଉଥିଲା । ଅଥଚ ଏ ବିଳାସସବୁ ସ୍ଵାସ୍ଥ୍ୟ ସମ୍ମତ ଓ ଉପାଦେୟ ହେଉଥିଲା । ସେଥିରେ ଅତି ଭୋଜନର ଅନିଷ୍ଟକାରିତା ନ ଥିଲା । ପକ୍ଷାନ୍ତରେ ଅତି ଭୋଜନ କରି ବଳବୀର୍ଯ୍ୟ ଆଦାୟ କରି ନେଉଥିଲା । ଫଳରେ ସେତେବେଳେ ଜଣେ ଲୋକ ଯେତେ ଶାରୀରିକ ପରିଶ୍ରମ କରି ପାରୁଥିଲା ଆଜି ୩ ଜଣରେ ସେତିକି ପରିଶ୍ରମ କରିବା ସମ୍ଭବ ହେଉ ନାହିଁ । ଏପରି ଦେଖା ଯାଇଛି, ସେତେବେଳେ ଜଣେ ଜଣେ ଲୋକ ୫ ମହଣର ଦୁଇ ବସ୍ତା ଚାଉଳ ପିଠିରେ ୧ ଫର୍ଲଙ୍ଗ ଦୂରକୁ ବୋହି ନେଇ ପାରୁଥିଲେ, କିନ୍ତୁ ଆଜି ୨୪ ମହଣର ୧ ବସ୍ତା ଚାଉଳ ସେତିକି ଦୂର ନେବାକୁ ୨ ଜଣ ଲୋକ ଆବଶ୍ୟକ । ତଥାପି ଆଜି ଦେଶରେ ଶ୍ରମିକ ମହଲରେ କାହିଁକି ଅନ୍ୟ ଉଚ୍ଚ ମହଲରେ ମଧ୍ୟ ଧର୍ମଘଟ ଉପରେ ଧର୍ମଘଟ ଚାଲିଛି । ଶ୍ରମିକର ଦାବି, ପରିଶ୍ରମର ମାତ୍ରା କମାଇଦିଅ, ପାରିଶ୍ରମିକ ବଢ଼ାଅ, ନ ହେଲେ ଆମେ ତମକୁ ଅଚଳ କରିଦେବୁଁ । ବସ୍ତୁତଃ ତାର ଦାବି ଅନ୍ୟାଯ୍ୟ ବୋଲି କହି ହେଉନାହିଁ । ଅନ୍ୟ ପାଖ ଦେଖିଲେ, ବୁଝିଲେ ଜାଣି ପାରିବା ଶିଳ୍ପ-ବାଣିଜ୍ୟ-ଶ୍ରମିକ ଏହି ୫୦ ବର୍ଷ ମଧ୍ୟରେ ପାରିଶ୍ରମିକର ହାର ଅନ୍ୟୂନ ୪ ଗୁଣ ବର୍ଦ୍ଧିତ ଦରେ ପାଇ ମଧ୍ୟ ଖାଦ୍ୟ ଦିଗରେ ବେଳୁଁ ବେଳ ତାର ଅଧଃପତନ ଘଟୁଛି । କୃଷିଶ୍ରମିକର ପାରିଶ୍ରମିକର ହାର ଯଥା ପୂର୍ବ ତଥା ପର ରହିଛି । ଚଷା ବା ଶିଳ୍ପପତି ଏହାର ହାର ବଢ଼ାଇଲେ ଚଷା କାର୍ଯ୍ୟ ଅଚଳ ହେବ । ଦେଶର ବର୍ତ୍ତମାନ ଏ ସମସ୍ୟା ଅତି ଭୀଷଣ । ଖାଦ୍ୟରେ ପୂର୍ବ ସରଳତା ସମ୍ପୂର୍ଣ୍ଣ ପ୍ରତିଷ୍ଠା ନ କଲେ, ଜାତି ଓ ଦେଶ ଉଠି ପାରିବ ନାହିଁ, ମେରୁଦଣ୍ଡ ଭାଙ୍ଗି ପଡ଼ିବ ।

Image

 

(୬)

ଶିଶୁପାଳନ

 

କେତେକ ବନ୍ଧୁ କହନ୍ତି, ଲୋକସଂଖ୍ୟା ବଢ଼ୁଛି । ତେଣୁ ଆମେ ଏ ଅଭାବ ଅସୁବିଧାରେ ପଡ଼ିଛୁ । ଆଉ ବିଦେଶୀ ଶାସକ ଆମର ଏ ଢପ ବଢ଼ାଇଛନ୍ତି । ଏହା ଅନେକ ପରିମାଣରେ ସତ ହେଲେହେଁ, ଆମେ ଆମର ସ୍ଵଭାବସିଦ୍ଧ ସରଳତାକୁ ଏବଂ ଆମର ଭାରତୀୟ ସଂସ୍କୃତି ଛାଡ଼ିବାର କାରଣ ନାହିଁ । ସରକାର ବିଦେଶୀ ହୁଅନ୍ତୁ, ସ୍ଵଦେଶୀ ହୁଅନ୍ତୁ, ଯଦି ଆତ୍ମମ୍ଭରିତା କରନ୍ତି ଆମେ ସରଳ ରହି ନିଜର ସଂସ୍କୃତି ବଜାୟ ରଖିଲେ କ୍ରମେ ସରକାର ମଧ୍ୟ କ୍ଷମତାର ଲୋଭ ଛାଡ଼ି ଗଣତନ୍ତ୍ର ନୀତି ଧରନ୍ତେ, ନ ହେଲେ ଲୋପ ହୁଅନ୍ତେ । ଆମକୁ ନେଇ ସରକାର ଗଠିତ ଆମରି ଭୋଟରେ । ଆମେ ଯଦି ଲୋଭ ଏଡ଼ାଇ, ଲାଭ ଆଶା ନ ରଖି, ଅଭିସନ୍ଧ ନ ରଖି, ଦେଶର ଶାନ୍ତି ଶୃଙ୍ଖଳା ଏବଂ ଦେଶହିତକୁ ଆଗରେ ରଖି, ଭୋଟ କ୍ଷମତାର ସଦ୍‌ବ୍ୟବହାର କରନ୍ତୁ, ତେବେ ସରକାର ମଧ୍ୟ ନିଜକୁ ସୁଧୁରାଇ ନିଅନ୍ତେ । ଆମର ଶାସକର ମଧ୍ୟ ମନୁଷ୍ୟପଣିଆ ଓ ମନୁଷ୍ୟ ହୃଦୟ ରହିଛି । ଆଉ ଆମେ ଯଦି ନିଜର ଦୋଷ ଦୁର୍ଦ୍ଦଶା ବଢ଼ାଇ ଅନ୍ୟକୁ ଦୋଷ ଦେଉଁ, ତେବେ ଆମର ଦୁଃଖ ଦୁର୍ଦ୍ଦଶା ତ କାମେ ନାହିଁ, ବରଂ ବଢ଼େ । ଆମର ଢପର ସୀମା ଏତେ ବଢ଼ିଯାଇଛି ଯେ ନିଜର ଦୁର୍ବଳତା ପ୍ରତି ଆମର ଆଉ ଆଖି ପଡ଼ୁନାହିଁ । ତେଣୁ ଆମେ ବୃଥାରେ ସରକାରଙ୍କୁ ବା ଅନ୍ୟକୁ ଦୋଷୁଁ । ତା’ ନା କରି ନିଜ ଆଡ଼ୁ ହୃଦୟକୁ ପରିଷ୍କାର କରି ଢପ ଛାଡ଼ିବାକୁ ସହୃଦୟ ଚେଷ୍ଟା କରୁଁ । ନିଜେ ସରଳ ରହି ଅନ୍ୟକୁ ସରଳତା ଅବଲମ୍ବନ କରିବାକୁ ଶିଖାଉଁ । ତେବେ ଅନ୍ୟର ବିନା ସାହାଯ୍ୟରେ ସ୍ଵାବଲମ୍ବୀ ହୋଇପାରିବା । ଏ ଚିତ୍ର ଯଦି ମାନସ-ଚକ୍ଷୁରେ ଥରେ ଦେଖି ନେଉଁ ଓ ଥରେ ହେଲେ ଜୀବନରେ ସ୍ଵାବଲମ୍ବନରେ ମନର ସୁଖଶାନ୍ତି ଉପଲବ୍ଧ କରୁ, ତାର ଦେବଦୂର୍ଲ୍ଲଭ ସୁଷମା ମନକୁ ସ୍ଵର୍ଗରେ ନେଇ ଥୋଇଦେବ । ଥରେ ଭାବି ଦେଖୁଁ, ଆମେ ଭୂମିଷ୍ଠ ହେବାବେଳେ ଭଗବାନ ବି ସରଳ ଓ ନିରାଡ଼ମ୍ବର କରି ଆମକୁ ପଠାନ୍ତି । ନଗ୍ନ, ନିରୀହ କିନ୍ତୁ କେଡ଼େ ସଚ୍ଚୋଟ । ଅଜସ୍ର ଟଙ୍କା ଦିଆ ନୂତନ ମୋଟରକାର ପରି ଦେହର ପ୍ରତ୍ୟେକ ଅଂଶ ଚକ୍‍ଚକ୍‍, ନିର୍ମଳ, ପରିଷ୍କାର-। ସାତ ଦିନ ବେଳକୁ ରୂପା ବା ସୁନାର ବଳା, ମାଳୀ, ଚୁଡ଼ି ବା ମୁଦି, ଅଣ୍ଟାସୂତା ବା ଗୁଣୁଚି ସଦ୍ୟ ଜାତି ଶିଶୁ ପାଇଁ ଆମେ ବ୍ୟବସ୍ଥା କରୁ । ଏ ଆଡ଼ମ୍ବର ଆମର ମୋହ ବା ଅନ୍ଧବିଶ୍ଵାସ ଯୋଗୁଁ ବା ଲୋକାଚାର ପାଇଁ । ମାତ୍ର ସେଥିପାଇଁ ବାପ ମା’ଙ୍କର ଆୟାସ କହିଲେ ନ ସରେ । ମୋହମୁଗ୍‍ଧ ଥିବାରୁ ସେମାନେ ହାତବେଡ଼ି, ଗୋଡ଼ବେଡ଼ି ବା ଅଣ୍ଟାବେଡ଼ି ଦେଇଥିବାରୁ ବୁଝିପାରନ୍ତି ନାହିଁ । ଷଠୀ ଦିନର ପୂଜା, ଏକୋଇଶା ଦିନର ପୂଜା ଓ ପୂଜାର ଢପ ଶିଶୁ ତ ବୁଝିପାରେ ନାହିଁ । ତେବେ ଶିଶୁ ଉପରେ ତା’ର ମନ୍ଦ ପ୍ରତିକ୍ରିୟା ନ ହୁଏ ବୋଲି କହି ହେବ ନାହିଁ, କାରଣ ପୂର୍ବଜନ୍ମର ସଂସାରରେ ଆମେ ବିଶ୍ଵାସବାନ । ଏ ଆଡ଼ମ୍ବର ମଧ୍ୟବିତ୍ତ ଓ ଧନିକ ମଧ୍ୟରେ ସୀମାବଦ୍ଧ । ଆମର ପୁରାଣରେ ବର୍ଣ୍ଣିତ ଜାତକର୍ମ କି ସରଳ ଓ ନିରାଡ଼ମ୍ବର ଥିଲା । ତାହା ପଢ଼ି ମଧ୍ୟ ଆମେ କିଛି ଶିଖିନାହୁଁ-। ଆଡ଼ମ୍ବର ବିହୀନ ଶ୍ରମିକର ଛୁଆ କେଉଁ ଅଂଶରେ ଅପର ଦୁଇ ଶ୍ରେଣୀର ଛୁଆଠାରୁ ନିକୃଷ୍ଟ-? ତାହା ଦେଖି ମଧ୍ୟ ଆମେ ଶିଖୁନାହୁଁ କିମ୍ବା ସେ ଆଡ଼ମ୍ବରର ଅନାବଶ୍ୟକ ଓ ବିଫଳତା ଉପଲବ୍ଧ କରୁନାହୁଁ, ଏହାହିଁ ବିଚିତ୍ର ।

 

ଔଷଧିର ସୃଷ୍ଟି ରୋଗ ପାଇଁ । ପ୍ରସ୍ତୁତି ପୂର୍ବରୁ ରୋଗ ନ ଥିବା ପ୍ରସୂତିକୁ ପ୍ରସବ ବେଳେ ଔଷଧିର ବୃଥା ପ୍ରୟୋଗ ଯୋଗୁଁ ସମୟ ସମୟରେ ମହା ବିପଦରେ ପଡ଼ିବାକୁ ହୁଏ । ସେତେବେଳେ ଔଷଧର ପ୍ରତିକ୍ରିୟା ଊଣା କରିବାକୁ ପୁଣି ଔଷଧି ପ୍ରୟୋଗ ହୁଏ । ପ୍ରସବ ପରେ ବିନା ରୋଗରେ ଔଷଧ ପ୍ରୟୋଗ ହୁଏ ତାକୁ ସୁସ୍ଥ ଓ ସବଳ ରଖିବାକୁ । ପ୍ରକୃତିର ପ୍ରାକୃତିକ ଆରୋଗ୍ୟତାରେ ଆମର ବିଶ୍ଵାସ ନାହିଁ । ତେଣୁ ଆମର ପ୍ରକୃତି ବଦଳିଛି, ଆଉ ମନୁଷ୍ୟକୃତ ଔଷଧି ଉପରେ ନିର୍ଭର କରି ମହା ବିପଦର ଆବାହନ କରୁଛୁ । ଫଳରେ ସ୍ଵବଲମ୍ବନଶୀଳତା ହରାଇ ବିକଳାଙ୍ଗ ହେଉଛୁଁ । ଆଉ ୫୦ ବର୍ଷର ପୂର୍ବର ମନୁଷ୍ୟ ଓ ଆଜିର ମନୁଷ୍ୟ ମଧ୍ୟରେ ପାର୍ଥକ୍ୟ ଆମ ଆଖିରେ ଦିଶୁନାହିଁ । ଭଗବାନ ଆମକୁ ରକ୍ଷା କରନ୍ତୁ । ପ୍ରତିଷେଧ ଧରିବାକୁ ଯାଇ ଆମେ ପ୍ରକୃତିର ପ୍ରତିଶୋଧର ବଳୀ ହେଉଛୁଁ । ପ୍ରସୂତି ସୁସ୍ଥା ଥାଉ ପଛକେ ପ୍ରତିଷେଧ ପାଇଁ ତାକୁ ଔଷଧି ଖାଇବାକୁ ପଡ଼େ । ତା’ କରିବାକୁ ଆମେ ନାନା ଜଞ୍ଜାଳରେ ପଡ଼ୁଁ । ଔଷଧି ଖାଇବା ହେତୁରୁ ରୋଗର ଅସ୍ତିତ୍ଵରେ ପ୍ରସୂତିର ସ୍ଵତଃ ଆଶଙ୍କା ଜନ୍ମେ । ଅସଲ କଥା, ସେପ୍ରକାର ଆଶଙ୍କା ଓ ବିଶ୍ଵାସରୁ ନାନା ରୋଗ ଜାତ ହୁଏ । ସେପ୍ରକାର ରୋଗରେ ଆରୋଗ୍ୟର ବିଶ୍ଵାସ ତା’ ମନରେ ନ ଜନ୍ମାଇଲେ ଘରେ ମହା ବିପଦ । ରୋଗର ଅସ୍ତିତ୍ଵରେ ତାକୁ ବିଶ୍ଵାସବତୀ କରିବ କାହିଁକି ? ରୋଗ ନ ଥିବା ଜନ୍ମାଇ ତା’ର ମନୋବଳ ଦୃଢ଼ ନ କରିବ ବା କାହିଁକି ? କାଦୁଅ ମାଡ଼ିବ କାହିଁକି, ଗୋଡ଼ ଧୋଇବ କାହିଁକି ? ଏ ଢପ ଅତି କ୍ଷତିକାରକ ।

 

ଶ୍ରମିକ ଘରର ପ୍ରସୂତି ଏଥିରେ ବାହାରେ । ଛୁଆ ପ୍ରସବର ୬ ଦିନ ପରେ ସେ ତା’ର ଦୈନନ୍ଦିନ ରନ୍ଧାବଢ଼ା ଆଦି ଲଘୁ କାର୍ଯ୍ୟ କରିବାର ଆରମ୍ଭ କରିନିଏ । ଅନ୍ୟ ଦୁଇ ଶ୍ରେଣୀର ପ୍ରସୂତି ଅନ୍ତତଃ ଏକ ମାସ ଅସହାୟ ପରି ବସି ରହେ । ସେ ଯେ ପୁଣି ଯେତେବେଳେ କାମଦାର ହୁଏ, ଔଷଧି ପାଇଁ ନୁହେଁ, ପ୍ରକୃତିର ପ୍ରାକୃତିକ ମଙ୍ଗଳେଚ୍ଛା ପାଇଁ । ପ୍ରସୂତିର ରୋଗ ପ୍ରତିକ୍ରିୟା ଶିଶୁ ଉପରେ ପଡ଼ିବା ସ୍ଵାଭାବିକ । ଜାତି ଏହା ଯେ ପର୍ଯ୍ୟନ୍ତ ନ ବୁଝିଛି, ଯେତେ ଯାହା କଲେ ଦେଶରୁ ରୋଗସଂଖ୍ୟା କମିବ ନାହିଁ । କ୍ରମେ ବଢ଼ୁଥିବ । ପ୍ରସୂତିର କଥା ଛାଡ଼ିଦେଲେ, ମଧ୍ୟବିତ୍ତ ଓ ଧନିକ ପରିବାରରେ ଛୁଆର ହେଲେ ରକ୍ଷା ଅଛି ? ଛୁଆ କାନ୍ଦିବ ନାହିଁ । ଟିକିଏ ଅଫିମ ଦିଅ, ନ ହେଲେ ଅଫିମ ଓ ଗଞ୍ଜାଇ ପଡ଼ିଥିବା ‘ବାଳାନନ୍ଦ’ ପ୍ରଯୋଗ କର । ନ ହେଲେ ଆଣ ‘Gripe Water ‘ବା ‘ଡୋଙ୍ଗ୍ରିଙ୍କର ବାଳାମୃତ’ । ତାହାର ପ୍ରସ୍ତୁତି କେବେ ଓ କି ପ୍ରକାର, ସେଥିରେ କ୍ଷତିକାରକ କିଛି ଅଛି କି ନା, ତହିଁର ବିଚାର କରିବାର ସମୟ ନ ଥାଏ । କେବଳ ଯୁକ୍ତି, ନ ହେଲେ ଛୁଆ କାନ୍ଦିବ, ବାରମ୍ବାର ହଗିବ । ଆଲୋ ମା ଆବଶ୍ୟକତା ବାହାରେ ଏତେ ପିଆଇବ କାହିଁକି ? ତମେ ନିଜେ ନାନା ଔଷଧ ଖାଇ, ଅପଥ୍ୟ ଖାଇ କ୍ଷୀରକୁ ଦୂଷିତ କରିଛ । ଦୂଷିତ କରି ନ ଥିଲେ ମଧ୍ୟ ଛୁଆର କ୍ଷୁଧା ଉପରେ ନଜର ନ ଦେଇ ଏତେ ଘନଘନ ତାକୁ କ୍ଷୀର ପାନ କରାଇବ କିମ୍ବା ନିଜ କ୍ଷୀର ଅଭାବେ ଗାଈ କ୍ଷୀର ବୋଲି ଅଶୋଧିତ ବା ଦୂଷିତ ଗୋ ଦୁଗ୍‍ଧ ବା ମହିଷୀର ଦୁଧ ପିଆଇବ-। ତେବେ ଛୁଆ ବାରମ୍ବାର ନ ହଗି, ତାହା ରଖିବ କେଉଁଠାରେ ? ତାହା ବାନ୍ତି ହୋଇନଗଲେ ହଗିବ ତ ? ତମେ ଯେ ତାକୁ ଏତେବେଳୁଁ ଏଡ଼େ ପେଟୁକ କରୁଛ, ବଡ଼ ହେଲେ ସେ ଅଭ୍ୟାସରେ ପେଟୁକ ହୋଇ ପେଟ ଯାତନା ଭୋଗିବ । ସେଥିରେ ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ । ‘ଭୋଖ’ ହିଁ ପେଟର ପ୍ରକୃତ ଔଷଧି ବୋଲି ଜାଣି, ଭୋଖ କଲେ ଓ ଭୋଖରେ କାନ୍ଦିଲେ ଯଦି ପିଆଇବ, ତେବେ ନା ଜୀର୍ଣ୍ଣ ହେବ । ଖାଦ୍ୟ ଜୀର୍ଣ୍ଣ କରିବାକୁ ଅଫିମ ବା ଔଷଧ ପ୍ରୟୋଗ ବିଷ ପ୍ରୟୋଗ ଛଡ଼ା ଅନ୍ୟ କିଛି ନୁହେଁ । ଏ ଅଫିମ ବା ଔଷଧ ଯଦି ପୂର୍ଣ୍ଣବୟସ୍କକୁ ପାଗଳ କରି ପାରେ, ବାଳୁତର ମସ୍ତିଷ୍କରେ ତାର ପ୍ରତିକ୍ରିୟା କଅଣ ନ ହେବ ? ତାହା ଭାବି ମା’ ମାନେ, ଏ ଜାତିକୁ ରକ୍ଷା କର-

 

ଏହି କାରଣରୁ ଆଜି ଦେଶର ଜନସାଧାରଣ ବିକଳାଙ୍ଗ ଏବଂ ଦେଶରେ ପ୍ରତିଭାଶାଳୀ ଲୋକର ଏତେ ଅଭାବ, ପୁଣି ଲୋକ ଏତେ ପରିଶ୍ରମ କାତର । କଠିନ ପରିଶ୍ରମ ବିନା ଦେଶ ଉଠି ପାରିବ ନାହିଁ । ଲେଖକ ୫ ବର୍ଷ ବୟଃକ୍ରମ ହେବ ପର୍ଯ୍ୟନ୍ତ ଅଫିମ ଖାଇଥିବାର ବାପ ମାଙ୍କଠାରୁ ଜାଣିଛି । ଲେଖକ ବିକଳାଙ୍ଗ ହୋଇଥିବାର ଓ ସେ ଏଡ଼େ ନିର୍ବୋଧ ଥିବାର କାରଣ ଏହି ଅଫିମ ବୋଲି ସେ ଏବେ ମଧ୍ୟ ବିଶ୍ଵାସ କରେ । ଶ୍ରମିକର ଏସବୁ ଅନାବଶ୍ୟକ, ପ୍ରକୃତିବିରୁଦ୍ଧ ଅନୁଚିତ ପ୍ରୟୋଗ ନ ଥିବାରୁ ଶ୍ରମିକ ବରଂ କିଛି ହୃଷ୍ଟପୃଷ୍ଟାଙ୍ଗ ରହିଛି ଓ ଆଗ ପରି ନ ହେଲେ ମଧ୍ୟ ଏବେ କିଛି କାମଦାର ହେଉଛି । କିନ୍ତୁ ଉନ୍ନତି ଆଶାରେ ମଧ୍ୟବିତ୍ତ ଓ ଧନିକର ଢପ ଧରିବାକୁ ଯେ ଭାବେ ପରିଶ୍ରମର ମାତ୍ର କମ୍‍ କରି ପାରିଶ୍ରମିକର ମାତ୍ର ବଢ଼ାଇବାକୁ ଧର୍ମଘଟ କରିବାକୁ ତାକୁ ଆମେ ଶିଖାଉଛୁଁ । ଆଶଙ୍କା ହେଉଛି, ଢପ ବଢ଼ାଇ ସେ ମଧ୍ୟ କ୍ରମେ ବିକଳାଙ୍ଗ ହୋଇ ଆଜି କରୁଥିବା ପରିଶ୍ରମର ମଧ୍ୟ ଅନୁପଯୁକ୍ତ ହେବ । ଆଜିର ସାମ୍ୟବାଦର ବିଫଳତା ଏହିଠାରେ । ସ୍ଵୀକାର କରିବାକୁ ହେବ ଶ୍ରମିକର ଅଭାବ ସବୁଦିଗରେ ରହିଛି, କିନ୍ତୁ ତା’ର ଅଭାବ ମୋଚନ କରିବାକୁ ଯାଇ ତା’ର ସ୍ଵଭାବସୁଲଭ ସରଳତା ଯଦି ତାଠାରୁ ଛଡ଼ାଇ ଦିଆଯାଏ, ତେବେ ଦୁନିଆକୁ ଆଉ କିଏ ଟେକ ଧରିବ ? ଶିକ୍ଷାଦୀକ୍ଷା, ଖାଦ୍ୟପାନ ଓ ରହଣିରେ ତାର ସୁବିଧା କରିଦେବାକୁ ହେବ, କିନ୍ତୁ ସଙ୍ଗେ ସଙ୍ଗେ ତାର ସରଳତା ରକ୍ଷା କରି ଢପ ଆଡ଼କୁ ତାର ମନ ଯେପରି ପ୍ରଭାବିତ ନ ହୁଏ, ତାହା ଆଖି ଆଗରେ ବରାବର ରଖିବାକୁ ହେବ । ମୂର୍ଖତା ଆଜି ତାର ଅବସ୍ଥାକୁ ଶୋଚନୀୟ କରୁଛି । ମୂର୍ଖତା ହେତୁ ଆଜି ଗାଁ ଗାଉଁଲିରେ ଓ ସହରରେ ମଧ୍ୟ ତାର ସାମାନ୍ୟ ପାରିଶ୍ରମିକ ମଦ୍ୟପାନରେ ଖର୍ଚ୍ଚ କରି ନିଜର ଓ ନିଜ ପରିବାରର ନରକ ବ୍ୟବସ୍ଥା କରୁଛି । ଶ୍ରମିକ ମହିଳାମାନେ ମଧ୍ୟ ମଦ୍ୟ ଧଇଲେଣି । ଆଉ ରକ୍ଷା ନାହିଁ ।

 

ପରୀକ୍ଷା କଲେ ଜଣାଯିବ, ଯେଉଁ ଛୁଆ ଶୈଶବରେ ବେଶୀ କାନ୍ଦିଥାଏ, ତାର ଧମନୀ ସେତେ ଟାଣ ରହେ । ତାର ଧୈର୍ଯ୍ୟ ମଧ୍ୟ ସେତେ ବେଶୀ ହୁଏ । ତେଣୁ ଛୁଆ କାନ୍ଦିବାଟା ଖରାପ ନୁହେଁ, କିନ୍ତୁ ରୋଗ ହେତୁ ତାହା ନ ହୋଇ ଭୋଖ ହେତୁ ସେ କାନ୍ଦିବା ଉଚିତ । ଭୋଖ ସବୁ ରୋଗର ପ୍ରକୃତ ଓ ପ୍ରକୃଷ୍ଟ ଔଷଧ । ଛୁଆକୁ ୬ ମାସ ହୋଇ ନ ଥିବ, ମୂଲ୍ୟବାନ ଲକ୍ଷଣରେ ତାକୁ ଭୂଷିତ କରାଯାଏ । ଏହି ଭୂଷଣ ପାଇଁ ଦୁନିଆରୁ କେତେ ଛୁଆ ଅକାଳେ ଲିଭି ଯାଇଛନ୍ତି ଓ ଯାଉଛନ୍ତି ତାହା ନଜରକୁ ଆସୁନାହିଁ । ଏ ବିପତ୍ତି ଦେହସୁହା ହୋଇଗଲାଣି । ଛୁଆ ଉଠି ପାରୁ ନ ଥିବ, ଅଥଚ ତା’ ପାଇଁ ମୂଲ୍ୟବାନ ବାସନର ବ୍ୟବସ୍ଥା ସକାଶେ ଗୃହିଣୀ ଗୃହସ୍ଥକୁ ବିବ୍ରତ କରିବେ । ଆଣିଦିଅ ତା’ ପାଇଁ ଦର୍ଶନ ମନୋହର ଚକ୍‍ଚକ୍‍ ବାସନଭୂଷଣ, ପେଣ୍ଟ, କୁରୁତା, ମୋଜା, ଜୋତା । ସେସବୁକୁ ପିନ୍ଧାଇ ଆଖି ପୂରାଇ ତାକୁ ଦେଖି ଅନ୍ୟକୁ ଦେଖାଇବାକୁ ଆମନ୍ତ୍ରଣ । ଅନ୍ୟର ଦୃଷ୍ଟି ଯେ ମାବାପର ଦୃଷ୍ଟି ନୁହେ, ତାହା ଉପଲବ୍‍ଧି କରାଯାଏ ନାହିଁ । ଦୃଷ୍ଟି ଯାହାହେଉ ଛୁଆର ବନରେ ଏସବୁର ପ୍ରତିକ୍ରିୟା ଭୀଷଣ ହୁଏ । ଏପରି ଅଭ୍ୟାସ ଛୁଆ ବଡ଼ ହେଲେ ଆଉ ଛାଡ଼େ ନାହିଁ । କାମକୋଢ଼ି ହୁଏ । ଫଳରେ ବିକଳାଙ୍ଗ, ଅଯୋଗ୍ୟ ଓ ପରାଙ୍ଗପୃଷ୍ଟ ହୋଇ ରହେ । କହିଲେ ମା କହି ଦିଅନ୍ତି, ଛୋଟା ପୁଅ ହୋଇ ରହିଥାଉ । ମା ଓ ଭଉଣୀମାନେ ! ଲେଖକ ଉପରେ ଛାଞ୍ଚୁଣୀହସ୍ତ ହୁଅ ପଛକେ, ଦୁର୍ମୁଖ ଲେଖକ କହିବ, ତଦ୍ଦ୍ଵାରା ତୁମେ ଛୁଆର ଭବିଷ୍ୟତ ନଷ୍ଟ କରି ଦେଉଛ । ତା’ କରିବାର ତମର ଅଧିକାର ନାହିଁ । ଜାଣି ରଖ, ଏ ଛୁଆ ଭବିଷ୍ୟତର ଗାନ୍ଧି, ନେହେରୁ । ଭବିଷ୍ୟତର ଗାନ୍ଧି, ନେହେରୁ ଉପରେ ଏ ଅତ୍ୟାଚାରର କ୍ଷମା ନାହିଁ । ଛାଞ୍ଚୁଣୀ ହାତରେ ଆଉ, ଆଉ ଛାଡ଼ି ସେସବୁ ଢପ ।

Image

 

(୭)

Unknown

ସଙ୍ଗଦୋଷ

 

ଶୈଶବରେ ଶିଶୁ ନିଜ କର୍ତ୍ତୃତ୍ଵାଧୀନରେ ନ ଥାଏ । ବାପ ମା ବା ଅନ୍ୟ ଅଭିଭାବକଦ୍ଵାରା ପରିଚାଳିତ ହେଉଥିବାରୁ ଢପ ଧରିବା ବା ନ ଧରିବା ଦାୟିତ୍ଵ ତାର ଅଭିଭାବକଙ୍କର । ଶିଶୁ ପାଳନ କେଡ଼େ ଦୁରୂହ ତାହା ଯେ ଜାତି ଯେତେ ଉପଲବ୍‍ଧି କରିଛି ସେ ଜାତି ତେତେ ଉନ୍ନତ । ଆମର ଏ ଓଡ଼ିଆ ଜାତି ବର୍ତ୍ତମାନର ଶିକ୍ଷା ଓ ତଥାକଥିତ ସଭ୍ୟତାରେ ଯେତେ ଅଗ୍ରସର ହେଉଛି, ଦୁରୂହ ଶିଶୁ ପାଳନ ଦିଗରେ ସେତେ ଉଦାସୀନ ହେଉଥିବାରୁ ଏ ଜାତିର ଅବନତି ଆବଶ୍ୟକ ହୋଇପଡ଼ୁଛି । ଓଡ଼ିଆ କାହିଁକି ଭାରତୀୟ ଜାତି ମଧ୍ୟରେ ଯୌନବ୍ୟଭିଚାର ବୃଦ୍ଧି ସଙ୍ଗେ ଭ୍ରୂଣହତ୍ୟା ଓ ସନ୍ତାନ ବିନାଶ ଯେପରି ସାଧାରଣ ଘଟଣାରେ ପରିଣତ ହେଉଛି, ମନେ ହୁଏ ପାଶ୍ଚାତ୍ୟ ଶିକ୍ଷା ଓ ତଥାକଥିତ ସଭ୍ୟତା ଭାରତୀୟ ସଂସ୍କୃତି ଓ ଆମର ଜାତୀୟ କୃଷ୍ଟିକୁ ନଷ୍ଟ କରିବ ଏବଂ ଆମକୁ କୁରୁଚି ସମ୍ପନ୍ନ କରି ‘କୁର୍ଚ୍ଚି ବସା’ ଦଣ୍ଡ ଦେବ । ଏ ଦିଗରେ ଅସଭ୍ୟ ଓ ଅଶିକ୍ଷିତ ବନ୍ୟ ଜାତିମାନେ ଆମଠାରୁ ଭଲ ଓ ଉନ୍ନତ ବୋଲି ମନେ ହେବ । ଆଉ ମାନିନେବାକୁ ହେବ ଏ ଶିକ୍ଷା ଓ ଏ ସଭ୍ୟତା ଧରିବା ପୂର୍ବେ ଭାରତ ଏ ଦିଗରେ ଏତେ ଅଧଃପତିତ ହୋଇ ନ ଥିଲା ।

 

ଶିଶୁ ବୁଲିଚାଲି ଶିଖିବା ପରେ ପାରିପାଶ୍ଵିକ ବାତାବରଣରୁ ସାମାଜିକତା ଶିଖେ । ବାତାବରଣ ଯଦି ନିର୍ଦ୍ଦୋଷ, ନିରୀହ ଓ ସରଳ ଥାଏ, ତେବେ ଶିଶୁ କ୍ରମେ ମନୁଷ୍ୟ ହୋଇ ଗଢ଼ିଉଠେ । ନ ହେଲେ ବିପରୀତ ମାର୍ଗରେ ଯାଇ ଜୀବନର ସାରବତ୍ତା ହରାଏ, ଏବଂ ତା’ର ଜୀବନ ନଷ୍ଟ ହୁଏ । ତେଣୁ ଶିଶୁର ସମ୍ମୁଖରେ ଆଦର୍ଶର ସୌଷ୍ଠବ ଥୋଇବା ଏବଂ ସେଥିପାଇଁ ପ୍ରାଣପଣେ ଚେଷ୍ଟା କରିବା ପ୍ରତ୍ୟେକ ନାଗରିକର ପ୍ରଥମ ଓ ମୌଳିକ କର୍ତ୍ତବ୍ୟ । ଶିଶୁ ଯଦି ଦେଖେ, ତା’ର ସମବୟସ୍କମାନେ ପାଠପଢ଼ାରେ ମନ ଦେଇଛନ୍ତି, ତେବେ, ସେ ପାଠ ପଢ଼ିବାକୁ ଆରମ୍ଭ କରେ । ଯଦି ଦେଖେ ସଙ୍ଗୀଗଣ ବନ୍ୟ ସ୍ଵଭାବ ଓ ବନ୍ୟ ବ୍ୟବହାର ଆଚରଣ କରୁଛନ୍ତି, ତେବେ ସେ ମଧ୍ୟ ବନ୍ୟ ପଶୁ ପରି ଆଚରଣ ଶିଖେ । ତେଣୁ ସମାଜର ପ୍ରତ୍ୟେକ ବ୍ୟକ୍ତି ଶିଶୁର ସମ୍ମୁଖରେ ଉଚ୍ଚ ଆଦର୍ଶ ଥୋଇବାକୁ ଏବଂ ତାକୁ ତାହା ଶିକ୍ଷା କରିବାକୁ ସର୍ବଦା ପରିଚାଳିତ କରିବା ନିମନ୍ତେ ନିଜ କର୍ତ୍ତବ୍ୟ ବୋଲି ମନେ କରିବା ଆବଶ୍ୟକ ।

 

*-କୁର୍ଚ୍ଚିବସା–ଆଗକାଳରେ ସ୍କୁଲମାନଙ୍କରେ ଶିକ୍ଷକ ଏ ଦଣ୍ଡ ଦେଉଥିଲେ । ବାଳକମାନେ ନିଜ କାନ ନିଜେ ଧରି କୁର୍ଚ୍ଚି ବା ଚଉକି ପରି ଅର୍ଦ୍ଧାସୀନ ଅର୍ଦ୍ଧ ଦଣ୍ଡାୟମାନ ରହିବାକୁ ‘କୁର୍ଚ୍ଚିବସା କହୁଥିଲେ ।

 

ଆମର ପୁରାଣ ଇତିହାସରେ ଆମର ପୂର୍ବ ପୁରୁଷଗଣ ସଙ୍ଗ ଉପରେ ବହୁତ ଜୋର ଦେଇଛନ୍ତି । ବାସ୍ତବିକ ଶିଶୁ ଗଠନର ମୂଳରେ ସଙ୍ଗ ଗୋଟିଏ ବଡ଼ କଥା । ସଙ୍ଗର ପ୍ରଭାବ ମାନବ ଉପରେ କାହିଁକି, ପଶୁ ପକ୍ଷୀ, କୀଟ ପତଙ୍ଗ ଉପରେ ମଧ୍ୟ ପଡ଼େ । ୫ଟି ପଚା ଆଳୁ ସଙ୍ଗେ ୧୦ଟି ଭଲ ଆଳୁ ରଖିଦେଲେ, ଅଳ୍ପକାଳ ମଧ୍ୟରେ ଭଲ ଆଳୁଗୁଡ଼ିକ ମଧ୍ୟ ପଚିଯାଏ । ତେଣୁ ନଷ୍ଟ ସ୍ଵଭାବାପନ୍ନର ସଙ୍ଗରେ ରହିଲେ ଶିଶୁର ମଧ୍ୟ ସ୍ଵଭାବ ନଷ୍ଟ ହୁଏ । ପିଲା ଦିନେ ପଢ଼ିଛୁଁ, ଜଣେ ସାଧୁ ଘରେ ଥିବା ଶୁକପକ୍ଷୀ ଆଗନ୍ତୁକକୁ ଦେଖିଲେ ଆସନ୍ତୁ ବସନ୍ତୁ ବୋଲି ସମ୍ବର୍ଦ୍ଧନା କରେ, ମାତ୍ର ଚମାରଘରେ ଥିବା ଶୁକପକ୍ଷୀ ଆଗନ୍ତୁକକୁ ଦେଖିବା ମାତ୍ରେ “କେକେରେ କେକେରେ ପଳା ପଳା” ବୋଲି ପାଟି କରେ । ଶୁକପକ୍ଷୀ କଅଣ କହେ, ସେ ନିଜେ ବୁଝେ ନାହିଁ, ମାତ୍ର ଗୃହସ୍ଥର ସଙ୍ଗଦୋଷରୁ ତା’ର ସେପରି ଅଭ୍ୟାସ ହୋଇ ପଡ଼ିଥାଏ । ଏପରି କ୍ଷେତ୍ରରେ ଶିଶୁ ପକ୍ଷରେ ସଙ୍ଗର ପ୍ରଭାବ କେତେ, ତାହା ସହଜରେ ଅନୁମେୟ । ମନ୍ଦ ଅଭ୍ୟାସ ବଶବର୍ତ୍ତୀ ହେବା ପୂର୍ବେ ବିବେକ ମନୁଷ୍ୟକୁ ପ୍ରଥମେ ଧକ୍‍କା ଦିଏ । ବିବେକ ମନ୍ଦକୁ ପ୍ରଶ୍ରୟ ଦିଏ ନାହିଁ, କାରଣ ମନୁଷ୍ୟ ଦେହରେ ନାରାୟଣ ଅଛନ୍ତି । ନାରାୟଣ ମଙ୍ଗଳମୟ, ସେ ଅମଙ୍ଗଳ ଚାହାନ୍ତି ନାହିଁ । ଭଲକୁ ବିବେକ ସବୁବେଳେ ଅନୁମୋଦନ କରେ । ମନ୍ଦ ଅଭ୍ୟାସ କରିବା ବେଳେ ବିବେକର ଏପରି ପ୍ରତ୍ୟାଖ୍ୟାନକୁ ଯଦି ଥରେ ଦୁଇ ଥର ଆମେ ନ ଶୁଣୁ ତେବେ ବିବେକ ତୁନି ହୁଏ । ସଙ୍ଗର ପ୍ରଭାବ ବିବେକକୁ ମଧ୍ୟ ତୁନି କରେ । ଶେଷରେ ଆମର ଆଚରଣ ମନ୍ଦ ଥିବାର ବୋଧ ମଧ୍ୟ କମିଯାଏ ଏବଂ କ୍ରମେ ସେହି ବୋଧ ଲୋପ ହେଲେ ଆମେ ପଶୁଠାରୁ ମଧ୍ୟ ହୀନ ହୋଇପଡ଼ୁଁ ।

 

ଅଜ୍ଞାନ ଶିଶୁ ଉପରେ ସଙ୍ଗର ପ୍ରତିକ୍ରିୟା ଅତି ବେଶୀ । ଶୈଶବରେ ଶିଶୁ ବାପ ମା ଭଉଣୀ ଓ ସଙ୍ଗୀମାନଙ୍କର ଅଭ୍ୟାସର ଅନୁସରଣ କରେ ଏବଂ ସେଇଥିରୁ ତାର ଅଭ୍ୟାସ ଗଢ଼ିଉଠେ । ପାରିପାର୍ଶ୍ୱିକ ସମସ୍ତେ ଶିଶୁର ଅଭ୍ୟାସରେ ପ୍ରଭାବ ପକାନ୍ତି । ସମାଜ ହିଁ ଶିଶୁର ପ୍ରଥମ ଓ ପ୍ରଧାନ ଆଶ୍ରୟ ଓ ଶିକ୍ଷାଦାତା । ଭଲ ସମାଜ ଗଠନ କରିବାକୁ ଦେଶେ ଦେଶେ ଯୁରେ ଯୁଗେ ସମାଜ ସଂସ୍କାରକ ଗଣ ଅବତୀର୍ଣ୍ଣ ହୋଇ ଧର୍ମ ସଂସ୍ଥାପନ କରିନ୍ତି । ଧର୍ମ ଓ କର୍ତ୍ତବ୍ୟ ଏକ କଥା । ସମାଜ ଗଠନ ପରି ଦାୟିତ୍ଵପୂର୍ଣ୍ଣ କାର୍ଯ୍ୟ ଦୁନିଆଁରେ ଆଉ ନାହିଁ । ଆଉ ଏ ଦାୟିତ୍ଵ ପରି ପରମ ପବିତ୍ର କର୍ତ୍ତବ୍ୟ ମଧ୍ୟ ନାହିଁ । ଏ କର୍ତ୍ତବ୍ୟବୋଧର ଅନୁପାତରେ ଦେଶ ଓ ଜାତି ଉନ୍ନତ ବା ଅବନତ-। ବାପ ମା ଭାଇ ଭଉଣୀ ବା ସଙ୍ଗୀମାନେ ଆଚାର ବ୍ୟବହାର ଓ କାର୍ଯ୍ୟରେ ସରଳ ନ ରହିଲେ ଶିଶୁ ସରଳ ହୋଇପାରେ ନାହିଁ । ଢପ ଧରେ । ଢପ ଢପ ଥିବାର ବୋଧ ତାର ସରଳ ମସ୍ତିଷ୍କକୁ ଆସେ ନାହିଁ । ଶିଶୁର ଢପ ପାଇଁ ଏମାନେ ହିଁ ଦାୟୀ । ଶିଶୁର ଦେହ କଞ୍ଚା ମାଟି, କଞ୍ଚା ମାଟିରେ ଯେଉଁ ଗାର ପଡ଼େ, ତାହା ଚିରସ୍ଥାୟୀ ରହେ । ତେଣୁ ଶୈଶବ ହିଁ ଶିକ୍ଷାର ପ୍ରଥମ ଓ ପ୍ରକୃଷ୍ଟ ସମୟ-। ଭଲ ସମାଜ ଶିକ୍ଷାନୁଷ୍ଠାନ ।

 

ଶୈଶବରେ ଶିଶୁ ସ୍କୁଲକୁ ଯାଏ । ସ୍କୁଲରେ ଅନେକ ଛାତ୍ର ଥାଆନ୍ତି । ସେମାନଙ୍କର ନାନା ସ୍ଵଭାବ, ନାନା ଅଭ୍ୟାସ । ଶିଶୁ ସେମାନଙ୍କ ସଂଶ୍ରବରେ ଆସେ । ଯଦି ଶିକ୍ଷକ ସରଳ ଓ ଆଦର୍ଶ ସ୍ଥାନୀୟ ଥାନ୍ତି, ତେବେ ଅନ୍ୟ ଛାତ୍ରଙ୍କର ବଦ୍‍ସ୍ଵଭାବକୁ ସେ ନିୟନ୍ତ୍ରଣ କରନ୍ତି ଏବଂ ଶିଶୁର ଜୀବନରେ ତହିଁର ଅଳ୍ପ ପ୍ରଭାବ ପଡ଼େ । ସମସ୍ତ ଛାତ୍ରଙ୍କୁ ଭଲ କରି ଗଠନ କରିବା ଦିଗରେ ଶିକ୍ଷକଙ୍କର ଦାୟିତ୍ଵ ଅତି ବେଶୀ । ଲେଖାପଢ଼ା ଶିଖିବା ସଙ୍ଗେ ଶିଶୁ ହାତରେ ନାନା ପୁସ୍ତକ ପଡ଼େ-। ଶିଶୁ କୌତୂହଳ ପୂର୍ଣ୍ଣ ହୋଇ ସେଗୁଡ଼ିକ ପଢ଼େ । ଦୁର୍ଭାଗ୍ୟର ବିଷୟ ଶିଶୁ ପାଇଁ ସୁପାଠ୍ୟ ପୁସ୍ତକ ଆମ ଓଡ଼ିଆ ଭାଷାରେ ଅତି କମ୍ । ଶିଶୁ ତେଣୁ ବାଧ୍ୟ ହୋଇ ରାସକ୍ରୀଡ଼ା, ବସ୍ତ୍ରହରଣ, ନଟୁଚୋରୀ, ରାଧାକୃଷ୍ଣ ପ୍ରେମଲୀଳାର ନାନା ପୁସ୍ତକ ପଢ଼େ । ରାସକ୍ରୀଡ଼ାର ଅର୍ଥ ଓ ଉଦ୍ଦେଶ୍ୟ ବଡ଼ମାନେ ବୁଝିବା ମୁସ୍କିଲ । ସମସ୍ତେ ଉପରେ ଉପରେ ଭାସିଯାନ୍ତି । ଆଦିରସକୁ ଏ ଜାତି ଗ୍ରାସ କରିଛି-। ଆଦିରସର ସ୍ଵାଦ ପାଇଲେ ଅନ୍ୟ ରସ ଆଉ ଭଲ ଲାଗେ ନାହିଁ । ଶବର ଶବରୂଣୀ ନାଟ, ଦଣ୍ଡ ନାଟ, ସୁଆଙ୍ଗ, ନାଟ ଆଦି ପ୍ରତ୍ୟେକ ଗ୍ରାମରେ ଛାଇଗଲାଣି । ଶିଶୁ ଆଦିରସାଶ୍ରିତ ପୁସ୍ତକମାନ ପାଠ ଆରମ୍ଭ କରିବାବେଳେ ସାଙ୍ଗପିଲାଙ୍କ ସହିତ ଏ ନାଟସବୁ ଦେଖି କୁପଥଗାମୀ ହୁଏ-। ସେସବୁ ନଷ୍ଟ କଲେ ଜାତିର ପ୍ରତିଭା ନଷ୍ଟ ହେବ । ନଷ୍ଟ ନ କଲେ ଜାତି ବିନଷ୍ଟ ହେବ । ଏ ସମସ୍ୟାର ସମାଧାନ ମହା ଦୁରୂହ ହୋଇ ପଡ଼ିଥିବା ବେଳେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ଜାତିର ପାପ ଦେହରେ “ଛେରା ରୋଗ” । ଭଗବାନଙ୍କର ଯାହା ବରାଦ । ଏସବୁ ଲେଖା ଓ ଏସବୁ ନାଟ ଅନ୍ତତଃ ଶିଶୁର ସମ୍ମୁଖରେ ଥୋଇବା ଉଚିତ ନୁହେ ।

 

ସଙ୍ଗର ପ୍ରଭାବ ଶିଶୁ ପକ୍ଷରେ କାହିଁକି ସମସ୍ତଙ୍କ ପକ୍ଷରେ ଅତି ବେଶୀ । ମାତ୍ର ପୁସ୍ତକସଙ୍ଗର ପ୍ରଭାବ ଶିଶୁ ଉପରେ ଅଚିନ୍ତନୀୟ । ବିଦ୍ୟାଳୟମାନଙ୍କରେ ପାଠ୍ୟପୁସ୍ତକ ପ୍ରଣୟନ ବିଷୟରେ ଯେ ସାବଧାନତା ଆବଶ୍ୟକ, ତାହା କାହାରି ନଜରକୁ ଆସୁନାହିଁ । ପ୍ରଥମେ ଦେଖିବାକୁ ହେବ ରାଜନୀତି ଯେପରି ସେଥିରେ ପ୍ରଭାବ ନ ପକାଏ । ଆଜିକାଲି ସ୍କୁଲ, କଲେଜ ଛାତ୍ରଙ୍କୁ ମତାଇ ନେତାଗିରି ବଜାୟ ରଖିବା ଚେଷ୍ଟା ହେଉଛି । ଆମର ତଥାକଥିତ ଶିକ୍ଷିତ ସଂପ୍ରଦାୟ ଆଞ୍ଚଳିକତାର ଏତେ ପକ୍ଷପାତୀ ହୋଇ ପଡ଼ିଛନ୍ତି ଯେ ଆଞ୍ଚଳିକତା ଅନ୍ଧଭାବରେ ଜାରୀ କରିବାକୁ ଲେଶ ସଙ୍କୋଚ ବୋଧ କରୁନାହାନ୍ତି । ଗୋଟାଏ ଆଞ୍ଚଳିକ ଭାଷାକୁ ପୁସ୍ତକ ପ୍ରଣେତା ତଥା ଶିକ୍ଷାବିଭାଗ ଓଡ଼ିଆ ଭାଷା ବୋଲି ଶିଶୁ ପାଠ୍ୟପୁସ୍ତକରେ ଭର୍ତ୍ତି କରି ଦେଉଛନ୍ତି । ଆମର ବିଶ୍ଵବିଦ୍ୟାଳୟ ମଧ୍ୟ ଆଞ୍ଚଳିକତା ଦୁଷ୍ଟ ନବ ସୃଷ୍ଟ ପୁସ୍ତକାବଳୀ ପାଠ୍ୟ ପାଇଁ ନିର୍ଦ୍ଦେଶ କରୁଛନ୍ତି । ଏହା ବଡ଼ ଦୁର୍ଭାଗ୍ୟ ଓ ପରିତାପର କଥା । ତା’ପରେ ଶିଶୁର ଆଦର୍ଶ କଅଣ ଦେବା ଚାହି ତତ୍‍ପ୍ରତି ନଜର ଦେଇ ପୁସ୍ତକ ଲେଖା ଯାଉନାହିଁ । ମନେହୁଏ ଏଦିଗରେ ଆମର ବିଶ୍ଵବିଦ୍ୟାଳୟ ପରିଚାଳକଗଣ ଏ ଭୁଲ୍‍ ପାଇଁ ପ୍ରତିଯୋଗୀତା ଚଳାଇଛନ୍ତି । ଶେଷରେ ଭାଷାଶିକ୍ଷା ଓ ବୈଷୟିକ ଶିକ୍ଷାକୁ ଯୋଡ଼ି ଦେଇଥିବାରୁ ଭାଷାଶିକ୍ଷାର ଗତି କ୍ରମେ ଶୀଥିଳ ହେଉଥିବାର ମନେହୁଏ । ଆଜି ବିଶ୍ଵବିଦ୍ୟାଳୟର ଶେଷ ଶ୍ରେଣୀର ଉତ୍ତୀର୍ଣ୍ଣ ଛାତ୍ର ବହୁମୂଖୀ ଭାଷାରେ ଅନଭିଜ୍ଞ ବୋଲି କହିଲେ, ବିଶ୍ଵବିଦ୍ୟାଳୟ କାହିଁକି ଛାତ୍ରବୃନ୍ଦ ମଧ୍ୟ ଚାବୁକହସ୍ତ ହେବେ । କିନ୍ତୁ ସେମାନେ ଛାତିରେ ହାତ ପକାଇ କହନ୍ତୁ ଯେ ବର୍ତ୍ତମାନର ଶିକ୍ଷା ଅତି ନିମ୍ନସ୍ତରର ଓ ରସାତଳେ ପଡ଼ିଛି କି ନାହିଁ ।

Image

 

(୮)

ସଂଯମ

 

ଶିକ୍ଷାର ଢପ ବଡ଼ ବିପଜ୍ଜନକ । ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟତ୍ଵ ପ୍ରାପ୍ତି । ଢପ ଶିକ୍ଷାର ପରିପନ୍ଥୀ । ଶିକ୍ଷିତର ଢପ ଖୁବ୍ କମ୍ ଥାଏ ଏବଂ ତାହା ଲୋକସଂଗ୍ରହ ପାଇଁ । “ନମନ୍ତି ଫଳିନୋବୃକ୍ଷାଃ ନମନ୍ତି ଗୁଣିନୋଜନାଃ” । ଶିକ୍ଷିତର ଗୁଣ ଗ୍ରହଣୀୟ । ଶିକ୍ଷିତ ବୋଇଲେ ଲେଖାପଢ଼ାରେ ଧୁରନ୍ଧର ବୋଲି ବୁଝାଏ ନାହିଁ । ଶିକ୍ଷିତ ଲେଖାପଢ଼ାରେ ପର୍ଯ୍ୟବସିତ ନୁହେଁ । ବରଂ ବେଶି ଲେଖାପଢ଼ା କ୍ଷେତ୍ରରେ ପୁସ୍ତକଜ୍ଞାନ ମସ୍ତିଷ୍କରେ ବୋଝ ହେଉଥିବାର ଅନେକତ୍ର ଦେଖିବାକୁ ମିଳେ । ଆଉ ଅନେକ କ୍ଷେତ୍ରରେ ଏପରି ମଧ୍ୟ ଦେଖାଯାଏ ଯେ ବିନା ଲେଖାପଢ଼ାରେ ମଧ୍ୟ ଲୋକ ଏପରି ଗୁଣବାନ୍‍ ଥାଏ ଯେ ପୋଥି ବାଇଗଣ *ପୋଥି ବାଇ ଗଣ ବୋଲି ଧରିନେବାକୁ ପଡ଼େ । ସବୁ ପୋଥି ତ ସମାନ ନୁହନ୍ତି । ପୋଥି ଯୋଗୁଁ ପାଗଳସଂଖ୍ୟା ବୋଧହୁଏ ଅନ୍ୟ କାରଣରୁ ପାଗଳ ସଂଖ୍ୟା ଅପେକ୍ଷା ବେଶି । କେବଳ ଲେଖାପଢ଼ା ଶିକ୍ଷାର ପରିମାପକ ନୁହେଁ । ସ୍କୁଲଶିକ୍ଷକ ଏତେ କାଳ ଲେଖାପଢ଼ାର ଶିକ୍ଷକ ଥିଲେ । ବହୁ କାଳ ପରେ ଗାନ୍ଧିଜୀ ଏ ଭୁଲ୍ ଧରିପାରିଲେ ବୋଲି ଆଜି Basic ସ୍କୁଲର ପ୍ରଚଳନ ପାଇଁ ପ୍ରଚେଷ୍ଟା ଚାଲିଛି । ଦେଖାଯାଉ ସେ ଦିଗରେ କଅଣ ହେଉଛି । ସେ ଯାହାହେଉ ମାନବିକତାର ଶିକ୍ଷକ ସମାଜ ଏବଂ ସମାଜର ସମସ୍ତେ ଶିକ୍ଷକ ବା ଛାତ୍ର ଅଟନ୍ତି । ସ୍କୁଲ ସବୁ ମାନବିକତା ଫୁଟାଇବାକୁ ଗୋଟିଏ ଗୋଟିଏ ସୀମାବଦ୍ଧ ଅନୁଷ୍ଠାନ ମାତ୍ର । ପ୍ରତ୍ୟେକ ଗ୍ରାମ ବା ନଗରକୁ ଆମେ ଯେଏପର୍ଯ୍ୟନ୍ତ ଗୋଟିଏ ଗୋଟିଏ ଶିକ୍ଷାନୁଷ୍ଠାନ ବୋଲି ଧରି ନ ନେଇଛୁଁ ଏବଂ ଯେପର୍ଯ୍ୟନ୍ତ ନିଜକୁ ଯୁଗପତ୍ ଶିକ୍ଷକ ଓ ଛାତ୍ର ଜ୍ଞାନ କରି ସ୍ଵକର୍ତ୍ତବ୍ୟ ପାଳନରେ ବ୍ରତୀ ନ ହୋଇଛୁଁ ସେପର୍ଯ୍ୟନ୍ତ ଭାରତରେ ୨୫।୫୦ ବିଶ୍ଵବିଦ୍ୟାଳୟ, ଶହ ଶହ କଲେଜ, ହଜାର ହଜାର ହାଇସ୍କୁଲ ଓ ଲକ୍ଷ ଲକ୍ଷ ସ୍କୁଲ ଥିବା ସତ୍ତ୍ୱେ ଭାରତ ଯେ ତିମିରେ ସେ ତିମିରେ ରହି ଅଶିକ୍ଷାର ତିମି ପାଲଟିଥିବ ।

 

* -ବାଇ–ବାୟା, ଗଣ–ଲୋକମାନେ ।

 

ପିତୃତ୍ଵ ମାତୃତ୍ଵରେ ସାମାଜିକ ଶିକ୍ଷକ ଓ ଶିକ୍ଷୟିତ୍ରୀର ଆରମ୍ଭ । ପିତା (ପା + ତୃ) ପାଳନକର୍ତ୍ତା । ମାତା (ମାନ୍ + ତୃ ) ଜନ୍ମୟିତ୍ରୀ । ଭକ୍ତକବି ଗାଇଥିଲେ :–

 

“ମା ନାମ ମହିମା ମହୀମଣ୍ଡଳେ,

ମା ନାମର ଶାନ୍ତି ତପନ ତଳେ,

ମା ନାମ ମାଧୁରୀ ମାନବ ପ୍ରାଣେ,

ଜ୍ଵଳନ୍ତ ଜୀବନ୍ତ ଧ୍ରୁବ ପ୍ରମାଣେ ।

 

*ତିମି ମାଛକୁ ସର୍ବବୃହତ୍‍ ଜନ୍ତୁ ବୋଲି ଆମେ ଜାଣୁ ।

 

ପୁଣି ମା ଜନ୍ମ ଦେଇ ମଧ୍ୟ କଠୋର ତପସ୍ୟା କରି ପରିତ୍ରାଣକାରିଣୀ । ତେଣୁ “ଆକାଶହୁଁ ବଡ଼ ପିତା, ମାତା ବଡ଼ ପୃଥିବୀ ଅପେକ୍ଷା” । ସେହି ପିତୃତ୍ଵ ଓ ମାତୃତ୍ଵ ପ୍ରାପ୍ତି ପାଇଁ କି ଶିକ୍ଷା କି ସଂଯମ ଆବଶ୍ୟକ, ତାହା ଉପଲବ୍‍ଧି କରି ପାରି ନ ଥିବାରୁ ସମାଜରେ ଯାବତୀୟ ଦୁଃଖ ଦୁର୍ଦ୍ଦଶା ଆମେ ଭୋଗ କରୁଥାଇଁ । ଏହି ଦୁଃଖ ଦୁର୍ଦ୍ଦଶା ନିବାରଣ କଳ୍ପେ ବିବାହର ଆବିଷ୍କାର । ବିବାହ ବିଶେଷ କରି ବହନ କରିବାର ଯୋଗ୍ୟତା ସୂଚାଏ, କିନ୍ତୁ ଅଯୋଗ୍ୟତା ପରିକଳ୍ପିତ ବିବାହ ସମାଜ ଗଠନର ଘୋର ପରିପନ୍ଥୀ ହେଉଥିବାର ଦୃଶ୍ୟ ଅତି ବେଶୀ । ଆଉ ବର୍ତ୍ତମାନ ‘ହିନ୍ଦୁବିବାହ ଭାଙ୍ଗ’ କୁ ଅନ୍ତର୍ଭୁକ୍ତ କରି H।ndu Code Bill ପ୍ରଣୟନ ହିନ୍ଦୁ ସମାଜର ଗତି କେଉଁଆଡ଼େ ତାର ଦିଗ ନିରୂପଣ କରି ଦେଉଛି । ପ୍ରେମ ସ୍ଵର୍ଗ, କାମ ନରକ । କାମକୁ ପ୍ରେମ ବୋଲି ଭୁଲ୍‍ କରି, କାମସ୍ପୃହା ନିବାରଣ ପାଇଁ ଯେଉଁ ବିବାହ ହୁଏ, ବିବାହଭଙ୍ଗ ଛଡ଼ା ସେଥିରୁ ନିସ୍ତାର ପାଇବାର ଆଉ କି ଉପାୟ ଅଛି ? ବିବାହଭଙ୍ଗ ଏବଂ ମୃତ୍ୟୁ ଏକ କଥା । ପାତ୍ରପାତ୍ରୀ ମନୋନୟନରେ ଆଜିପର୍ଯ୍ୟନ୍ତ ହିନ୍ଦୁ ସମାଜ ବ୍ୟତିବ୍ୟସ୍ତ । କୁପାତ୍ର ଓ କୁପାତ୍ରୀର ମିଳନରେ ହିନ୍ଦୁ ସମାଜ ଆଜି ସର୍ବହରା । ଗାନ୍ଧୀଜୀ ଗୋଟିଏ ବିବାହ ପ୍ରସଙ୍ଗରେ କହିଥିଲେ, ପାପକୁ ଘୃଣା କର, କିନ୍ତୁ ପାପୀକୁ ପ୍ରେମ କରିବାକୁ ହେବ, ନ ହେଲେ ସମାଜ ସୁଧୂରିବ ନାହିଁ । ବର୍ତ୍ତମାନର ହିନ୍ଦୁ ଆଇନରେ ରହିଛି, ସ୍ଖଳନ ବିବାହର ପ୍ରତିବନ୍ଧକ ନୁହେଁ । ପରାଶର ଲେଖିଛନ୍ତି :–

 

“ନଷ୍ଟେ ମୃତେ ପ୍ରବ୍ରଜିତେ କ୍ଲୀବେ ଚ ପତିତେ ପତୌ,

ପଞ୍ଚଷ୍ଵାପତ୍‍ସୁ ନାରୀଣାଂ ପତିରନ୍ୟୋବିଧୀୟତେ ।”

 

ଏହି ସମାଜ ମଙ୍ଗଳ ନୀତି ଭୁଲି ଥିବାରୁ ଆଜି ହିନ୍ଦୁ ସମାଜ କି ବ୍ୟଭିଚାରଗ୍ରସ୍ତ ହୋଇଛି, ତାହା ଦେଖି ମଧ୍ୟ ଆଖି ବୁଜୁଛୁଁ । ଅସଲ କଥା କାମବିଳାସ ବିବାହର ମୂଳସୂତ୍ର ହୋଇଛି । ପ୍ରେମ ସ୍ଵର୍ଗୀୟ, ବିବାହ ପରମ୍ପରା ସୃଷ୍ଟି ପାଇଁ ଆମେ ଏହା ଭୁଲି ଯାଇଛୁଁ ।

 

ସ୍ଵୀକାର କରିବାକୁ ହେବ, ବିବାହ ପୂର୍ବେ ପତି ପତ୍ନୀ ମଧ୍ୟରେ ମିଳନ କିମ୍ବା ପରିଚୟ ନ ଥାଏ । ତଥାପି ହିନ୍ଦୁର ବିବାହ ଶତକଡ଼ା ୯୯ କ୍ଷେତ୍ରରେ ଯେ ସଫଳ ହୋଇଥାଏ, ତା’ର କାରଣ ହିନ୍ଦୁ ସମାଜର ସଂସ୍କୃତି । ଦେଖିବାକୁ ହେବ, ବିବାହ ପରେ କାମ ପ୍ରେମର ସ୍ଥାନ ଯେପରି ଅଧିକାର ନ କରେ, ଆଉ ପ୍ରେମରେ ପତି ପତ୍ନୀ ଯେପରେ ଓତଃପ୍ରୋତ ହୋଇ ଏକ ହୁଅନ୍ତି ଏବଂ ନିଜକୁ ସମାଜର ଜନକ ଜନନୀ ଜାଣି ବିବାହ ଦିନଠାରୁ ସମାଜ ମଙ୍ଗଳରେ ନିଜକୁ ପୂର୍ଣ୍ଣ ନିୟୋଜନ କରନ୍ତି-। ସେ କ୍ଷେତ୍ରରେ ଆଉ ବିବାହ ଭଙ୍ଗର କଥା ଉଠିବ ନାହିଁ । ବାକି ରହିବ ସ୍ତ୍ରୀ ପୁରୁଷ ନିର୍ବିଶେଷରେ ପରାଶରଙ୍କ ବ୍ୟବସ୍ଥା । ଆଉ ସେ ବ୍ୟବସ୍ଥା ଧରିବା ପୂର୍ବେ ପାତ୍ର ପାତ୍ରୀଙ୍କର ପୁନର୍ବିବାହର ଯୋଗ୍ୟତା ।

 

ମନୁଷ୍ୟ ପକ୍ଷରେ ମୌଳିକ ଶିକ୍ଷା ପିତୃତ୍ଵ ଓ ମାତୃତ୍ଵ । ପିତୃତ୍ଵ ଓ ମାତୃତ୍ଵ ମନୁଷ୍ୟ ପକ୍ଷରେ ଶ୍ରେଷ୍ଠ ସାଧନା ଓ ତପସ୍ୟା । ଶିକ୍ଷା ବିଭାଗର ଶିକ୍ଷକ ଗୌଣ ମାତ୍ର । ବର୍ତ୍ତମାନର ଶିକ୍ଷକତା ପେଟ ପୋଷିବାକୁ ବ୍ୟବସାୟ ମାତ୍ର ହୋଇ ପଡ଼ିଛି । ଏବେ ଶିକ୍ଷକଙ୍କର କର୍ତ୍ତବ୍ୟ ହୋଇଛି, ପିଲାଙ୍କ ମଧ୍ୟରେ ଶୃଙ୍ଖଳା ରଖି ଲେଖାପଢ଼ା ଓ କିଞ୍ଚିତ୍ ବୈଷୟିକ ଶିକ୍ଷା ଦିଗରେ ପିଲାଙ୍କର ଜ୍ଞାନର ପରିସର ବଢ଼ାଇ ବ୍ୟବସାୟ ଫାନ୍ଦିବାକୁ ଉପଯୁକ୍ତ କରିଦେବା । ପିତା ମାତା ତେଣୁ ସମାଜର ଶିକ୍ଷକ ଶିକ୍ଷୟିତ୍ରୀ । ଯେଉଁ ପିତୃତ୍ଵ ଓ ମାତୃତ୍ଵ ମନୁଷ୍ୟ ଜୀବନରେ ଏବଂବିଧ ଦାୟିତ୍ଵର ବୋଝ ନେଇ ଆରମ୍ଭ ହୁଏ, ବିବାହ ତହିଁର ପ୍ରଥମ ସୋପାନ । ହିନ୍ଦୁର ବିବାହ ପଦ୍ଧତି ପରି ପବିତ୍ର ଓ ସରଳ ଆଉ କିଛି ନାହିଁ । କିନ୍ତୁ ଏଥିରେ ଢପ ପଶିଯିବାରୁ ସମାଜରେ ନାନା ବିଶୃଙ୍ଖଳା ଘଟୁଛି ।

 

ହିନ୍ଦୁ ପୂର୍ବଜନ୍ମ ସଂସ୍କାରବାଦୀ । ହିନ୍ଦୁ ତେଣୁ ବିଶ୍ୱାସ କରେ ବିବାହ ବୟସ ଆସିଲେ ବିବାହର ସ୍ପୃହା ସ୍ଵତଃ ସ୍ପୂର୍ତ୍ତ ହୁଏ । ପିତୃମାତୃ ଦୋଷରୁ ବିବାହର ‘ଇଚ୍ଛା’ ଯୌନକାମନା ଚରିତାର୍ଥ କରିବା ହେଉଥିବାରୁ ତାହା ସବୁ ବିପତ୍ତିର ମୂଳ କାରଣ ହୁଏ ଓ ବିବାହକୁ ବିଫଳ କରେ । ତେଣୁ ବିବାହ ପୂର୍ବେ ପିତା ମାତାଙ୍କୁ ଜାଣିବାକୁ ହେବ, ଯୌନକାମନା ଅତି ନିକୃଷ୍ଟ ଅଟେ, କ୍ଷୟ ତହିଁର ମୂଳରେ । କେବଳ ପରମ୍ପରା ରକ୍ଷା ପାଇଁ ପୁତ୍ର କନ୍ୟା ପ୍ରସାବ । ପିତୃ ଋଣ ପରିଶୋଧ ପାଇଁ ଏ କ୍ଷୟ ସ୍ଵୀକାର୍ଯ୍ୟ । ଅନ୍ୟଥା ତାହା ଘୃଣାର ଜିନିଷ, ନରକର ମାର୍ଗ । ଯାବତ ଯୌନ ସମ୍ଭୋଗ କେବଳ ସୃଷ୍ଟି କ୍ରିୟା ପାଇଁ ବୋଲି ଧାରଣା ଜନ୍ମି ନାହିଁ, ସେ ପର୍ଯ୍ୟନ୍ତ ବିବାହ ଅକର୍ତ୍ତବ୍ୟ ।

 

ଯୌନ ସମ୍ଭୋଗ କ୍ଷେତ୍ରରେ ଆମେ ପଶୁପକ୍ଷୀଠାରୁ ମଧ୍ୟ ହୀନ ହୋଇପଡ଼ିଛୁଁ, ସେମାନଙ୍କର ପକ୍ଷେ ସଂଯମ ସମୟ ନିର୍ଦ୍ଦିଷ୍ଟ ଥିବାର ଅନୁମେୟ । ମାତ୍ର ଅସମୟ ସଙ୍ଗମ ଜନିତ କ୍ଷୟ ମନୁଷ୍ୟକୁ ହିତାହିତ ଜ୍ଞାନଶୂନ୍ୟ କରୁଥିବାର ଜାଣି ମଧ୍ୟ ସମାଜ କିପରି ତାହା ବରଦାସ୍ତ କରୁଛି ଆଶ୍ଚର୍ଯ୍ୟର କଥା । ସଂଯମ ଓ ଅସଂଯମ ବୁଝାଇବାକୁ ଏତେ ପୂରଣ ଶାସ୍ତ୍ରରେ ରହିଛି, କିନ୍ତୁ ସମାଜ ଅସଂଯମର ପୃଷ୍ଠପୋଷକ ହୋଇ ସମାଜ କ୍ଷୟରେ ଏତେ ଆଗ୍ରହୀ ଯେ ତାହା ଭାବିଲେ ବଡ଼ ଦୁଃଖ ହୁଏ ଓ ଲଜ୍ଜାରେ ମସ୍ତକ ଅବନତ ହୁଏ । ଆଜିର ଭାରତୀୟ ୫୦ ବର୍ଷ ପୂର୍ବର ଭାରତୀୟ ଅଧା ହୋଇ ଗଧା ପାଲଟିଲାଣି । ତାହା ଦେଖି ଆମେ ଆଖି ବୁଜୁଛୁଁ । ଅସଂଯମ ସଂଶୋଧିତ ନ ହେଲେ ଆଉ ଏକ ଶତାଦ୍ଦୀ ଏପରି ଚାଲିଲେ ଆମର ଅବସ୍ଥା କଅଣ ହେବ ଭାବିବାର ସମୟ ଆସିଛି । ଏପ୍ରକାର ଶକ୍ତି କ୍ଷୟ କରି ମାତ୍ର ବ ୩୦ ର୍ଷ ବୟସରେ ରୁଗ୍‍ଣ ଶକ୍ତିହୀନ ଓ ବୃଦ୍ଧ ହେବା ଉଚିତ, ନା ସଂଯମ ଦ୍ଵାରା ଶକ୍ତିର ରକ୍ଷା କରି ଅନ୍ତତଃ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଯୌବନ ଓ ଜୀବନ ଉପଭୋଗ କରିବା ଉଚିତ, ତାହା ଚିନ୍ତା କରିବାକୁ ହେବ । ଅସଲ କଥା ବିବାହ ବା ଯୌନ କ୍ରିୟା କେବଳ ପୁତ୍ର କନ୍ୟା ପାଇଁ, ଅଯଥା ଶକ୍ତିକ୍ଷୟ ପାଇଁ ନୁହେଁ । ରୂପ ମୋହ ଘୃଣାର ବସ୍ତୁ, କ୍ଷଣିକ ତଥାକଥିତ ସୁଖ ପାଇଁ । ତାହା ଦୁର୍ଲଭ ମନୁଷ୍ୟ ଜୀବନକୁ ଛାରଖାର କରେ । ଏ ଧାରଣା ଦୃଢ଼ବଦ୍ଧ ହେବା ଉଚିତ । ଯେଉଁ ରୂପଯୌବନର ମୋହ ଆମକୁ ଅନ୍ଧ କରେ, ତାହା ରକ୍ତ, ଅସ୍ଥି, ମେଦ, ମଜ୍ଜାର ସମଷ୍ଟି ମାତ୍ର । ଯାହା ଖୋଲା ଆଖିରେ ଦେଖିଲେ ମନରେ ଏତେ ଘୃଣା ଆସେ, ଆମେ କ୍ଷଣିକ ଉନ୍ମାଦନାରେ ତାହାର ଆୟତ୍ତାଧୀନ ହେବା ଉଚିତ ନୁହେଁ । ଅସଂଯମୀ ପକ୍ଷେ ବିବାହ ଏବଂ ଯୌନ ସଙ୍ଗମ ନିଷେଧ ହେବା ଚାହି । କିନ୍ତୁ ‘ଢପ’ ସେତେ ଦିନ ଟାକେ ନାହିଁ । ‘ଢପ’ ଅଭିଭାବକ ଓ ପିତାମାତାଙ୍କୁ ଏତେ ଆୟତ୍ତାଧୀନ କରିଛି ଯେ ସେମାନଙ୍କ ପକ୍ଷେ ‘ବିବାହ’ ବୋଝ ହୋଇ ପଡ଼ିଛି-। ବିବାହ ବୟସ ହୋଇଥାଉ ନ ଥାଉ, ପୁତ୍ରକନ୍ୟାର ଶିକ୍ଷାର ବ୍ୟବସ୍ଥା ଆଉ ନ ଥାଉ, ବା ଥିଲେ ଶିକ୍ଷା ଖଣ୍ଡିତ ଅବସ୍ଥାରେ ରହୁ ପଛକେ ‘ବୋହୁ ପରଷଣା’ ବା ‘ନାତି ନତୁଣୀ’ ଦେଖିବାର ମୋହ ଅଭିଭାବକ ବା ପିତାମାତାଙ୍କୁ ପାଗଳ କରି ଦେଉଛି । ପୁତ୍ରର ବୟସ ୧୦ ବର୍ଷ ଓ କନ୍ୟାର ବୟସ ୬ ବର୍ଷ ହେବା ମାତ୍ରେ ଅଭିଭାବକ ପାତ୍ରପାତ୍ରୀର ଖୋଜଖବର ରଖିବାରେ ବ୍ୟସ୍ତ ହୋଇ ପଡ଼ନ୍ତି-। ସେମାନଙ୍କର ଅନ୍ୟ ଗତି ନ ଥାଏ, କାରଣ ସମାଜ ବର୍ତ୍ତମାନ ଏପରି ଗଢ଼ି ଉଠିଛି ଯେ ତାହା ସମୟ ଥାଉଁ କରା ନ ଗଲେ ପାତ୍ରପାତ୍ରୀ ଜୁଟାଇ ବିବାହ ଘଟାଇବା ପ୍ରାୟ ଅସମ୍ଭବ ହୋଇପଡ଼େ-। କୃତକାର୍ଯ୍ୟ କ୍ଷେତ୍ରରେ ବିବାହରେ ବୟସ, ଶିକ୍ଷା ବା ସଂଯମର ଆଉ ବିଚାର ରହେ ନାହି-। ଐହିକ ଓ ବୈଷୟିକ ସୁବିଧା ହିଁ ବିବାହର ମୂଳସୂତ୍ର ହୁଏ । ଅନେକ କ୍ଷେତ୍ରରେ ସେ ବିବାହ ନିଷ୍ଫଳ ହୁଏ-। ଏହି ନିଷ୍ଫଳତା ଏଡ଼ାଇବାକୁ ବିବାହ ବିଚ୍ଛେଦର ବ୍ୟବସ୍ଥା ଆବଶ୍ୟକତା ଅନିବାର୍ଯ୍ୟ । ତେଣୁ ‘ହିନ୍ଦୁ କୋଡ୍ ବିଲ୍’ ର ପ୍ରଚଳନ ଦ୍ଵାରା ଆମର ବ୍ୟବସ୍ଥାପକଗଣ ରନ୍ତଲେଇର ଏ ବିଚିତ୍ର ଔଷଧ ଆବିଷ୍କାର କରି ହିନ୍ଦୁଧର୍ମ ସଂସ୍କାରରେ ଏହାର ଅବାଧ ପ୍ରୋୟଗରେ ଆଗଭର । ଦେଖାଯାଉ ଏହା କେତେଦୂର ଫଳପ୍ରଦ ହେଉଛି । କିନ୍ତୁ ‘ହିନ୍ଦୁ କୋଡ୍ ବିଲ୍’ ଗୋଟିଏ ଢପ ମାତ୍ର, ତାହା ଢପରେ ପର୍ଯ୍ୟବସିତ ହୋଇ ରହିବ ।

 

ଯଦି ହିନ୍ଦୁଧର୍ମ ସଂସ୍କାର କରାଯିବ, ତେବେ ତପଦ୍ଵାରା ତାହା ସାଧିତ ହୋଇପାରିବ ନାହିଁ । ଆମର ବ୍ୟବସ୍ଥାପକ ବା ସଂସ୍କାରକଗଣ ବର୍ତ୍ତମାନ ଜାଗତିକ ଢପରେ ପ୍ରଭାବାନ୍ୱିତ । ଆର୍ଯ୍ୟମାନେ ଯେତେବେଳେ ଭାରତକୁ ଆସିଥିଲେ, ସେମାନେ ହିନ୍ଦୁ ନ ଥିଲେ । ଭାରତରେ ସେମାନଙ୍କର ଆଧ୍ୟାତ୍ମିକ ପରିବର୍ତ୍ତନ ଘଟିଲା । ସେମାନେ ନିଜକୁ ସନାତନୀ କରି ଗଢ଼ି ନେଇଥିଲେ-। କିନ୍ତୁ ଆମର ବର୍ତ୍ତମାନର ବ୍ୟବସ୍ଥାପକଗଣ ସନାତନୀ ନୁହନ୍ତି । ସେମାନଙ୍କୁ ବର୍ତ୍ତମାନ ଦୁନିଆର ହିନ୍ଦୁ ବା ଲୁଟ୍‍ ମନୋଭାବ ଅଭିଭୂତ କରିଛି । ଯେଉଁ ମନୋଭାବରେ ଚୀନ, ରୁଷିଆ ଓ ଆମେରିକା ଆଜି ପୃଥିବୀରେ ପ୍ରଭାବ ବିସ୍ତାର କରିବାକୁ ମନୁଷ୍ୟମାରଣ ନୀତି ବା ଦୁର୍ନୀତିର ଶେଷ ସୀମାରେ ପହଞ୍ଚିଛନ୍ତି, ସେହି ମନୋଭାବ ଆଜି ଆମର ମା, ବାପ ବା ବ୍ୟବସ୍ଥାପକମାନଙ୍କୁ ପାଗଳ କରିଛି-। ସେମାନେ ହିନ୍ଦୁଧର୍ମରେ ବିଶ୍ଵାସୀ ନ ଥାଇ ମଧ୍ୟ ହିନ୍ଦୁଧର୍ମ ସଂସ୍କାର ପାଇଁ ଯେ ରନ୍ତଲେଇର ଢପ କରି ଯାଉଛନ୍ତି, ତାହା କୌଣସି କାମରେ ଲାଗିବ ନାହିଁ । ପକ୍ଷାନ୍ତରେ ହିନ୍ଦୁକୁ ନରକଗାମୀ କରିବ ମାତ୍ର ।

Image

 

(୯)

ବିବାହ ସଂସ୍କାର ଢପ ନୁହେଁ ଦାୟିତ୍ଵପୂର୍ଣ୍ଣ

 

ପୂର୍ବ ଅଧ୍ୟାୟରେ ବିବାହର ଦାୟିତ୍ଵ କିଛି ଆଲୋଚନା କରାଯାଇଛି । ବିବାହ ଢପ ଆଲୋଚିତ ନ ହେଲେ ବିବାହ ଦାୟିତ୍ଵ ବୁଝାଯିବ ନାହିଁ । ବାସ୍ତବିକ ବିବାହ ଢପ ଯେ ପର୍ଯ୍ୟନ୍ତ ଲୋପ ହୋଇନାହିଁ ସେ ପର୍ଯ୍ୟନ୍ତ ସମାଜର ନିସ୍ତାର ନାହିଁ । ବଙ୍ଗାଳୀମାନେ ଝିଅ ଜନ୍ମ ହେବା ମାତ୍ରେ ତାର ଯୌତୁକ ପାଇଁ ବ୍ୟସ୍ତ ରହନ୍ତି । ସ୍ଵଚ୍ଛଳ ଅବସ୍ଥା ନ ଥିଲେ ଝିଅର ବିବାହ ଦେଇ ପାରନ୍ତି ନାହିଁ ଏବଂ ଝିଅ ତା’ର ନିଜ ରାସ୍ତା ଧରେ । ଉଚ୍ଚ ହିନ୍ଦୁ ସମାଜରେ ବିଧବା ବିବାହର ପ୍ରଚଳନ ନାହିଁ । କନ୍ୟାର ବିବାହ ଦେବା ଦାୟଗ୍ରସ୍ତ ଥିବାରୁ ବଙ୍ଗଳାରେ ମୁସଲମାନ ସଂଖ୍ୟା ଏତେ ଶୀଘ୍ର ବଢ଼ିଗଲା-। ପୂର୍ବ ବଙ୍ଗଳା ମୁସଲମାନ ବହୁଳ ଅଞ୍ଚଳ ହେଲା । ବର୍ତ୍ତମାନ ତାହା ପାକିସ୍ତାନ ନାମରେ ଅଭିହିତ ହୋଇଛି । ଇତିହାସ ଅନୁଧ୍ୟାନ କଲେ ଜଣାପଡ଼ିବ, ଯେତେ ସ୍ତ୍ରୀ, ମୁସଲମାନ ପୁରୁଷକୁ ବିବାହ କରି ମୁସଲମାନ ହୋଇ ପଡ଼ିଛନ୍ତି, ପୁରୁଷ ମୁସଲମାନ ସ୍ତ୍ରୀ ବିବାହ କରି ମୁସଲମାନ ହୋଇଥିବା ଦୃଷ୍ଟାନ୍ତ ତହିଁରୁ ଅନେକ ଊଣା । ବର୍ତ୍ତମାନ ମଧ୍ୟ କନ୍ୟାର ବିବାହ ବଙ୍ଗାଳୀମାନଙ୍କୁ ବ୍ୟତିବ୍ୟସ୍ତ କରୁଛି-। ଐତିହାସିକ କାଳରେ ରାଜପୁତମାନେ ‘ଶଳା’ ହେବେ ନାହିଁ ବୋଲି ଭଉଣୀ ବିସର୍ଜନ କରୁଥିଲେ-। ଏ ପର୍ଯ୍ୟନ୍ତ ମାରବାଡ଼ି ଜାତିରେ ‘ବର’ ର ଯାବତୀୟ ବିବାହ ଢପର ଖର୍ଚ୍ଚ କନ୍ୟା ପିତା ବହନ କରିନ୍ତି । ପଞ୍ଜାବୀମାନେ ‘ସ୍ତ୍ରୀ’ ପାଇବାକୁ ବି ଆୟାସ କରନ୍ତି । ଆଜି ସ୍ଵାଧୀନତା ପରେ ମଧ୍ୟ ହଜାର ହଜାର ସ୍ତ୍ରୀ କୁମାର୍ଗରେ ଯାଇ ପଞ୍ଜାବୀ ବର ଗ୍ରହଣ କରୁଥିବାର ଦୃଶ୍ୟ ବିରଳ ନୁହେଁ-। ଅବଶ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ପତିତା ଓ ପରିତ୍ୟକ୍ତା ।

 

ଆମ ଓଡ଼ିଆ ସମାଜରେ ଶିକ୍ଷିତ ସଂଖ୍ୟା ଅତି କମ୍ । ତେଣୁ ଶିକ୍ଷିତ ବର ପାଇବାକୁ କନ୍ୟା ପିତା ବା କନ୍ୟା କର୍ତ୍ତାଙ୍କୁ କି ଆୟାସ କରିବାକୁ ହୁଏ, ତାହା କହି ହେବ ନାହିଁ । ସେହିପରି ଅଶିକ୍ଷିତ ମହଲରେ ଶିକ୍ଷିତା କନ୍ୟା ପାଇବାକୁ ବର୍ତ୍ତମାନ ଯେଉଁ ମୂଲ୍ୟ ଦେବାକୁ ପଡ଼ୁଛି, ତାହା ଦେଖିଲେ ମୁଣ୍ଡ ନଇଁ ପଡ଼େ । ହଜାର ହଜାର ବୟଃପ୍ରାପ୍ତା ସୁନ୍ଦରୀ ସୁଯୋଗ୍ୟା କନ୍ୟା ଓ ଶହ ଶହ ସୁଯୋଗ୍ୟ ବର ଅର୍ଥାଭାବରେ ବିବାହ କରିବା ନିମନ୍ତେ ହନ୍ତସନ୍ତ ହେଉଛନ୍ତି । ଏମାନଙ୍କ ମଧ୍ୟରେ ଯଦି ବିବାହ ନିର୍ବନ୍ଧ ଘଟୁଛି, ସେମାନଙ୍କର ବିବାହ କ୍ଵଚିତ୍ ସଫଳ ହେଉଛି, କାରଣ ହୁଏତ ବର ନ ହେଲେ କନ୍ୟା ବହୁ କ୍ଷେତ୍ରରେ ଅପାତ୍ର ବା ଅପାତ୍ରୀ । ଅହି ଅପାତ୍ରତ୍ଵ ଓ ଅପାତ୍ରୀତ୍ଵ ଲୁଚାଇବାକୁ କେତେ ଅର୍ଥ ଓ କେତେ କୂଟ କପଟର ପ୍ରଶ୍ରୟ ନେବାକୁ ହେଉଛି, ତାହା ଲେଖିବାକୁ ଏଠାରେ ସ୍ଥାନ ନାହିଁ । ତଥାପି ସ୍ଥିର ଚିତ୍ତରେ ଚିନ୍ତା ଓ ପ୍ରାଣପାତ ସାଧନା କରି ଏ ବିବାହତପ ନିରାକରଣ ନ କଲେ ଏ ସମାଜ ଆଉ ଉବୁରିବ ପରି ଦିଶୁନାହିଁ ।

 

କି ଘୋର ଆକ୍ଷେପର କଥା । ଯେଉଁ ବିବାହ ସୃଷ୍ଟିରକ୍ଷାର ମୂଳ, ଯେଉଁ ବିବାହ ସୃଷ୍ଟି ପରେ ଶାନ୍ତି ଶୃଙ୍ଖଳାର ମୂଳ, ପୁଣି ଯେଉଁ ବିବାହରେ ଜୀବନର ସୁଖ ଶାନ୍ତି ନିର୍ଭର କରେ, କାହିଁକି ଏ ସମାଜ ସେହି ବିବାହକୁ ଏପରି ଖେଳ କରି ନେଇଛି । ତାହା ଚିନ୍ତା କଲେ ଜାଣି ପାରିବା, ହିନ୍ଦୁ ଧର୍ମ ଆଉ ଆମର ଅବଲମ୍ବନ ଓ ଅବଲମ୍ବନୀୟ ନୁହେଁ । ଅନ୍ୟ ଧର୍ମ ସେଥିରେ ପ୍ରଭାବ ପକାଇ ହିନ୍ଦୁକୁ ସଂସ୍କୃତି ଶୂନ୍ୟ ଓ କୁରୁଚି ପୂର୍ଣ୍ଣ କରିଛନ୍ତି । ଆମର ବୈଷୟିକ ଅଭାବ ଆମର ସ୍ଵଭାବ ନଷ୍ଟ କରିଛି । ବୈଷୟିକତା ଆମର ଆଧ୍ୟାତ୍ମିକତାର ପରିପନ୍ଥୀ ହୋଇଛି । ଶିକ୍ଷକ ପଣିଆଁ କରିବାକୁ ସମସ୍ତେ ତତ୍‍ପର, ଶିଖିବାର ଇଚ୍ଛା କାହାରି ନାହିଁ । କେବଳ ନକଲ କରି ଅନ୍ୟର ଦୁର୍ଗୁଣ ଗ୍ରହଣରେ ଅକଲ ଫଇଲାଇବାକୁ ଆଗଭର । ନ ହେଲେ କାହିଁକି ବିବାହ ଏତେ ଜଟିଳ ହୋଇଛି । ସମାଜ ଛାରଖାର ହେବାକୁ ଯାଉଛି ।

 

ମୁସଲମାନର ବିବାହ ପରସ୍ପର ଉପଭୋଗ ପାଇଁ । ଖ୍ରୀଷ୍ଟିଆନର ବିବାହ ତାର ଉପରକୁ ଉଠି ଦୁଇଟି ଜୀବନର ଉପଭୋଗ ବା ସମ୍ଭୋଗ ପାଇଁ । ରେଜିଷ୍ଟରୀ ହେଲେ ଶେଷ । ସେମାନଙ୍କର ବିବାହରେ ଢପ ନାହିଁ କହିଲେ ଚଳେ । ହିନ୍ଦୁର ବିବାହ କିନ୍ତୁ ଧର୍ମ ଆଚରଣ ପାଇଁ । ହିନ୍ଦୁର ସହଧର୍ମା ଓ ସହଧର୍ମିଣୀ ନୀତି କେଡ଼େ ମହତ । ଖ୍ରୀଷ୍ଟିଆନ ଓ ମୁସଲମାନ ଧର୍ମ ତାର କେତେ ପଛରେ ! ହେଲେ କଅଣ ହେବ,‘ବିବାହ’ ଆଜି ହିନ୍ଦୁକୁ ଖ୍ରୀଷ୍ଟିଆନ ଓ ମୁସଲମାନର କେତେ ପଛରେ ରଖି ଦେଲାଣି । ଆଜି ବିବାହ ଓ ବିବାହ ବିହୀନତା ହିନ୍ଦୁର ଜୀବନକୁ ଉପଭୋଗରୁ ବହୁ ଦୂରେ ରଖିଲାଣି । ଅଥଚ ‘ଉପଭୋଗ’ ହିନ୍ଦୁ ବିବାହର ଉଦ୍ଦେଶ୍ୟ ସୁଦ୍ଧା ନୁହେଁ ।

 

ହିନ୍ଦୁର ଅନୁଷ୍ଠେୟ ବିବାହ ନୀତି ହେଉଛି,କନ୍ୟାପ୍ୟେବ ପାଳନୀୟା ଶିକ୍ଷଣୀୟା ଚ ଯତ୍ନତଃ, ଦେୟା ବରାୟ ବିଦୁଷେ ଧନରତ୍ନସମନ୍ଵିତା । କିନ୍ତୁ ସମାଜର ମନୋଭାବ କେଉଁ ଦିଗରେ-? ସବୁ କନ୍ୟା ସମାଜରେ ସ୍ନେହମୟୀ, ସ୍ନେହମୟୀ ହୋଇ ପାଳିତା । ପୁତ୍ର ସଙ୍ଗେ ସମାନ ନ ହୋଇ ପୁତ୍ରାଧିକ ହେଉଥିବାରୁ ଶିକ୍ଷାରୁ ବଞ୍ଚିତ । ଶିକ୍ଷାରୁ ବଞ୍ଚିତା ଥିବାରୁ ବିଦୁଷେ ବରେ ଦେୟା ନୁହେଁ । ତେବେ ଧନରତ୍ନ ସମନ୍ୱିତା ନ ହେଲେ ଜାହାନ୍ନାମେ ନୁହେଁ । ତେବେ ଧନରତ୍ନ କେବଳ କଥାରେ ପର୍ଯ୍ୟବସିତ ରହିଥିବା ସ୍ଥଳେ ଲକ୍ଷ୍ମୀଛଡ଼ା ଏ ଜାତି ତା’ ନ କରି ରହିବ କିପରି ? ଫଳରେ ଗାଈ ବାଛୁରୀ ମୂଲ୍ୟରେ ବିକ୍ରିତା ହେଲେ, ଆମେ ତାକୁ କହୁଛୁଁ ‘ବିବାହ’ । ବିବାହରେ ସମାଜ ଜର୍ଜ୍ଜରିତ । କେବଳ ହିନ୍ଦୁର କୁସଂସ୍କାର ସବର୍ଣ୍ଣ ବିବାହ ହିଁ ହିନ୍ଦୁ ସମାଜକୁ ରକ୍ଷା କରିବାକୁ କ୍ଷୀଣ ଚେଷ୍ଟା ଚଳାଇ ଏ ଜାତିର ଅବଶେଷକୁ ବଜାୟ ରଖିଛି । ଶିକ୍ଷା କହିଲେ, ଆମେ ବୁଝୁ ସହଶିଷା-। ଯୁବକ ଓ ଯୁବତୀଙ୍କ ହାଇସ୍କୁଲ ଓ କଲେଜରେ ସହବାସ । ଯୁବତୀପକ୍ଷେ ହାଇ ହିଲ୍ ଜୋତା ପର୍ଯ୍ୟନ୍ତ ଏବଂ ଯୁବକ ପକ୍ଷେ ସ୍କୁଲ, କଲେଜ ଛାଡ଼ି ତଥାକଥିତ ଶ୍ରମିକା ସହ ପଳାୟନ-। ଆମ ଶାସ୍ତ୍ରରେ ଲେଖା ଅଛି, ସ୍ତ୍ରୀ, ପିତା, ଯୁବକ, ପୁତ୍ର ବା ଭାଇ ସଙ୍ଗେ ମଧ୍ୟ ଏକାସନରେ ବସିବ ନାହିଁ-। ଆମର ଶାସ୍ତ୍ରକାରମାନେ ବୁଝିଥିଲେ, ସହଶିକ୍ଷାର ମୂଲ୍ୟ ଓ ଉପଯୋଗିତା । ଶିକ୍ଷା ଲେଖାପଢ଼ାରେ ବା ସ୍କୁଲ, କଲେଜରେ ପର୍ଯ୍ୟବସିତ ନୁହେ । ବିଶେଷରେ ସ୍ତ୍ରୀ ଶିକ୍ଷା ପାଇଁ ସ୍କୁଲ, କଲେଜର ଆବଶ୍ୟକତା ନ ଥିବାର ଅନୁମତ ହୁଏ । ଆଜିର ସ୍କୁଲ, କଲେଜରୁ କେତେ ଜଣ ସୀତା, ସାବିତ୍ରୀ, ଦମୟନ୍ତୀ ବାହାରୁଛନ୍ତି ? ଲେଖାପଢ଼ା ଶିକ୍ଷାର ଏକ ଗୌଣ ଅଙ୍ଗ ମାତ୍ର । ମାତୃତ୍ଵ ଓ ଧାତ୍ରୀତ୍ଵ ଶିକ୍ଷା ପାଇଁ ଭାରତୀୟ ସମାଜ ପ୍ରଶସ୍ତ । ଆଜିର ସହଶିକ୍ଷା, ଶିକ୍ଷାର ଢପ ମାତ୍ର ଏବଂ ଭାରତୀୟ ଖ୍ରୀଷ୍ଟିୟାନର କେବଳ ଉପଯୁକ୍ତ । ବିବାହିତ ଜୀବନର ତାହା ଘୋର ପରିପନ୍ଥୀ । ଯଦି ହାଇ ହିଲ୍ ରଖିବ, ତେବେ ଅନ୍ତତଃ ଖ୍ରୀଷ୍ଟିୟାନର ଅଳ୍ପ ଖର୍ଚ୍ଚ ସହ ବିବାହ ଚଳାଅ, ଜାତିଭେଦ ରକ୍ଷା ନାହିଁ, ଚକ୍ଷୁର ମୋହରେ ବିବାହ କର । ବାପ ମା ବା ଅଭିଭାବକର ସମ୍ମତିର ଆବଶ୍ୟକତା କାହିଁକି-? ଛାଡ଼ପତ୍ରରେ ଆଉ ଦୋଷ ନ ଥିବ ।

 

ବିବାହ ପାଇଁ କେତେବେଳେ ପାତ୍ର, କେତେବେଳେ ବା ପାତ୍ରୀ ଜୁଟାଇବାକୁ ଯେଉଁ ଆୟାସ କରାଯାଏ, ତାହା ଜୀବନରେ ସୁଖକର ନୁହେ । ବିବାହ ଖର୍ଚ୍ଚ କୃତ୍ରିମ ଓ ଆଧୁନିକ । ସବୁଠାରେ ତାହା ସମାନ ନୁହେଁ । ପାତ୍ରପାତ୍ରୀ ଜୁଟାଇବେ ଅଭିଭାବକ । ପାତ୍ରପାତ୍ରୀ ପରସ୍ପର ଅଚିହ୍ନା । ଗ୍ରହଣ କରିବା ବା ନ କରିବାରେ ସେମାନଙ୍କର ଉଚୁଁ କରିବାର ନାହିଁ । ତେଣୁ ବିବାହ ଅନେକ କ୍ଷେତ୍ରରେ ବିଫଳ ହେଉଛି । ଏ ବିଫଳତା ପାଇଁ ଯେତେ ଆୟାସ କରାଗଲା ତାହା ଅସହ୍ୟ । ସଫଳତା କ୍ଷେତ୍ରରେ ଅବଶ୍ୟ ଆୟାସ କରଣୀୟ ଥିବା ପରି ଜଣାଯାଏ । ବେଳେବେଳେ ମନେହୁଏ, ଅପରିଚିତ ଦୁଇଜଣ ମଧ୍ୟରେ ବିବାହ ଶୁଭଙ୍କର । କାରଣ ଉଭୟେ ଅ, ଆ ରୁ ଆରମ୍ଭ କରନ୍ତି । କିନ୍ତୁ ବିବାହ ପୂର୍ବେ ଷତ ଯୋନି ହୋଇଥିଲେ, ଯେତେ ଭ୍ରମ ପ୍ରମାଦ ଆସି ପଡ଼େ । ବର୍ତ୍ତମାନ ଯେପରି ସମୟ ଆସି ପହଞ୍ଚିଛି, ସେଥିରେ ନିର୍ବାଚନରେ ପାତ୍ରପାତ୍ରୀ ଭାଗ ନ ନେଲେ ଓ ବିବାହ ସେମାନଙ୍କର ମନୋମତ ନ ହେଲେ, ବିବାହ ଆଉ ଫଳପ୍ରଦ ହେଉନାହିଁ । ପୁଣି ପାତ୍ରପାତ୍ରୀଙ୍କର ଉପରେ ନିର୍ବାଚନ ଭାର ରହିଲେ, ବିବାହ ଢପ କମି ଯାଆନ୍ତା । ଖର୍ଚ୍ଚ ତ କମି ଯାଆନ୍ତା । ସଙ୍ଗେ ସଙ୍ଗେ ପାତ୍ରପାତ୍ରୀର ବିବାହର ଯୋଗ୍ୟତା ରହିଛି କି ନ ନିଜେ ଉପଲବ୍‍ଧି କରନ୍ତେ ଏବଂ ତତପୂର୍ବେ ବିବାହ ଯୋଗ୍ୟତା ଅର୍ଜୁନ କରିବାକୁ ବାଧ୍ୟ ହୁଅନ୍ତେ । ଅଶିକ୍ଷିତ ସମାଜରେ ବରଂ କନ୍ୟାର ଘରକରଣା ଶିଖିବାର କିଛି ସୁଯୋଗ ଅଛି, କିନ୍ତୁ ଆଧୁନିକ ଶିକ୍ଷାପ୍ରଣାଳୀ କନ୍ୟାର ସେ ଶିକ୍ଷାର ମାର୍ଗରେ ମଧ୍ୟ ପ୍ରତିବନ୍ଧକତା ଆଣୁଛି । ତଦ୍ଦ୍ୱାରା “ଲଜ୍ଜାରୂପଂ ସୁନାରୀଣାଂ” ପାଇ ସ୍ତ୍ରୀମାନଙ୍କର କୁକାର୍ଯ୍ୟେ ସଙ୍କୋଚ ଚାଲିଯାଉଛି । ଅଶିକ୍ଷିତ ଏବଂ ନିର୍ଦ୍ଧନମାନଙ୍କର ବିବାହ ସଙ୍ଗେ ଶିକ୍ଷିତ ଓ ଧନିମାନଙ୍କର ବିବାହ ସଫଳତା କ୍ଷେତ୍ରରେ ତୁଳନୀୟ ନୁହେଁ ।

 

ଅନେକେ ଭାବି ନିଅନ୍ତି, ପୁରୁଷ ପକ୍ଷେ ନିର୍ବାଚନ ସହଜ, କାରଣ ସବୁ ସ୍ଥାନ ତା’ ପକ୍ଷରେ ଅବାରିତ । କିନ୍ତୁ ସେଥିପାଇଁ ତା’ ପକ୍ଷେ ନିର୍ବାଚନ କଠିନ ହୋଇପଡ଼େ । ସମାଜ ତା’ ପାଇଁ ଅନ୍ଦର ମହଲ୍ ଖୋଲି ଦେଇଥିବାରୁ ବିପଦ ବରଣ କରୁଛି । ପାତ୍ରାପାତ୍ର ବିବେଚନା ନ କରି ଦ୍ଵାର ଅବାରିତ ରହିଲେ, ପରିବାର ଦୂଷିତ ହୁଏ । ସ୍ତ୍ରୀ ପକ୍ଷେ ନିର୍ବାଚନ ଆହୁରି କଠିନ । ମାତ୍ର ସାବିତ୍ରୀଙ୍କର ବର ନିର୍ବାଚନ ଆମ ଆଗରେ ରହିଛି । ଯଦି ଥରେ ପାତ୍ରୀ ମନରେ ବିଶ୍ଵାସ ଆସେ, ବିବାହ ପରମ ପବିତ୍ର ଏବଂ ଶ୍ରେଷ୍ଠ କର୍ତ୍ତବ୍ୟ, ତେବେ ‘ଲଜ୍ଜା’କୁ ସମ୍ବଳ କରି ବାପା ମା ଗୁରୁଜନଙ୍କ ସମକ୍ଷରେ ପାତ୍ରର ପୂର୍ଣ୍ଣ ପରିଚୟ ସକାଶେ ପାତ୍ର ସଙ୍ଗେ ଦେଖାସାକ୍ଷାତ, କଥୋପକଥନ ଓ ମିଳାମିଶା କରେ, ସେଥିରେ କଅଣ ଦୋଷ ଅଛି ? ଯେପର୍ଯ୍ୟନ୍ତ ସମାଜ ଏ ନିର୍ବାଚନ ବରଦାସ୍ତ ନ କରିଛି, ସେପର୍ଯ୍ୟନ୍ତ ବିବାହରେ, ସଫଳତା ଆଶା କରାଯାଇ ନ ପାରେ । ପୁରୁଷ ପକ୍ଷେ ଆଗମନେ ଗମନ ଓ ସ୍ତ୍ରୀ ପକ୍ଷେ ଭ୍ରୂଣହତ୍ୟା ବରଦାସ୍ତ କରୁଥିବା ସମାଜପକ୍ଷେ ଓ ସ୍ତ୍ରୀ ଅଧିକାର ପାଇଁ ଏପ୍ରକାର ବୋବାଳି ଛାଡ଼ୁଥିବା ସମାଜପକ୍ଷେ ଏହା ହେଉଛି ‘ହାଣ୍ଡିରେ ଖାଉଁ କିନ୍ତୁ ଗୋଡ଼ରେ ପଡ଼ିଲେ ଗାଧୋଇ ଯାଉଁ ।

 

ପାତ୍ରପାତ୍ରୀ ନିର୍ବାଚନ ହେବା ପରେ ମଧ୍ୟ କ’ଣ ବିବାହ ଢପ ଯାଉଛି ? ବିବାହ ଖର୍ଚ୍ଚରେ ସମାଜ ସର୍ବସ୍ୱାନ୍ତ ହେଉଛି । ଯାହାର ମାସିକ ଆୟ ଟ ୩୦ ଙ୍କା, କମ୍ ପକ୍ଷରେ ଗୋଟିଏ ବିବାହରେ ତା’ର ଖର୍ଚ୍ଚ ଟ ୩୦୦ ଙ୍କା । ଅବଶ୍ୟ ଯେଉଁ ସ୍ଥାନରେ ପାତ୍ର ବା ପାତ୍ରୀ ମୂଲ୍ୟର ଆଦାନ ପ୍ରଦାନରେ ନିର୍ବିଚିତ ବା ନିର୍ବାଚିତା କ୍ରେତାର ଇଚ୍ଛାନୁସାରେ ବିବାହ ଖର୍ଚ୍ଚ ଘଟେ । କ୍ରେତା ଧନୀ ଥିଲେ ସେଠାରେ ମଧ୍ୟ ବିବାହ ଖର୍ଚ୍ଚ କମ୍ ହୁଏ ନାହିଁ । ସମୟ ଆସେ ଯେତେବେଳେ ଲକ୍ଷ୍ମୀ କହନ୍ତି,“ମୋତେ ଛାଡ଼ ନ ହେଲେ ମାନ ସଂଭ୍ରମ ବା ଆଦବ୍ କାଇଦା ଛାଡ଼ । ଉଭୟଙ୍କୁ ରଖି ପାରିବ ନାହିଁ” । ସେତେବେଳେ ଘୋର ସଂସାରୀ ଆମେ କହିଥାଉଁ, “ମା ତମକୁ ଛାଡ଼ୁଛୁଁ କିନ୍ତୁ ଦୁନିଆଦାରି ଛାଡ଼ି କିପରି ଏ ଦୁନିଆରେ ରହିବୁଁ ?” ବିବାହ କ୍ଷେତ୍ରରେ ଆମେ ଅତି ମାତ୍ରାରେ ଲକ୍ଷ୍ମୀଛଡ଼ା ହେଉଛୁଁ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଦୁଃଖ ପାଉଛୁଁ । ପଶୁପକ୍ଷୀଙ୍କର ବିବାହ ନାହିଁ, ତେଣୁ ସେମାନେ ଏ ଦୁଃଖଭାଗୀ ନୁହନ୍ତି । ପଶୁପକ୍ଷୀ ବରାବର ପଶୁଧର୍ମ, ପଖୀଧର୍ମ ପାଳନ କରି ନୀରବଚ୍ଛିନ୍ନ ସୁଖରେ ଚଳି ଯାଉଛନ୍ତି । ମାତ୍ର କ୍ଷୟରୁ ବଞ୍ଚିବାକୁ ବଂଶପରମ୍ପରା ରଖିବାକୁ ବିବାହିତ ହୋଇ ଆମେ ଏ ଭାବେ ମରଣ ବରଣ କରିବୁଁ, ବିବେକ ବା ଧର୍ମ ବୁଦ୍ଧିରେ ଜଳାଞ୍ଜଳି ଦେବୁଁ, ଏହା ଭଗବତ୍‍ ଉଦ୍ଦିଷ୍ଟ ନୁହେଁ । ହାୟ ଢପ, ତୋତେ ଜୁହାର କରି ମଧ୍ୟ ମନୁଷ୍ୟ ଏତେ ଅସହାୟ ହୋଇ ପଡ଼ୁଛି ଯେ ତୋତେ ଛାଡ଼ିବାକୁ ଯାଇ ସାଧୁ ବନି ଅସାଧୁତା କରୁଛି ବା ତୋତେ ରଖି ନରକ ଗମନ କରୁଛି । କାହିଁକି ପ୍ରଭୁ ମନୁଷ୍ୟ ଉପରେ ଏତେ ଅକରୁଣା ।

Image

 

(୧୦)

ପର୍ବପର୍ବାଣି

 

ପୁତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତ୍ୟା ପ୍ରୟଚ୍ଛତି ।

ତଦହଂ ଭକ୍ତ୍ୟୁପହୃତମଶ୍ନାମି ପ୍ରୟତାତ୍ମନଃ । ଗୀତା ।

 

କାହିଁ ? ଭଗବାନ ତ କହୁ ନାହାନ୍ତି, ତିଳ ତଣ୍ଡୁଳ, ଘୃତ ବା ଖଣ୍ଡ, ଧନରତ୍ନ ବା ଟଙ୍କା ସୁନା ଦେଲେ ସେ କେବଳ ତାହା ଗ୍ରହଣ କରିବେ । ସ୍ଵଚ୍ଛନ୍ଦ ଜାତ ପତ୍ର ପୁଷ୍ପ ଫଳ ପାଣି ଯାହାର ମୂଲ୍ୟ ଦେବାକୁ ପଡ଼େ ନାହିଁ ବା ବେଶି ଆୟାସ କରିବାକୁ ହୁଏ ନାହିଁ ତାହା ଯଦି ଶ୍ରଦ୍ଧା ବା ଭକ୍ତି ସହିତ ଦିଆଯାଏ, ତାହା ପ୍ରଭୁ ଆନନ୍ଦରେ ଗ୍ରହଣ କରନ୍ତି । ଆକାଶଯାନ, ଜଳଯାନ, ଓ ବାଷ୍ପୀୟ ଯାନ ଯୁଗରେ ବୃହତ୍‍ କାଷ୍ଠ ନିର୍ମିତ ପୁରୀର ରଥ ଯାନକୁ ଏତେ ଆୟାସ କରି ଲକ୍ଷ ଲକ୍ଷ ଲୋକ ମାଇଲ ମାଇଲ ଧରି ଟାଣିବାର ଉପଯୋଗିତା କେବେ ଥିଲା ଯେ ଆଜି ତାକୁ ଧରି ଏତେ ଟାଣି ଓଟାରି ହେବା ଏ ବୈଜ୍ଞାନିକ ଯୁଗରେ କେତେ ଦୂର ଶୋଭନୀୟ ତାହା କିଏ ଭାବୁଛି । ପୁଣି ପୋଲିସ ଯଦି ପ୍ରାଣାନ୍ତ ପହରାରେ ନିଯୁକ୍ତ ନ ଥାନ୍ତେ ଭକ୍ତି ତଦ୍‍ଗତ କେତେ ଯେ ଲୋକ ରଥଚକ ତଳେ ଆତ୍ମଦାନ ଓ ସର୍ବସ୍ଵ-ଦାନ କରନ୍ତେ ତାହା କିଏ କହିବ ? ପୁରୀର ରଥଯାତ୍ରା ଯେଉଁମାନେ ଦେଖିଛନ୍ତି, ସେମାନେ ଜାଣନ୍ତି ରଥଯାତ୍ରା ବେଳେ କାନ୍ଦିବା ଲୋକସଂଖ୍ୟା କେତେ । କେତେ ଆନନ୍ଦରେ କେତେ ଦୁଃଖରେ କେତେ ବା ପ୍ରତାରଣା ପାଇଁ କାନ୍ଦନ୍ତି ତାହା ବୁଝିବା ମୁସ୍କିଲ । ଆନନ୍ଦରେ କନ୍ଦିବା ଲୋକସଂଖ୍ୟା ଅତି କମ୍ । ଅସୁବିଧାରେ ପଡ଼ି ଦୁଃଖରେ କାନ୍ଦିବା ଲୋକସଂଖ୍ୟା ଅତି ଅଧିକ । ଘରୋଇ ମନ୍ତ୍ରୀ ଥିବା ବେଳେ ଶ୍ରୀକାନୁନଗୋ ସାଧୁବେଶଧାରିଙ୍କୁ ଯେତେବେଳେ ଛେଚିଲେ, ତାହା ଯେ ଦେଖିଛି ସେ ସ୍ଵୀକାର ନ କରି ରହି ପାରିବ ନାହିଁ । ତଥାପି ଏ ଆୟାସ ଯଦି ସରଳ ଓ ନିରୀହ ହୋଇଥାନ୍ତା, ତେବେ ବା ସହା ଯାଆନ୍ତା । ଯେଉଁ ଜାତି ରଥଯାତ୍ରାରେ କୋଟି ଟଙ୍କାର କେବଳ ବସ୍ତ୍ର ଯୋଗାଏ ଓ ବ୍ୟୟ କରେ, ସେ ଜାତି କଅଣ ଦରିଦ୍ର ? ରଥଯାତ୍ରା ପର୍ବରେ ଯେଉଁ ଜାତି ଆଶାଭରସାର ସ୍ଥଳ ଶିଶୁମାନଙ୍କୁ କୋଟି ଟଙ୍କାର ବିଷ କିଣି ଖୁଆଇ ଦିଏ, ସେ ଜାତି ଯେ ଆଜି ପର୍ଯ୍ୟନ୍ତ ବଞ୍ଚିଛି ଏହା ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ । ସଚରାଚର ଦେଖାଯାଏ,ପଚା ସଢ଼ା ଘିଅ ତେଲ ଅଟା ବେସନ ଯାହା ବର୍ଷଯାକ ଧରି ବିକ୍ରି ତ ହୋଇ ନ ଥାଏ ଓ ପଡ଼ିରହି ଅଖାଦ୍ୟ ପାଲଟି ଯାଇଥାଏ । ରଥଯାତ୍ରା ବେଳେ ଓଡ଼ିଶାର ପୁରପଲ୍ଲୀରେ ତହିଁର ଅସ୍ତିତ୍ୱ ରହେ ନାହିଁ । ତାହା ବିଶେଷରେ ଶିଶୁମାନଙ୍କର ପେଟରେ ପଡ଼ିଥାଏ ଏବଂ ହଜମ ନ ହୋଇ କଲେରା, ଆମାଶୟ ପ୍ରଭୃତି ରୋଗ ଆକାରରେ ଜାତିର ଅନେକଙ୍କୁ ହଜମ କରିଥାଏ । ବସ୍ତ୍ର, ଅଳଙ୍କାର ଓ ନାନାବିଧ ଭୋଜନ ଓଡ଼ିଆ ଜାତିର ଶିଶୁର ଜୀବନ ଗଠନରେ ବାଧା ଦେଉଥିବାର ଏ ପ୍ରକାର ଢପ ଓଡ଼ିଶା ଛଡ଼ା ପୃଥିବୀର ଅନ୍ୟତ୍ର ଦେଖିବାକୁ ମିଳେ ନାହିଁ ।

 

ଫାଲଗୁନ ପୂର୍ଣ୍ଣମୀର ‘ହୋଲିରେ’ ଭାରତୀୟ କୋଟି କୋଟି ରଙ୍ଗ ଓ ବସ୍ତ୍ର ନଷ୍ଟ କରେ । ବାପୁଜୀ ବିବ୍ରତ ହୋଇ କେବଳ ‘ଅବିର’ ବ୍ୟବସ୍ଥା ରଖି ତାକୁ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା କଲେ । ସ୍ଵାଧିନତାର ଏତେ କାଳ ପରେ ମଧ୍ୟ ତାହା ସଫଳ ହୋଇ ନାହିଁ । ଦଶହରା ବେଳେ ଦୁର୍ଗୋତ୍ସବରେ ମଧ୍ୟ ଏ ପ୍ରକାର କୋଟି କୋଟି ଅର୍ଥ ଶ୍ରାଦ୍ଧ ହୁଏ । ବସନ ଭୂଷଣରେ, ଖାଦ୍ୟ ପାନ ବା ଅଖାଦ୍ୟ ଓ ବିଷ ପାନରେ ଦେହ ଓ ମନ ଏପରି ଜର୍ଜରିତ ହୁଏ । ରଥଯାତ୍ରା ଦଶହରା ଓ ହୋଲିରେ ଯେଉଁ ଜାତି ଏପ୍ରକାର କୋଟି କୋଟି ଟଙ୍କା ଅଯଥା ବ୍ୟୟ କରେ, ସେ ଜାତି “ମୈ ଭୁଖା ହୁଁ,” “ବାବା ପଇସାଟିଏ ଦିଅ, ମୁଁ କିଛି ଖାଇ ପ୍ରାଣ ବଞ୍ଚାଇବି” ବୋଲି ନ କହିବ ତ ଆଉ କିଏ କହିବ ?

 

ସମ୍ବଲପୁର ଜିଲ୍ଲାର ‘ନବାନ୍ନ’ ଆଦି ପର୍ବ ପରି ୩୬୫ ଦିନକୁ ୩୬୪ ଟା ପର୍ବ ଜାତି ଉପରେ ପର୍ବତ ହୋଇ ମାଡ଼ି ବସିଛି । ତାକୁ ଲଙ୍ଘନ କରିବାକୁ ଜାତି ପଙ୍ଗୁ ହୋଇଛି । ଏତେବେଳକୁ ସାଧାରଣ ପାଠକ ବିବ୍ରତ ହୋଇ ପାଦୁକା ହସ୍ତ ହୋଇଥିବେ । ମାତ୍ର ଦୁର୍ମୁଖ ଲେଖକ ହାତଯୋଡ଼ି କହେ ପାଦୁକା ପାଦକୁ ସୁନ୍ଦର, ହାତକୁ ନୁହେଁ । ଆଉ ପାଠକର ମନୁଷ୍ୟ ପଣିଆରେ ଲେଖକ ବିଶ୍ଵାସ ହରାଇ ନ ଥିବାରୁ ଏପରି ଲେଖୁଛି । ଲେଖକ ପାଠକ ସଙ୍ଗେ ସମାନ ହିନ୍ଦୁ ଥିବାର ଦାବି କରେ, ସନାତନ ଧର୍ମରେ ତା’ର ଅଖଣ୍ଡ ଆସ୍ଥା ରହିଛି । ତେଣୁ ଏ ବୋବାଳି ଛାଡ଼ିଛି । ଅନ୍ୟ ଧର୍ମ ପ୍ରତି ‘ଉଦାରତା’ ହିନ୍ଦୁର ଯେ ବିଶେଷତ୍ଵ, ଲେଖକ ସେ ଦିଗରେ ଅବିଚଳିତ । ଥରେ ଭାବି ଦେଖୁଁ ପର୍ବପର୍ବାଣି କାହିଁ ପାଇଁ ? ସ୍ମୃତିପୂଜା ପାଇଁ ତ ? ଆଉ ସ୍ମୃତିପୂଜା ଯେ ଜାତି ଜାଣେ ନାହିଁ, ସେ ଜାତିର ଉନ୍ନତି କାହିଁ ? ସ୍ମୃତିପୂଜାରେ ଢପର ଆବଶ୍ୟକତା କେଉଁଠାରେ ? ପବିତ୍ର ହୃଦୟରେ ଗୁଣୀର ଗୁଣ ଗ୍ରହଣ ସ୍ମୃତିପୂଜାର ମୂଳସୁତ୍ର, ଶ୍ରଦ୍ଧା ପବିତ୍ରତାର ଅନ୍ୟ ନାମ । ଭାଗବତରେ ଅଛି ଶ୍ରୀକୃଷ୍ଣ କହିଛନ୍ତି, ‘ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ, ମୁଁ ତାହା ଛୁଇଁବି କେମନ୍ତେ ? ’ ପୂଜା ଶ୍ରଦ୍ଧା ପାଇଁ । ଏଥିରେ ବାଧ୍ୟବାଧକତାର ସ୍ଥାନ ନାହିଁ । ଏ ବାଧ୍ୟବାଧକତା ହିଁ ଢପ ଅଟେ । କୃତଜ୍ଞତା ଜ୍ଞାପନ ମଧ୍ୟ ପୂଜା ଅଟେ । ଶ୍ରଦ୍ଧା ନ ଥିଲେ କୃତଜ୍ଞତା ଜ୍ଞାପନ ଆସି ନ ପାରେ । ନବାନ୍ନରେ ଲୋକେ ଦେବତାଙ୍କୁ ଓ ପିତୃଲୋକଙ୍କୁ ଶ୍ରଦ୍ଧାଜ୍ଞାପନ କରନ୍ତି କେବଳ ସ୍ମୃତିପୂଜା ପାଇଁ । ହୃଦୟର ଶ୍ରଦ୍ଧାଜ୍ଞାପନ କରିବାକୁ ରାମ ନବମୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ଗାନ୍ଧୀ ଜୟନ୍ତୀ ଆଦି ଅବଶ୍ୟ ପାଳନୀୟ । ତେବେ ପର୍ବପର୍ବାଣିର ଉଦ୍ଦେଶ୍ୟ ଏତେ ମହତ୍‍ ଥାଇ ମଧ୍ୟ ତାହା କରିବାକୁ ଯାଇ ଏ ଜାତି ଏତେ ବିବ୍ରତ ହୋଇଛି କାହିଁକି ?

 

ନାସ୍ତିକ ବୌଦ୍ଧ ଧର୍ମ ଓ ସନାତନ ଧର୍ମର ସଂଘର୍ଷ ଅନେକ ଶତାଦ୍ଦୀ ଧରି ଚାଲିଥିଲା । ଶେଷରେ ଭଗବାନ୍ ଶଙ୍କରଚାର୍ଯ୍ୟ ବୌଦ୍ଧଧର୍ମକୁ ଭାରତରୁ ଲୋପ କରିଦେଲେ, ସନାତନଧର୍ମ ବିଜୟ ଲାଭ କଲେ ମଧ୍ୟ ତା’ର ମେରୁଦଣ୍ଡ ଦୁର୍ବଳ ହୋଇ ପଡ଼ିଥିଲା । ଧର୍ମ କ୍ଷେତ୍ରରେ ବିଶ୍ଵାସ ନ ଯଯୌ ନ ତସ୍ଥୌ ହେବା ବେଳେ ନାନା କୁସଂସ୍କାର ସେଥିରେ ସହଜେ ପ୍ରବେଶ କଲା । ତେଣୁ ସମାଜ ସଂସ୍କାରକଗଣ କଡ଼ା ନିୟମମାନ ଜାରି କଲେ । ଅମୁକ ଦିନ ଅମୁକ ଜିନିଷ ଖାଇବ ନାହିଁ, କ୍ଷୌର ହେବ ନାହିଁ, ଲୁଗା ଧୋବାଦ୍ଵାରା ଧୋଇବ ନାହିଁ । ସଂକ୍ରାନ୍ତି ଗ୍ରହଣ ଆଦି ସମୟ ଛଡ଼ା ଅନ୍ୟ ସମୟରେ, କାଶୀ, ଗୟା, ପ୍ରୟାଗ, ଆଦି ଛଡ଼ା ଅନ୍ୟ ସ୍ଥାନରେ, ବ୍ରାହ୍ମଣ ଛଡ଼ା ଅନ୍ୟ ପାତ୍ରରେ ‘ଦାନ‘ କଲେ ତାହା ସାତ୍ତ୍ଵିକ ଦାନ ନୁହେଁ । ଅମୁକ ଦିନ ମରିବ ନାହିଁ, ମଲେ ନରକ ଭୋଗ କରିବ । ଅମୁକ ଦିନ ଜନ୍ମିବ ନାହିଁ, ଜନ୍ମିଲେ ଜାତକ ଚିରଦୂଃଖୀ ଓ ମୂର୍ଖ ହେବ । ତାର ଛୁଆ ବଞ୍ଚିବ ନାହିଁ । ନିୟମଗୁଡ଼ିକ ଏତେ କଡ଼ା ହେଲା ଯେ ନିୟମର ହେତୁ ଠିକ୍‍ କରିବା ପର୍ଯ୍ୟନ୍ତ ମୁସ୍କିଲ ହେଲା । ସମସ୍ତେ ଦାନ ପାଇବାକୁ ବ୍ରାହ୍ମଣ ବେଶ ଧଇଲେ । କାଶୀ, ପ୍ରୟାଗ ଆଦି ସ୍ଥାନ ଭଣ୍ଡମାନଙ୍କର ନିବାସ ହୋଇ ଲୋକ ଗହଳରେ ତୀର୍ଥସ୍ଥାନମାନ ଭରିଗଲା । ବୃନ୍ଦାବନ, ନବଦ୍ଵୀପ, ବୈଷ୍ଣବ, ବୈଷ୍ଣବୀଙ୍କ ଆଡ଼୍‍ଡ଼ା ହେଲା । ପତିତ, ପତିତା ସମସ୍ତେ ବୈଷ୍ଣବ ସାଜିଲେ । ବୈଷ୍ଣବ ଧର୍ମ ରସାତଳକୁ ଗଲା । ଠିକ୍ ଏହି ସମୟରେ ଦେଶ ମୁସଲମାନ ହାତକୁ ଗଲା । ଧର୍ମ ବିଶ୍ଵାସ ହୁଗୁଳା ହୋଇ ପଡ଼ିବାରୁ ଶହଶହ, ହଜାର ହଜାର ହିନ୍ଦୁ ସହଜେ ମୁସଲମାନ ହେଲେ । ପରେ ଖ୍ରୀଷ୍ଟିୟାନ ଶାସକ ଭାରତରେ ଆସନ ଜମାଇଥିବାରୁ ଶାସକକୁଳରେ ପରିଗଣିତ ହେବାକୁ ଏବଂ ବୈଷୟିକ ସୁବିଧା ପାଇବାକୁ ଲକ୍ଷ ଲକ୍ଷ ହିନ୍ଦୁ ଖ୍ରୀଷ୍ଟିୟାନ ମଧ୍ୟ ହେଲେ । ଭାରତରେ ଧର୍ମବିଶ୍ଵାସ ଊଣା ହୋଇ ଯାଇଥିବା ଫଳରେ ଅହିନ୍ଦୁ ଜନସଂଖ୍ୟା ଦେଶରେ ବଢ଼ିଗଲା । ଇଂରାଜ ଶାସକ ଯିବାବେଳେ ପ୍ରତିହିଂସା ପରାୟଣ ହୋଇ ଭାରତକୁ ଦ୍ଵିଖଣ୍ଡ କରି ଭାରତର ପେଟ ଚିରି ଦେଇଗଲେ । ପାକିସ୍ତାନ ଦେଖା ଦେଲା ।

 

ପର୍ବପର୍ବାଣି ଆଲୋଚନା ସଙ୍ଗରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ବନ୍ଧରେ ପଦେ ଅଧେ ନ ଲେଖିଲେ ତାହା ଅସମ୍ପୂର୍ଣ୍ଣ ରହିବ । ଯେ ମଲା ତ ସେ ଗଲା । ବଞ୍ଚି ରହିଥିବା ଲୋକ ପକ୍ଷେ ତାହା ବିଷମ ସମସ୍ୟା । ଆଖିରେ ଦେଖିବାକୁ ହେଉଛି, ମୃତ ବ୍ୟକ୍ତି ଉପରେ ପରିବାର ନିର୍ଭର କରୁଥିଲା । ପରିବାରର ବଞ୍ଚି ରହିବାକୁ ସେ ଯାହା ସଞ୍ଚୟ କରି ଯାଇଥିଲା, ଅନ୍ତ୍ୟେଷ୍ଟିକ୍ରିୟାରେ ଶେଷ ପାଇଯାଏ-। ଅନ୍ତ୍ୟେଷ୍ଟିକ୍ରିୟା ଧନିକ ପରିବାରରେ ମଧ୍ୟ ଏତେ ଦୁଷ୍ପ୍ରଭାବ ପକାଏ ଯେ ଗୋଟିଏ ଗୋଟିଏ ଧନିକ ପରିବାରର ସୁଦ୍ଧା ଅନ୍ତ୍ୟେଷ୍ଟିକ୍ରିୟାରେ ସମସ୍ତ ସମ୍ପତ୍ତି ଶେଷ ହୋଇଯାଏ-। ମଧ୍ୟବିତ୍ତ ପରିବାରରେ ଅନ୍ତ୍ୟେଷ୍ଟିକ୍ରିୟା ବଡ଼ ମାରାତ୍ମକ । ଉଚ୍ଚବର୍ଣ୍ଣ ହେଲେ ତ ଆଉ ରକ୍ଷା ନାହିଁ-। ୧୨ ଦିନ ପର୍ଯ୍ୟନ୍ତ ଘୋଷବନ୍ତ ମୂର୍ଖ ପୁରୋହିତ ସଂସ୍କୃତ ମନ୍ତ୍ର ଉଚ୍ଚାରଣ କରୁଥିବେ, ଯାହାର ଗୋଟିଏ ସେ ନିଜେ ବୁଝନ୍ତି ନା ଅନ୍ତ୍ୟେଷ୍ଟିକର୍ତ୍ତା ବା ତାଙ୍କ ପରିବାର ବୁଝନ୍ତି । ଦ୍ଵାଦଶ ଦିନ ଅପରାହ୍ନରେ ପୁରୋହିତ ଘରକୁ ଯିବାବେଳେ ବା ମୃତକର ବାସନବର୍ତ୍ତନ, ଖଟ, ପୀଢ଼ା ଓ ଚାଉଲାଦି ଶଗଡ଼େ ଧରି ଯିବା ରାସ୍ତାରେ ଚାଉଲାଦି ସ୍ୱଳ୍ପ ମୂଲ୍ୟରେ ବିକି ଦେଇ ଦକ୍ଷିଣାରେ ତାକୁ ମିଶାଇ ଟଙ୍କାର ଚାକଚକ୍ୟରେ କୃତାର୍ଥ ହୋଇ ମୋତେ ଯେପରି ମୃତକୁ ବୈକୁଣ୍ଠ ଟେକି ଦିଅନ୍ତି । ସଚରାଚର ଏପରି ପୁରୋହିତ ପରିବାରରେ ଯେ ଦୁର୍ନୀତି ଦେଖିବାକୁ ମିଳେ ଅନ୍ୟତ୍ର ତାହା ବିରଳ । ଯୋଗ୍ୟତା ନଥାଇ ଦାନ ଗ୍ରହଣରେ ଦାତା ଓ ଗ୍ରହୀତା ଅପକଲ୍ୟାଣ ଅର୍ଜ୍ଜନ କରନ୍ତି । ନିମ୍ନସ୍ତରର ପରିବାରରେ ଏ ଢପ କମ୍ ଥାଏ, କାରଣ ଅଙ୍ଗୁର ଖଟା ଲାଗେ । ସେମାନଙ୍କର ଥିଲେ ଯେ ସେମାନେ ଅନ୍ୟମାନଙ୍କର ଅନୁକରଣ ନ କରନ୍ତେ ତାହା ନୁହେଁ । ତଥାପି ଜାତିଭୋଜିରେ ସେମାନେ ସେମାନଙ୍କର ୩ ମାସର ଆୟ ଖର୍ଚ୍ଚ କରି ୬ ମାସ ପର୍ଯ୍ୟନ୍ତ ପରିବାରକୁ ଅସୁବିଧାରେ ପକାଉଥିବାର ଦୃଶ୍ୟ ବିରଳ ନୁହେଁ ।

 

ପର୍ବପର୍ବାଣି କହ ବା ଅନ୍ତ୍ୟେଷ୍ଟିକ୍ରିୟା କହ । ‘ହାତେ ମାପି ଚାଖଣ୍ଡେ ଚାଲ’ ନୀତି ବାକ୍ୟ ଭୁଲିବାର ନୁହେଁ । ସ୍ମୃତିପୂଜା ବା ଶ୍ରଦ୍ଧା ହିଁ ଏହାର ମୂଳ । ଶ୍ରଦ୍ଧା ଓ ତପ ଏକ ଜାଗାରେ ନ ଥାନ୍ତି । ଶ୍ରଦ୍ଧାବିହୀନ ତପ ବିପଜ୍ଜନକ । ଶ୍ରଦ୍ଧା ମନୁଷ୍ୟତ୍ଵର ସୂଚନା ଦିଏ । ତେଣୁ ଯେସବୁ ପର୍ବପର୍ବାଣି କରିବାଦ୍ୱାରା ଆମେ ଶ୍ରଦ୍ଧା, ଭକ୍ତି ଆହରଣ କରୁଁ, ତାକୁ ରଖିବାକୁ ହେବ । ବର୍ତ୍ତମାନ ‘ଶ୍ରାଦ୍ଧ’ ନାମଧେୟ ତପକୁ ମୂଳୋତ୍ପାଟନ କରିବାକୁ ହେବ । ତାକୁ ମୂଳୋତ୍ପାଟନ କରି ‘ବସ୍ତ୍ରାଭାବେ ସୁତ୍ରଂ ଦଦ୍ୟାତ୍’ ନୀତିରେ ଭଗବାନଙ୍କ ପ୍ରତି ଓ ମୃତକ ପ୍ରତି ସଶ୍ରଦ୍ଧ ହେବାକୁ ପଡ଼ିବ ।‘ଯତ୍କରୋସି ସଦଶ୍ନାସି’ ନୀତିରେ ହିନ୍ଦୁର ପ୍ରତ୍ୟେକ କାର୍ଯ୍ୟରେ ‘ଭଗବତ୍‍ ଅନୁଭୂତି’ କୁ ମୂଳ ନୀତି କଲେ ଢପ ଆପେ ଆପେ କମିଯିବ । ମନେ ରଖିବାକୁ ହେବ, ମୁସଲମାନର ପୂଜା ନମାଜରେ ଓ ଶୁକ୍ରବାର ଦିନ, ଖ୍ରୀଷ୍ଟିୟାନର ପୂଜା ଗିର୍ଜାଘରେ ରବିବାର ଦିନ, ମାତ୍ର ହିନ୍ଦୁର ପୂଜା ମନ୍ଦିର ବା ତୀର୍ଥକ୍ଷେତ୍ରରେ, ସକାଳେ ବା ସନ୍ଧ୍ୟାବେଳେ ନୁହେଁ । ହିନ୍ଦୁର ପୂଜା ବା ଭଗବତ୍ ଅନୁଭୂତି ଅହୋରାତ୍ର ଏବଂ ଦିନର ୨୪ ଘଣ୍ଟାର ପ୍ରତ୍ୟେକ ଘଣ୍ଟାରୁ ୩୬୦୦ ସେକେଣ୍ଡରେ ।

Image

 

(୧୧)

ବସ୍ତ୍ରର ଢପ

 

ଖାଦ୍ୟ ଜୀବନ ରକ୍ଷା ପାଇଁ । ନ ଖାଇଲେ ୨।୪ ଦିନ ବଞ୍ଚିପାରିବ, କିନ୍ତୁ ବସ୍ତ୍ର ନ ଥିଲେ କେହି ପାଖକୁ ଆସିବେ ନାହିଁ । ଖାଇବାକୁ ଦେବେ ନାହିଁ ବା ନଗ୍ନ ହୋଇ ନିଜେ ଖାଦ୍ୟସଂଗ୍ରହ କରିପାରିବ ନାହିଁ । ବସ୍ତ୍ରହୀନର ମୃତ୍ୟୁ ଛଡ଼ା ଅନ୍ୟ ଗତି ନାହିଁ । ତେଣୁ ଖାଦ୍ୟର ଆବଶ୍ୟକତା ଅପେକ୍ଷା ବସ୍ତ୍ରର ଆବଶ୍ୟକତା ଅଧିକ । ଖାଦ୍ୟର ଅବଶ୍ୟକତା ବିଧିସୃଷ୍ଟ । କିନ୍ତୁ ବସ୍ତ୍ରର ଆବଶ୍ୟକତା ମନୁଷ୍ୟସୃଷ୍ଟ ଏବଂ କୃତ୍ରିମ । ଏହି କୃତ୍ରିମରେ ଆମେ ଏତେ ଅଭ୍ୟସ୍ତ ଯେ ଖାଦ୍ୟ ବରଂ ଛାଡ଼ି ପାରିବା, ବସ୍ତ୍ର ଛାଡ଼ି ପାରିବା ନାହିଁ । ଖାଦ୍ୟର ଆବଶ୍ୟକତା ବିଧିସୃଷ୍ଟ ଥାଇ ମଧ୍ୟ ଆମେ ସେଥିରେ ଏତେ ଜଞ୍ଜାଳ ଭରି ଦେଇଛୁଁ । ତେବେ କୃତ୍ରିମ ବସ୍ତ୍ର ବିଷୟରେ ବିକାରଶୂନ୍ୟ ହୋଇ ଆମେ ଆତ୍ମଘାତୀ ହେବୁଁ, ସେଥିରେ ଆଶ୍ଚର୍ଯ୍ୟ କିଛି ନାହିଁ । ସୂର୍ଯ୍ୟକିରଣ ବରଂ ସହି ହୁଏ, କିନ୍ତୁ ସୂର୍ଯ୍ୟକିରଣୋତ୍ତପ୍ତ ବାଲି ହାତରେ ଧରି ହୁଏ ନାହିଁ । ଏହି ତପ୍ତ ବାଲିରେ ଆଜି ଜାତିର ଜୀବନ ଦଗ୍‍ଧୀଭୂତ । ତେଣୁ ଉଲଙ୍ଗ ନ ହେଲେ ଜାତି ବଞ୍ଚି ପାରିବ ନାହିଁ । ଜାତିକୁ ବଞ୍ଚାଇବାକୁ ଗାନ୍ଧୀଜୀଙ୍କ କଟିବସ୍ତ୍ର । ତେଣେ ଚର୍ଚ୍ଚିଲ୍‍ ଗାନ୍ଧୀଜୀଙ୍କୁ ଗାଳି ଦେଇଥିଲେ, Naked Seditious Fakir, “ଉଲଙ୍ଗ ରାଜଦ୍ରୋହୀ ଫକୀର” । ଏତେ ସତ୍ତ୍ୱେ ବସ୍ତ୍ର ବିଷୟରେ ଯେ ସାବଧାନତା ଆବଶ୍ୟକ ତାହା ଉପଲବ୍‍ଧି କରି ପାରି ନ ଥିବାରୁ ଆମେ ସେ ତିମିରେ ସେ ତିମିରେ ପଡ଼ି ରହିଛୁଁ । ସେ ବିଷୟରେ ଶ୍ରୀଘ୍ର ସ୍ଵାବଲମ୍ବୀ ନ ହେଲେ ଆମର କଷ୍ଟାର୍ଜିତ ସ୍ଵାଧୀନତା ରକ୍ଷା କରି ପାରିବା ନାହିଁ ।

 

ମହାତ୍ମା ଗାନ୍ଧିଙ୍କର ଚାରି ହାତୀ ବସ୍ତ୍ରର କଥା ଧରାଯାଉ । ଏ କଟିବସ୍ତ୍ର ପାଇଁ ଗାନ୍ଧିଜୀଙ୍କ ପ୍ରତି କାହାରି ଭକ୍ତି କମି ନାହିଁ । ପକ୍ଷାନ୍ତରେ ଶିକ୍ଷିତ ସମାଜରେ ତାଙ୍କର ଏ ସତ୍‍ସାହସ ପାଇଁ ସେ ବେଶୀ ଭକ୍ତିଭାଜନ ହୋଇଛନ୍ତି । ସେ ଜଣେ ବାରିଷ୍ଟର ଥିଲେ । ଜଣେ ବାରିଷ୍ଟରଙ୍କ ପକ୍ଷେ ନିଜର ହାତକଟା ସୂତାରେ ଶରୀର ଆଚ୍ଛାଦନ ଦେବତ୍ଵ ସିନା, କିନ୍ତୁ ଦେଶରତ୍ନ ପଣ୍ଡିତ ଜବାହରଲାଲ ଯଦି ସେହି ଚାରିହାତୀ ଲେଙ୍ଗୁଟି ଧରିଥାନ୍ତେ, ସେ ଅଶ୍ରଦ୍ଧାର ପାତ୍ର ହୋଇ ପଡ଼ିଥାନ୍ତେ । ପୂର୍ବତନ ଋଷିମାନେ ବଶିଷ୍ଠ, ବିଶ୍ଵାମିତ୍ର ଆଦି ଲେଙ୍ଗୁଟି ଧାରଣ କରି ମଧ୍ୟ ଦରବାରରେ ବସି ରାଜ୍ୟ ପରିଚାଳନା ପାଇଁ ବ୍ୟବସ୍ଥା ଦେଉଥିଲେ ଏବଂ ଦେଶ ଓ ଦଶର ଭକ୍ତି, ଶ୍ରଦ୍ଧା ଆକର୍ଷଣ କରୁଥିଲେ । ଅସଲ କଥା ଦର୍ଶନ ରୁଚି । ଏ ରୁଚି ଆଖିର ବିକାର ମାତ୍ର । ନ ହେଲେ ବଶିଷ୍ଠ, ବିଶ୍ଵାମିତ୍ରଙ୍କର ଲେଙ୍ଗୁଟି, ଗାନ୍ଧିଜୀଙ୍କର କଟିବସ୍ତ୍ର ଏବଂ ନେହେରୁଜୀଙ୍କର ଆପାଦମସ୍ତକ ଲମ୍ବିତ ବସ୍ତ୍ରମଣ୍ଡନ ଏପରି ସମାନ ଭକ୍ତି, ଶ୍ରଦ୍ଧା ଆକର୍ଷଣ କରେ କାହିଁକି ? ମୂଳକଥା ବ୍ୟକ୍ତିତ୍ୱ । ବ୍ୟକ୍ତି ଭକ୍ତି, ଶ୍ରଦ୍ଧାର ପାତ୍ର ବା ଅପାତ୍ର, ବସ୍ତ୍ର ନୁହେଁ । ଚାଣକ୍ୟ ଗାଇଛନ୍ତି, ଦୂରତଃ ଶୋଭତେ ମୂର୍ଖଃ ଲମ୍ବଶାଟପଟାବୃତଃ । ଅବଶ୍ୟ ଏହା ଚାଣକ୍ୟ ଯୁଗର କଥା । ସମସ୍ତେ ମାନନ୍ତି, ଆଦି ପୁରୁଷ ଓ ଆଦି ସ୍ତ୍ରୀ ଉଲଙ୍ଗ ଅବସ୍ଥାରେ ଥିଲେ-। ଶୟତାନ ସେମାନଙ୍କୁ ସ୍ପର୍ଶ କରନ୍ତେ ସେମାନେ ମାୟାରେ ଆବଦ୍ଧ ହେଲେ ଏବଂ ପରେ ଜନକ, ଜନନୀ ହେବାରୁ ବସ୍ତ୍ର ପିନ୍ଧିଲେ । ଉଲଙ୍ଗ ନ ହେଲେ ସୃଷ୍ଟିରକ୍ଷା କାହିଁ ? ଆମେ ଉଲଙ୍ଗ ହୋଇ ଆସୁଁ, ଉଲଙ୍ଗ ହୋଇଯାଉଁ । ମଝିରେ ଶଇତାନୀ କରି ବସ୍ତ୍ର ପିନ୍ଧୁଁ । ବାଇବେଲରେ ଅଛି, ଆଦି ପୁରୁଷ ଓ ଆଦି ସ୍ତ୍ରୀଙ୍କୁ ଶୟତାନ ଛୁଇଁଦେବାରୁ ସେମାନଙ୍କୁ ମାୟା, ମୋହ ସ୍ପର୍ଶ କଲା ଏବଂ ପତ୍ରରେ ଗାତ୍ର ଆବରଣ କଲେ । ଏହି ପତ୍ରର ସ୍ଥାନ କ୍ରମେ ବଳ୍‍କଳ, ଚମଡ଼ା, ବସ୍ତ୍ର ଅଧିକାର କଲା-। ବସ୍ତ୍ରରେ ଭାରତ କ୍ରମେ ଏପରି ପରାକାଷ୍ଠା ଦେଖାଇଲା ଯେ ୬୦ ଗଜ ଢାକା ମସଲିନ ଗୋଟିଏ ପାନଡ଼ବା ଭିତରେ ରଖି ହେଉଥିଲା । ଶେଷରେ ବ୍ରିଟିଶର ବୁଦ୍ଧିରେ ଭାରତର ସେହି ଶିଳ୍ପ ଲୋପ ହୋଇ ମନଚେଷ୍ଟରରୁ ଭାରତ ଶାସିତ ହେଲା । ଗାନ୍ଧିଜୀଙ୍କର ଚାରି ହାତ କଟିବସ୍ତ୍ର ହିଁ ଭାରତକୁ ଉଦ୍ଧାର କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏବେ କଟିବସ୍ତ୍ରକୁ ଭାରତ ପିଙ୍ଗିଦେଇ ମିଲ୍‍ ଚଳାଇ ଭାରତକୁ ପୁଣି କୁମ୍ଭୀପାକକୁ ପଠାଇବାକୁ ପ୍ରଚେଷ୍ଟା ଚଳାଇଛି ।

 

ବସ୍ତ୍ରର ଆବଶ୍ୟକତା ଲଜ୍ଜା ନିବାରଣ ପାଇଁ, ଶୀତ, ଖରା ଓ ବର୍ଷାରୁ ଦେହରକ୍ଷା ପାଇଁ । ଶୀତ, ଖରା ଓ ବର୍ଷାରୁ ରକ୍ଷା ପାଇବାକୁ ଯେ ପରିମାଣ ବସ୍ତ୍ର ଆବଶ୍ୟକ, ଆମେ ଭାରତୀୟମାନେ ପରିମାଣକୁ ଟପି ଢପ ଧରିଛୁଁ ଏବଂ ବସ୍ତ୍ରର ଢପ ଆମର ଏତେ ବଢ଼ିଯାଇଛି ଯେ ଆମେ ଢପକୁ ଆବଶ୍ୟକତା ବୋଲି ଧରି ନେଇ ଦୁଃଖ ପାଉଛୁଁ । ଲଜ୍ଜା ନିବାରଣ ପାଇଁ ପୁରୁଷ ପକ୍ଷେ ୪ ହାତୀ କଟିବସ୍ତ୍ର ଓ ସ୍ତ୍ରୀ ପକ୍ଷେ ତାର ଦୁଇ ଗୁଣ ଯଥେଷ୍ଟ । ସେଥିରୁ ବେଶୀ ହେଲେ ଆଡ଼ମ୍ବର ବା ଢପ । ଗ୍ରୀଷ୍ମପ୍ରଧାନ ଭାରତରେ ସେଥିରୁ ବେଶୀ ହେଲେ କେତେଦୂର ସ୍ୱାସ୍ଥ୍ୟସମ୍ମତ ହେବ, ତାହା ଭାବିବାକୁ ଅବସର ନାହିଁ । ଉଲଗ୍ନ ଆଦିବାସୀମାନଙ୍କର ସ୍ୱାସ୍ଥ୍ୟ ଅନ୍ୟର ସ୍ୱାସ୍ଥ୍ୟଠାରୁ କେତେ ଭଲ ତାହା ଦେଖି କହି ଦେଖୁନାହୁଁ । ସେ ଆମଠାରୁ ସ୍ୱାସ୍ଥ୍ୟବାନ୍ ଓ ବଳବାନ୍ । ବୁଦ୍ଧିମାନ୍ କି ନୁହେଁ, ସେମାନଙ୍କୁ ଏ ଯେ ୧୦ ବର୍ଷ ସୁବିଧା ଦିଆଗଲା ଓ ଆଉ କିଛି ସମୟ ମଧ୍ୟ ଦିଆଯାଉଛି, ସେଥିରୁ ଜଣାପଡ଼ିବ । ପାଠଶାଠ ପଢ଼ି ନ ଥିବାରୁ ସେ ବୁଦ୍ଧିହୀନ ବେଲି କେହି କହି ପାରିବ ନାହିଁ । ସ୍ୱାସ୍ଥ୍ୟବାନ୍ ଥିବାରୁ କେଡ଼େ ସୁନ୍ଦର । ଆମଠାରୁ ସରଳ, ସୁଖୀ, ବୁଦ୍ଧିମାନ୍ ହେଲେହେଁ ତାର ଢପ ନାହିଁ । ଆମ ସଙ୍ଗେ ଅଧଃଗମନ କରିବାକୁ ଆମେ ତାକୁ ତଥାକଥିତ ଶିକ୍ଷା ଓ ସଭ୍ୟତା ଦେବାକୁ ପ୍ରୟାସ କରୁଛୁଁ । ସେଥିପାଇଁ ବସ୍ତ୍ରର ଢପ ତା’ ହାତରେ ଟେକି ଦେଉଛୁଁ । ସ୍ଵଚ୍ଛଳ ଅବସ୍ଥା ପାଇଁ ମନୁଷ୍ୟ ମନ୍ତ୍ରେ ଉଦ୍‍ଗ୍ରୀବ । କିନ୍ତୁ ସ୍ଵଚ୍ଛଳ ଅବସ୍ଥା ହିଁ ମନୁଷ୍ୟକୁ ଢପ ଧରାଏ ।

 

ବସ୍ତ୍ର ବିଷୟରେ ଭାରତ ଯେ ଢପ ଧରିଛି, ମୁଖ୍ୟତଃ ସେଥିପାଇଁ ଭାରତୀୟ ନିଜେ ଦାୟୀ ହେଲେ ହେଁ ବୈଷୟିକ ସୁଖ, ସୁବିଧା ପାଇଁ ଅବସ୍ଥା ଚକ୍ରରେ ପଡ଼ି ସେପରି କରିଥିବାର ଅନୁମାନ କରାଯାଏ । ଭାରତୀୟ ମହା ଜାତୀୟତା ପାଇଁ ଭାରତୀୟ ଇଂରାଜଠାରେ ଋଣୀ, ଏହା ସ୍ଵୀକାର୍ଯ୍ୟ । କିନ୍ତୁ ବସ୍ତ୍ର ବିଷୟରେ ଭାରତୀୟର କୁରୁଚି ପାଇଁ ଇଂରାଜମାନେ ଏବଂ ସେମାନଙ୍କର ଭାରତ ଶାସନର କୂଟନୀତି ଦାୟୀ । ଇଂରାଜର ଅନ୍ଧ ଅନୁକରଣ କରି ଭାରତୀୟ ନିଜର ରୁଚି ଓ ସଂସ୍କୃତି ହରାଇ ବସ୍ତ୍ର ବିଷୟରେ ଦାସତ୍ଵ ବରଣ କରିଛି । ବଣିକ ଇଂରାଜ ଭାରତକୁ ତାର ବସ୍ତ୍ରର ବଜାର କରି ନ ଥିଲେ, ଏତେ କାଳ ଭାରତକୁ ଶାସନ କରି ନ ଥାନ୍ତେ । ଶୀତପ୍ରଧାନ ଇଂଲଣ୍ଡରେ ଯେ ପରିମାଣ ବସ୍ତ୍ର ବ୍ୟବହାର କରାଯିବ, ଗ୍ରୀଷ୍ମପ୍ରଧାନ ଭାରତରେ ସେ ପରିମାଣ ବସ୍ତ୍ର ବ୍ୟବହାର କରି ଏଠାରେ ଯଦି (Sun bath) ସୂର୍ଯ୍ୟସ୍ନାନ କରୁଁ, ପୃଥିବୀ ଲୋକେ ଆମକୁ କ’ଣ କହିବେ ? ଯେ ଯାହା କହନ୍ତୁ, ଆମେ ବସ୍ତ୍ର ପାଇଁ କି ଦୁରବସ୍ଥା ଭୋଗୁଛୁଁ ତାହା ଗୁରୁତର ଭାବେ ବିଚାର୍ଯ୍ୟ ।

 

ଇଂରାଜ ଶାସନରେ ଭାରତକୁ ଇଂରାଜର ବସ୍ତ୍ରର ବଜାର କରି ପୋଲିସ ଏବଂ ସୈନିକ ବିଭାଗରେ ଚମଡ଼ା ପରି ମୋଟା ଖାଖି ପ୍ରଚଣ୍ଡ ଖରାରେ ମଧ୍ୟ ବ୍ୟବହାର କରିବାକୁ ବାଧ୍ୟ କରାଯାଇଛି । ଭାରତୀୟ ପେଟ ପୋଷିବାକୁ ବାଧ୍ୟ ହୋଇ ତାହା କରିଛି । ସରକାରୀ କର୍ମଚାରୀମାନଙ୍କର ଡ୍ରେସ୍ ବିଷୟରେ ଅନୁକରଣ କରିବାର ଇଚ୍ଛା ଥାଉ ନ ଥାଉ ପଛକେ ସେମାନ ପେଟପାଟଣା ପାଇଁ ତାହା କରିବାକୁ ବାଧ୍ୟ ହେଲେ । କିନ୍ତୁ ଦେଶର ଶିକ୍ଷିତ ଏବଂ ସ୍ଵଚ୍ଛଳ ଅବସ୍ଥାର ଆଇନ ବ୍ୟବସାୟୀମାନେ ବସ୍ତ୍ର ବିଷୟରେ ଇଂରାଜମାନଙ୍କର ଅନୁକରଣ କରି ଦାସତ୍ଵ ବରଣ କରିବା କେତେଦୂର ଶୋଭନୀୟ ତାହା ନ ଭାବି ମଧ୍ୟ ସେମାନେ ସେ ଦିଗରେ ଅଗ୍ରସର ହେଉଥିବା ଦେଶମଙ୍ଗଳର ସୂଚନା ନୁହେଁ । ପକ୍ଷାନ୍ତରେ ଏ ଦେଶ ତାର ଉଲଙ୍ଗ ରାଜଦ୍ରୋହୀ ଫକୀରଙ୍କଠାରୁ କିଛି ଶିଖିପାରିଲା ନାହିଁ, ଏହା ଆଶ୍ଚର୍ଯ୍ୟ । ଆମ ନେତୃବୃନ୍ଦ ଏବେ ମଧ୍ୟ ମିଲ୍ ବନ୍ଦ କରି ଖଦି ଦିଗରେ ଦୃଷ୍ଟି ଦେଲେ ଭାରତ ଉଦ୍ଧାର ପାଇଁ ଯାଆନ୍ତା ।

 

ଆଗରୁ କହିଛୁଁ, ଆବଶ୍ୟକତା ବାହାରେ ଆମେ ଯାହା କରୁଁ, ତାହା ଢପ ଏବଂ ଢପକୁ ଆବଶ୍ୟକତା ବୋଲି ଧରିନେବା ମୂର୍ଖତା ମାତ୍ର । ଉଲଙ୍ଗ ରହିବାର ବ୍ୟବସ୍ଥା ମଧ୍ୟ ମୂର୍ଖତା ଅଟେ । ଉଲ୍ଲଙ୍ଗତା ସୁରୁଚିର ପରିଚାୟକ ନୁହେଁ । ପୂରାପୂରି ଭାବେ ଉଲଙ୍ଗ ଲୋକ ପୃଥିବୀରେ ନାହାନ୍ତି କହିଲେ ଚଳେ । ଗ୍ରୀଷ୍ମପ୍ରଧାନ ଭାରତରେ ବସ୍ତ୍ରର ଆବଶ୍ୟକତା କମ୍ ଥିବାର ପ୍ରକୃତି ନିର୍ଦ୍ଦିଷ୍ଟ । ଗ୍ରୀଷ୍ମପ୍ରଧାନ ଭାରତର ସର୍ବତୋଽଧିକ ଶୀତ । ଶୀତପ୍ରଧାନ ଇଂଲଣ୍ଡର ସର୍ବତୋଽଧିକ ଗ୍ରୀଷ୍ମ ସଙ୍ଗେ ସମାନ । ୫୦ ବର୍ଷ ପୂର୍ବେ ଶୀତକାଳରେ ଭାରତର ମଧ୍ୟବିତ୍ତ ଓ ଶ୍ରମିକଶ୍ରେଣୀ ୬X୨ ହାତ ଖଦି ଦେଢ଼ୀ ବ୍ୟବହାର କରି ଶୀତ ପୁହାଉଥିଲେ । ଆଜି ଆଉ ସେହି ଦେଢ଼ୀ ନାହିଁ । ସେତେବେଳେ ସେହି ଦେଢ଼ୀର ମୂଲ୍ୟ ଥିଲା ଟ ୦୫ ରୁ ୧ଏ ପର୍ଯ୍ୟନ୍ତ । ଗ୍ରାମର ତନ୍ତୀ, ଗଣ୍ଡା ବା ଭୁଲିୟା ତାହା ବୁଣୁଥିଲା । ଶ୍ରମିକ ୬ ହାତ କପଡ଼ା ପିନ୍ଧେ । ୨ ଖଣ୍ଡ ହେଲେ ୧ ବର୍ଷ ଭଲ ଭାବେ ଚଳେ । ତା’ ସଙ୍ଗେ ୫ ହାତୀ ଗାମୁଛା ଖଣ୍ଡିଏ ରହିଲେ, ତାର ଆଉ କୌଣସି ଅସୁବିଧା ରହେ ନାହିଁ । ଜଣେ ଶ୍ରମିକ ବସ୍ତ୍ରରେ ଏ ପ୍ରକାରେ ମୋଟ ୧।୨ ଟଙ୍କାରେ ବର୍ଷେ ଚଳି ଯାଉଥିଲା । ଶ୍ରମିକପତ୍ନୀ ପାଇଁ ୨।୩ ଟଙ୍କା ମୂଲ୍ୟରେ ୩ ଖଣ୍ଡ ୮ ହାତୀ ଶାଢ଼ି ଆବଶ୍ୟକ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ଗୋଟିଏ ଶ୍ରମିକ ଦମ୍ପତିର ବାର୍ଷିକ ଖର୍ଚ୍ଚ ଟ ୬୦ଙ୍କାରୁ କମ୍ ନୁହେଁ । ବାଧ୍ୟ ହୋଇ ଶ୍ରମିକ ପେଟରୁ କାଟି ବସ୍ତ୍ରଖର୍ଚ୍ଚ ଜୁଟାଇ ମରୁଛି । ମଧ୍ୟବିତ୍ତମାନଙ୍କର ବସ୍ତ୍ରର ଢପ ଆହୁରି ମାରାତ୍ମକ । ମିଲ୍ ଦେଶୀ ହେଉ ବା ବିଦେଶୀ ହେଉ ଗରିବର ଦାନାରେ ଧୂଳି ଦିଏ । ଘରେ କପା କରି ସୂତା କାଟିବାରେ ଭାରତରେ ଯେ ସୁବିଧା ଅଛି ଅନ୍ୟତ୍ର ତାହା ନାହିଁ । ଏ ଅଞ୍ଚଳରେ ସମସ୍ତେ ପ୍ରାୟ ଚାଷ କରନ୍ତି । ବ୍ରାହ୍ମଣମାନେ ଲଙ୍ଗଳ ଛଡ଼ା ଚାଷର ବାକିସବୁ କରୁଥିବାର ଦେଖିବାକୁ ମିଳେ । ଚାଷକାମ ନ ଥିବାବେଳେ ବ୍ରାହ୍ମଣମାନେ ତାକୁଡ଼ିରେ ସୂତା କାଟୁଥିବା ଦୃଶ୍ୟ ୨୫।୩୦ ବର୍ଷ ତଳେ ମଧ୍ୟ ଦେଖିବାକୁ ମିଳୁଥିଲା-। ଗାନ୍ଧିଜୀ ବଞ୍ଚିଥିବା ତକ ତାଙ୍କ ମୁହାଁସରେ ବୁଡ଼ି ଯାଇଥିବା ତାକୁଡ଼ି ଓ ଚରଖାର ଉଦ୍ଧାର କଳ୍ପେ ସମସ୍ତେ ଯତ୍ନବାନ୍ ଥିଲେ । କିନ୍ତୁ ଖଦୀ ପାଇଁ ଅନାସ୍ଥା ପ୍ରଥମେ କଂଗ୍ରେସରୁ ଆରମ୍ଭ ହୋଇଛି-। ଶେଷରେ ଖଦୀର ତପ ବଢ଼ିଯାଇଛି । ବଡ଼ ଦୁଃଖ ଓ ଲଜ୍ଜାର ବିଷୟ ଦେଶ ଆଜି ଦେଶଭକ୍ତକୁ ଖଦୀ ପରିଧାନ ସୁଖରୁ ବଞ୍ଚିତ କରିଛି । ଓଡ଼ିଶାର Textile Mill ପାଇଁ ଓଡ଼ିଶାରେ ଏ ଅବସ୍ଥା ଘଟିଛି ବୋଲି ଲୋକେ ବିଶ୍ୱାସ କରନ୍ତି । ଧନିକର ବସ୍ତ୍ରର ଢପ ଆଲୋଚନା କରିବୁ ନାହିଁ, କାରଣ ତା’ର ଢପର ମହାର୍ହ ଦର୍ଶନର ଆକାଙ୍‍କ୍ଷା ବା ଦୁଃସାହସ ଆମର ନାହିଁ ।

 

ତମେ ସ୍ଵାଧୀନ ହୁଅ । ପଞ୍ଚବାର୍ଷିକ, ଦଶବାର୍ଷିକ ବା ଶତବାର୍ଷିକ ଯୋଜନା କରି ଦେଶକୁ ରୁଷିଆ ଓ ଆମେରିକାର ଅନୁକରଣରେ ପୃଥିବୀରେ ପଶୁବଳର ପ୍ରତାପ ଜାହେର୍‍ କର । ବସ୍ତ୍ରର ଢପ ନ ଛାଡ଼ିବା ପର୍ଯ୍ୟନ୍ତ ଭାରତୀୟ ବୋଲି ନିଜର ପରିଚୟ ଦେଇ ପାରିବ ନାହିଁ । ପକ୍ଷାନ୍ତରେ ନଷ୍ଟକାରୀ ଦୁର୍ଦ୍ଦାନ୍ତ ଷଣ୍ଢ ପାଲଟିବ । ବସ୍ତ୍ର ପିନ୍ଧି ଜନ୍ମ ହେବ ନାହିଁ ବା ଲମ୍ବ ଶାଟପଟାବୃତ ହୋଇ ମାଟିରେ ମିଶିବ ନାହିଁ । ଉଲଗ୍ନ କରି ପୋତିବେ ବା ପୋଡ଼ିବେ । ଭଲ ବସ୍ତ୍ରରେ ଢଙ୍କା ହୋଇଥିଲେ ତାହା କାଢି ନେବେ । କଟିବସ୍ତ୍ର ପାଇଁ ନିଜେ ସୂତା କାଟିବାକୁ ହେବ । ଦେଶକୁ ହତକଟା ସୂତାରେ ମଣ୍ଡନ କରିବାକୁ ହେବ । ମିଲ୍ କେବେ ଆମ୍ଭମାନଙ୍କୁ ସ୍ଵାବଲମ୍ବୀ କରି ଦେବ ନାହିଁ । ମିଲ୍ ଲୁଗାରେ ଆମର ଜାତି ଯିବ, ଢପ ବଢ଼ିବ, କିନ୍ତୁ ପେଟ ସବୁବେଳେ ଖାଲି ରହିବ ।

Image

 

ଖେଳ ଓ ରହଣିର ଢପ

 

ଖେଳ ବ୍ୟାୟାମ ପାଇଁ । ଖେଳ ଶାରୀରିକ ଓ ମାନସିକ । ପରିମାଣ ରଖିପାରିଲେ ଖେଳରେ ଶାରୀରିକ ଓ ମାନସିକ ଉନ୍ନତି ହୁଏ । ଅପରିମାଣ ଖେଳ ଦେହ ଓ ମନର କ୍ଷୟକାରୀ ହୁଏ । ମନୁଷ୍ୟ ଜୀବନ ମନୁଷ୍ୟର ଖେଳ ମାତ୍ର । ମାତ୍ର ତାହାହିଁ ଜୀବନ ସଂଗ୍ରାମ । ଏ ଜୀବନ ସଂଗ୍ରାମ ଜୀବନବ୍ୟାପୀ ହେବା ଚାହି । ଏହି ଖେଳ କୁଲି ପକ୍ଷରେ ଭିନ୍ନ ପ୍ରକାର ଏବଂ ଶିକ୍ଷିତ ପକ୍ଷରେ ଭିନ୍ନ ପ୍ରକାର ହୁଏ । କୁଲିର ଖେଳରେ ମାନସିକ ପରିଶ୍ରମ ଏବଂ ଶିକ୍ଷିତର ଖେଳରେ ଶାରୀରିକ ପରିଶ୍ରମର ଆବଶ୍ୟକତା ଦେଶେ ଦେଶେ ଯୁଗେ ଯୁଗେ ଲୋକେ ଉପଲବଧି କରୁଥିବାରୁ ଦୁନିଆରେ ଏତେ ଖେଳର ସୃଷ୍ଟି । ତେଣୁ କୁଲି ଓ ଶିକ୍ଷିତକୁ ନିଜ ନିଜର ଖେଳ ବାଛି ନେବାକୁ ହୁଏ । ଏହି ବାଛିବାଟା ଠିକ୍ ନ ହେଲେ, ନିଷ୍ଫଳତା ପାଇଁ ଜୀବନରେ ଦୁଃଖ ଭୋଗିବାକୁ ହୁଏ । ଠିକ୍ ହେଲେ ଜୀବନ ଜୀବନ ଉପଭୋଗ୍ୟ ହୁଏ । କୁଲିର ଜୀବନରେ ଶାରୀରିକ ପରିଶ୍ରମର ମାତ୍ରା ବେଶୀ । ତା’ର ଭରଣପୋଷଣର ଉପାୟ ଶାରୀରିକ ପରିଶ୍ରମ । ତେଣୁ ସନ୍ଧ୍ୟାରେ ଶାରୀରିକ ପରିଶ୍ରମରୁ ଅବସର ପାଇଲେ ତା ପାଇଁ ମାନସିକ ପରିଶ୍ରମର ବ୍ୟବସ୍ଥା କରିବାକୁ ହୁଏ । ଗ୍ରାମେ ଗ୍ରାମେ ଆରତିର ଘଣ୍ଟା ବାଦନରେ ଏ ମାନସିକ ବ୍ୟାୟାମର ସୂଚନା କେଡ଼େ ମହତ୍, କେଡ଼େ ଉଦାର । କିନ୍ତୁ ଆଜି ଆରତିର ଘଣ୍ଟାବାଦନ ନାହିଁ । ଥିଲେ ସେ ବାଦନରେ ମାଦକତା ନାହିଁ-। ଭାଗବତ ଟୁଙ୍ଗୀରେ ରାତିରେ ୨ ଘଣ୍ଟା ବସି ଭାଗବତ ଶୁଣିବା ସୁବିଧା ନାହିଁ । ଗାଇବା ଲୋକ ତ ନାହିଁ । ପୁଣି ତାଳପତ୍ରର ଭାଗବତ ଯାଇ ଆଜି ଛପା ଭାଗବତ ଲାଇବ୍ରେରୀରେ ଶୋଭା ପାଉଛି-। ହାତର ଦାଗ, ବତୀର ଚିଟ ତାର ମଲାଟରେ ଲାଗୁନାହିଁ । ସବୁଦିନ ତାହା ନୂଆ ପରି ରହି ଚାକଚକ୍ୟରେ ଲୋକଙ୍କୁ ମୋହିତ କରୁଛି । ‘ଚାଷ’ ଖେଳ ଦେଶର କାନ୍ଦିବିକନ୍ଦିରେ ଦେଖିବାକୁ ମିଳେ । କୃଷିପ୍ରଧାନ ଭାରତରେ ଏ ଖେଳର ନାମ ‘ଚାଷ’ ରଖିବାରେ ନାମଦାତା ବୋଧହୁଏ ବହୁତ ମୁଣ୍ଡ ଖର୍ଚ୍ଚ କରିଛନ୍ତି । ଏ ଖେଳର ପ୍ରକାର ଭେଦ ଏତେ ରହିଛି ଯେ ତାହା ଅନନୁମେୟ ହୋଇ ପଡ଼ିଛି । ‘ଚାଷ’ ଖେଳ ସମାଜରେ ଯେ ପ୍ରତିକ୍ରିୟା ଆଣିଛି, ତାହା ମଧ୍ୟ ଅନନୁମେୟ-। ଖେଳ ସମୟର ଅଳ୍ପତା ବା ବହୁଳତା, ପୁଣି ପୁରୁଷ ସ୍ତ୍ରୀ, ବାଳକ ବାଳିକା ଏବଂ ବୁଢ଼ା ବୁଢ଼ୀ ପକ୍ଷରେ ଭଲ ବ ମନ୍ଦ ଫଳ ଦେଉଛି । ବହୁଳତା ଅନେକ କ୍ଷେତ୍ରରେ ପାଗଳାମି ଆଣୁଛି । ଅଳସୁଆ ସୃଷ୍ଟି କରୁଛି-। ସହଜ ଲାଭରେ ମନକୁ କୁମାର୍ଗଗାମୀ କରି ଲୋକଙ୍କୁ ଜୁଆଡ଼ି କରୁଛି । ପକ୍ଷାନ୍ତରେ ଅଳ୍ପତା ଭଲ ଦିଗରେ ମନର ସ୍ଫୂର୍ତ୍ତି ଆଣୁଛି । ବାଳକ ବାଳିକାଙ୍କୁ ବୈଷୟିକ ଶିକ୍ଷା ଦେଉଛି ଏବଂ ଶେଷରେ ଏକ୍‍କା ବା ଏକତାର ବଳକୁ ରାଜା, ରାଣୀ, ଗୋଲାମ ଏବଂ ଦଶର ବଳଠାରୁ ବଳବାନ ବୋଲି ପ୍ରମାଣ କରୁଛି । ବହୁଳତା ଏ ପ୍ରମାଣକୁ ମନରୁ ଦୂର କରି ଦେଉଛି । ଆଉ ‘ଚାଷ’ ନାମ ରଖିବାଦ୍ଵାରା ଲୋକଙ୍କୁ ଚାଷରେ ମନ ଦେବାକୁ ଆକଟ କରୁଛି । ଆଉ ଅସମୟେ ଏ ଖେଳ ଖେଳୁଥିଲେ ଖେଳାଳୀଙ୍କୁ ଚାଷ ନ ଭୁଲିବାକୁ ପ୍ରରୋଚନା ଦେଉଛି । ବର୍ତ୍ତମାନ ‘ଚାଷ’ କହିଲେ ଚାଷ ବା କର୍ତ୍ତବ୍ୟ ବୁଝିନେବାକୁ ଲୋକଙ୍କୁ ବାଧ୍ୟ କରୁଛି ।

 

ବିଧାତାଙ୍କର ବିଚିତ୍ର ବିଧାନରେ ଶିଶୁର ବ୍ୟାୟମ କାନ୍ଦିବାରେ ଓ ଗୋଡ଼ହାତ ହଲାଇବାରେ । ଶିଶୁର ମାତାର ବ୍ୟୟାମ ଘରକରଣା କରିବାରେ । ଘର ଓଳାଇବା, ପାଣି ଆଣିବା, ଭାତ ରାନ୍ଧିବା ଓ ଶିଶୁମାନଙ୍କର ସବୁ କାର୍ଯ୍ୟ କରିବା ତା’ ପକ୍ଷରେ ପ୍ରକୃଷ୍ଟ ବ୍ୟାୟାମ । ନର୍ସ ଲଗାଇ ଜନ୍ମ କରିବା ବା ନର୍ସଦ୍ଵାରା ଶିଶୁପାଳନ କରିବା, ଭାରତରେ ସଫଳ ହୋଇନାହିଁ ବା ହେବ ନାହିଁ । ୪।୫ ବର୍ଷ ପର୍ଯ୍ୟନ୍ତ ଖେଳରେ ଶିଶୁ ସମୟ କଟାଏ । ଏହି ଖେଳ ଯେତେ ନିରୀହ ଓ ସରଳ ହୁଏ, ସେତେ ଭଲ । କାରଣ ଶିଶୁର ସ୍ୱାସ୍ଥ୍ୟ ଗଢ଼ିବାକୁ ଓ ତାକୁ ହୃଷ୍ଟପୃଷ୍ଟାଙ୍ଗ କରି ତା’ର ମାନସିକ ଗତି ଭଲ ଦିଗରେ ଚଳାଇବାକୁ, ଏ ଖେଳମାନ ଦାୟୀ ହୁଅନ୍ତି । ଖେଳମାନ ନିରୀହ, ସରଳ ଓ ଖର୍ଚ୍ଚ ଶୂନ୍ୟ ହେଲେ ଶିଶୁର ନିରୀହ, ସରଳ ଓ ଢପଶୂନ୍ୟ ଜୀବନ ଗଠନରେ ପରିପୂରକ ହୁଏ । ଭାରତରେ ଏ ପର୍ଯ୍ୟନ୍ତ ଯେତେ ଭାରତୀୟ ଖେଳ ରହିଛି, ସେସବୁ ଆବର୍ଜ୍ଜନା ଶୂନ୍ୟ ରହିଛି । ଅବଶ୍ୟ ଇଂରାଜ ଅମଳରୁ ସେ ଖେଳମାନ ଲୋପ ହୋଇ ଆସୁଛି । ସ୍ଵାଧୀନତା ପରେ ମଧ୍ୟ ଆମେ ସେ ଖେଳମାନଙ୍କ ପ୍ରତି ଉଦାସୀନ ହୋଇ ଫୁଟବଲ୍, ଟେନିସ୍, କ୍ରିକେଟ୍, ବେଡ଼ମିଣ୍ଟନ୍ ଆଦି ନାନା ପାଶ୍ଚାତ୍ୟ ଖେଳର ପ୍ରଚଳନ କରି ବିନା ମୂଲ୍ୟର ଖେଳର ସ୍ଥାନରେ ଖର୍ଚ୍ଚାନ୍ତ ଖେଳର ଆଦର ଶିଖିଛୁଁ-। ତଦ୍ଵାରା ଯେତେ ଭଲ ହୋଇଛି, ମନ୍ଦ ବୋଧହୁଏ ସେଥିରୁ ବେଶୀ ହୋଇଛି । ପାଶ୍ଚାତ୍ୟ ଖେଳର ଅନୁକରଣ କରିବାକୁ ଯାଇ ଆମେ ପ୍ରଥମେ ପାଶ୍ଚାତ୍ୟ ପୋଷାକର ଅନୁକରଣ କରିଛୁଁ-। ଶୀତପ୍ରଧାନ ଦେଶର ପୋଷାକ ପିନ୍ଧି ଏଠାରେ ଖେଳ ଖେଳିଲେ ଯା ହେବାର ତା’ ହେଉଛି-। ପାଦରେ ରବର ଜୋତା ଆଖି ଖରାପ କରୁଛି । ତା’ଛଡ଼ା ଯେଉଁ ଖେଳପୋଷକ ନ ପିନ୍ଧି ଘଣ୍ଟା ଘଣ୍ଟା ଖେଳି ପାରନ୍ତୁ, ୫ ବା ୧୦ ମିନିଟ୍ ପରେ ତାହା ଝାଳରେ ଭିଜିଗଲେ ବୋଧହୁଏ ଖେଳ ଇ ଆମକୁ ସର୍ଦ୍ଦି, କାଶରେ ବିବ୍ରତ କରେ । ଓଦା ପିନ୍ଧି ପୋଷାକ ନ ବଦଳାଇ କେତେ ସମୟ ରହି ହେବ-? ଧୋତି ପିନ୍ଧି ମାଲକଚ୍ଛା ମାରି ଦେଲେ ଆଉ ଲୁଗା ଭିଜିବାର ଆଶଙ୍କା ରହେ ନାହିଁ ।

 

ଛୁଆଙ୍କ ପାଇଁ ଯେସବୁ ଖେଳନା ଆଗେ ବ୍ୟବହୃତ ହେଉଥିଲା, ଆଜି ଆଉ ସେସବୁ ଦେଖିବାକୁ ମିଳୁ ନାହିଁ । କାଠର କଣ୍ଢେଇ, ମାଟିର କୁଣ୍ଢେଇ, ନାନାପ୍ରକାର ପୁତୁଲି ଆଉ ପ୍ରାୟ ନାହିଁ-। ଭାଦ୍ରବ ଅମାବାସ୍ୟାବେଳେ ବାଳିକା ପାଇଁ ମାଟି ବା କାଠର ଗାଈ, ବାଳକ ପାଇଁ ଘୋଡ଼ା, ହାତୀ ଆଜି ମଧ୍ୟ ସମ୍ପୂର୍ଣ୍ଣ ଲିଭିଯାଇ ନାହିଁ । ଆଜି ମଧ୍ୟ କାଠର ଗେଡ଼ିରେ କିଶୋର ବୟସ୍କମାନେ ପ୍ରତିଯୋଗିତା କରୁଥିବାର ଦେଖିବାକୁ ମେଳେ । ଦେହର ବଳବର୍ଦ୍ଧନ ପାଇଁ ସେସବୁ ଦରକାର-। ଗଉଡ଼ ଓ କନ୍ଧଶବର ଆଦି ଜାତିର ଲୋକେ ବାଡ଼ି ବୁଲାଇ ଯେ ଖେଳ ଦେଖାନ୍ତି, ସେଥିରୁ ଆଗର ଭାରତ କାହିଁକି ବଳବୀର୍ଯ୍ୟ ସମନ୍ଵିତ ଥିଲା, ତାହା ବୁଝାପଡ଼େ । ଆଗେ ଗ୍ରାମେ ଗ୍ରାମେ ଆଖଡ଼ାଶାଳ ଥିଲା । ବାଡ଼ି ଓ ମୁଦ୍‍ଗର ବୁଲାଇ ଲୋକେ ଦେହବଳ ବଢ଼ାଉଥିଲେ । ଆଗର କୁସ୍ତିଖେଳରେ ଗ୍ରାମର ସମସ୍ତ ଯୁବକ ଧୁରନ୍ଧର ଥିଲେ । କିନ୍ତୁ ଆଜି ତାହା କରିବାକୁ ଯୁବକ ଲଜ୍ଜା ବୋଧ କରେ । ଯୁବକର ଆଜି ଲଜ୍ଜାର ବୋଧ ମଧ୍ୟ ବିଗିଡ଼ି ଗଲାଣି । ସେହିପରି ବାଳିକା ଓ ଅବିବାହିତା ଯୁବତୀମାନେ ସ୍ୱଚ୍ଛଳରେ ସନ୍ଧ୍ୟାବେଳେ ନାନପ୍ରକାର ଖେଳ ଖେଳୁଥିଲେ ଓ ଗ୍ରାମ୍ୟଗୀତ ଗାଈ ନାନା ହାବଭାବ କରି, ଯଥୋପଯୁକ୍ତ ଦେହଚାଳନା ବା ବ୍ୟୟାମ କରୁଥିଲେ । କାନ୍ଧକୁ କାନ୍ଧ ପକାଇ ୬।୭ ଜଣ ବାଳିକା ଦୁଇ ଧାଡ଼ିରେ ପରସ୍ପର ମୁହାଁମୁହିଁ ହୋଇ ଆଗପଛ ଘୁଞ୍ଚି ଗୀତ ଗାଇବାର ଦୃଶ୍ୟପ୍ରାୟ ୩୦ ବର୍ଷ ହେଲା ଆଉ ଦେଖିବାକୁ ମିଳୁନାହିଁ । ତା’ ସ୍ଥାନରେ ନୀଚଜାତୀୟ ନୀଚପ୍ରକୃତି ଯୁବତୀମାନଙ୍କର ବାଦ୍ୟଗାନ ସହ ‘ଡାଲଖାଇ’ ନାଟ ଦେଖିଲେ ଏବେ ମସ୍ତକ ଅବନତ କରିବାକୁ ପଡ଼େ । ପୁରାଣ ବର୍ଣ୍ଣିତ ଷୋଳ ସହସ୍ର ଗୋପନାରୀଙ୍କ ସହିତ ଶ୍ରୀକୃଷ୍ଣଙ୍କର ରାସକ୍ରୀଡ଼ା ଦେଖୁଁ । ଆମର ମସ୍ତିଷ୍କ ବିକାର ଯୋଗୁଁ ସାଥିରେ ଆମେ ଆଦିରସ ଥିବାର ବିଶ୍ୱାସ କରୁଁ । କିନ୍ତୁ ତାହା ବିକାରଶୂନ୍ୟ ଏକ ଭାରତୀୟ ଖେଳ ମାତ୍ର, ସମ୍ପୂର୍ଣ୍ଣ ସରଳ ଏବଂ ନିରୀହ । ପୁରାଣକାରଙ୍କର ରାସକ୍ରୀଡ଼ା ପଢ଼ି ଆମର ମାନସିକ ବିକାର ଅନୁରୂପେ ଆମେ ତହିଁର ସୁଫଳ ଓ କୁଫଳ ପାଉଛୁଁ ।

 

ଆଜିକାଲି ଛୁଆଙ୍କ ଖେଳନାରେ ଏତେ ଢପ ପଶିଗଲାଣି ଯେ ଲକ୍ଷ ଲକ୍ଷ ଟଙ୍କା ସେଥିରେ ଖର୍ଚ୍ଚ କରି ଆମେ ଆମର ଅତି ଆବଶ୍ୟକୀୟ ଅନ୍ନବସ୍ତ୍ରର ଅଭାବ ସୃଷ୍ଟି କରୁଛୁଁ । ବଜାରରେ ଗଟାପାର୍ଚ୍ଚା, କାଚ ଓ ମାଟିରେ ନାନା ପୁତୁଲୀ ବହୁ ଲତା ଓ ତାର ମର୍ମାହତା ଓ ସଙ୍ଗେ ସଙ୍ଗେ କ୍ଷଣଭଙ୍ଗୁରତା ପ୍ରତି ଆମର ନଜର ପଡ଼ୁନାହିଁ । ତା’ ବାହାରେ ଲୁହା ଓ ଟିଣର ରେଲ, ମୋଟର, ଉଡ଼ାଜାହାଜ, ବୁଡ଼ାଜହାଜ, ସାଇକଲ, ପିପି ଓ ଆଉ ନାନାରକମ ଜିନିଷ ଶିଶୁ ହାତରେ ଦେଇ ତାକୁ ଖେଳପ୍ରବଣ କରି ତାର ମାନସିକ ଉନ୍ନତିରେ ବ୍ୟାଘାତ ଜନ୍ମାଉଛୁଁ । ଅଥଚ ଘଣ୍ଟେ ଦୁଇ ଘଣ୍ଟା ବା ଦିନେ ଦୁଇ ଦିନରେ ଶିଶୁ ସେସବୁ ଭାଙ୍ଗିରୁଜି ଫିଙ୍ଗି ଦେଉଛି । ଲାଭ ଅନର୍ଥକ ଖର୍ଚ୍ଚ ମାତ୍ର-। ଫୁଟବଲ୍‍, ଟେନିସ୍, କ୍ରିକେଟ୍ ଆଦିରେ ଓ ‘ବାଣ’ ବା ଆତସବାଜୀରେ ଭାରତରେ ପ୍ରତି ବର୍ଷ ଯେତେ ଖର୍ଚ୍ଚ ହୁଏ, ସେହି ଟଙ୍କା ମାଟିର ଉତ୍ପାଦନରେ ଖର୍ଚ୍ଚ କଲେ ସାହସ ସହିତ କୁହାଯାଇ ପାରେ ୫ ବର୍ଷରେ ଆମର ଭାଗ୍ୟ ଲେଉଟି ପଡ଼ନ୍ତା ଓ ଆମର ଅନ୍ନବସ୍ତ୍ରର ଅଭାବ ରହନ୍ତା ନାହିଁ ।

 

ରହିବା ଘର ବିଷୟରେ ଆଲୋଚନା କଲେ ଦେଖିବା ସେ ବିଷୟରେ ମଧ୍ୟ ଆମେ ଫମ୍ପାର ଆଦର କରୁ କରୁଥାଇଁ । ଦ୍ରୁତଗତିରେ ଗ୍ରାମମାନ ସହରରେ ପରିଣତ ହେଉଛି ଓ ସହରମାନଙ୍କର ଦ୍ରୁତ ବିସ୍ତୃତି ଘଟୁଛି । ଏହି ବିସ୍ତୃତି କିନ୍ତୁ ଶୁଭଙ୍କର ହେଉନାହିଁ । ଦ୍ରୁତ ଗତିରେ ଦୁର୍ଘଟଣାର ସଂଖ୍ୟା ବଢ଼ୁଛି ଓ ବିପତ୍ତିର ମାତ୍ରା ସୀମା ଟପିଯାଉଛି । ଯେଉଁ ସ୍ଥାନରେ ୫୦ ବର୍ଷ ପୂର୍ବରେ ଜଡ଼ା ତେଲରେ ମାଟି ବା ପିତ୍ତଳ ନିର୍ମିତ ବତୀର କ୍ଷୀଣ ଆଲୁଅରେ ଅନ୍ଧକାର ନିବାରଣ କରାଯାଉଥିଲା, ଆଜି ସେଠାରେ ଉଚ୍ଚ ଖମ୍ବରେ ବିଜୁଳୀ ଆଲୁଅ ଆଖିକୁ ଝାପ୍‍ସା କରି ଦେଉଛି । କେଉଁ ଆଲୁଅରେ ଆଖି କେତେ ଭଲ ବା ଖରାପ ହେଉଛି, ତାର ବିଚାର ନାହିଁ । ଖଡ଼ ବା ଘାସରେ ଛପର କରାଯାଇଥିବା, ଗୋମୟରେ ପ୍ରତିଦିନ ଲିପା ଯାଉଥିବା ଚାଳଘର ସ୍ଵାସ୍ଥ୍ୟକର, ମନରେ ଶାନ୍ତିଦାୟକ, ନା ଲୁହା ସିମେଣ୍ଟ ବା ପଥରରେ ନିର୍ମିତ ଘର ରହଣିର ଉପଯୁକ୍ତ, ତାହା ଭାବିବାକୁ ସମୟ ନାହିଁ ।

 

ଢପ ଜାତିକୁ ଅଭାବଗସ୍ତ କରିଛି । ଅଭାବେ ଜାତିର ସ୍ଵଭାବ ନଷ୍ଟ ହୋଇଛି । ଅଭାବ ସୃଷ୍ଟି କରି ଜାତି ଚୋରଖଣ୍ଟ ପାଲଟି ଚୋରି କରିବାକୁ ଲେଶ ଭୟ କରୁ ନାହିଁ । ଆଉ ଚୋରଖଣ୍ଟ ଭୟରେ ଲୋକ ବାଧ୍ୟ ହୋଇ ଲୁହା ସିମେଣ୍ଟରେ ପକ୍‍କା ଘର କରି ଘରର ସରଳତା, ଶାନ୍ତି ଓ ପବିତ୍ରତା ହରାଇ ନିଃସ୍ଵ ହୋଇ ତିନିମହଲା ଘର ସତ୍ତ୍ୱେ ଦାଣ୍ଡର ଭିଖାରୀ ହେଉଛି ବା ଘର ଦେଖାଇ ଅନ୍ୟକୁ ଠକିବାର ସୁବିଧା ପାଉଛି ଓ ଚୋରଖଣ୍ଟ ହେଉଛି । ଆଗେ ବଣଜଙ୍ଗଲର ଏତେ କଟକଣା ନ ଥିଲା । ଲୋକେ ବଣଜଙ୍ଗଲରୁ ଗଛ ଆଣି, ବଣଜଙ୍ଗଲର ଘାସ ବା ନଡ଼ାରେ ଛପର ଘର କରି, ଶାନ୍ତି ସୁଖରେ ରହୁଥିଲେ । ଘାସ ଓ ନଡ଼ାର ଛାଦନ, ଡାଳର କାନ୍ଥରେ ମାଟି ଲିପାଯାଇ ଯେ ସବୁ ଘର ଥିଲା, ଶୀତକାଳରେ ତାହା ଗରମ ଓ ଖରାଦିନେ ଥଣ୍ଡା ରହୁଥିଲା । ଭାରତର ଜଳବାୟୁ ଯାହା ସେଥିରେ ସେପ୍ରକାର ଘର ଛଡ଼ା ଅନ୍ୟ ଘର ଭାରତର ସ୍ୱାସ୍ଥ୍ୟ ଓ ସ୍ଵଚ୍ଛଳତାର ପରିପୂରକ ନୁହେ । କିନ୍ତୁ ଆଜି ସେ ପ୍ରକାର ଘର ସ୍ଵପ୍ନ ହେଲାଣି । ଅଗ୍ନି ଭୟରେ ଭାରତ ସେସବୁ ଛାଡ଼ିଲାଣି । ଭାରତରେ ଆତତାୟୀ ସଂଖ୍ୟା ବର୍ତ୍ତମାନ ବଢ଼ିଛି । ଭାରତୀୟର ସ୍ଵଭାବସୁଲଭ ରୁଚି ଓ କୃଷ୍ଟି ବଦଳିଛି । ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଭାରତୀୟକୁ ଆଊ ଭାରତୀୟ କରି ରଖିନାହିଁ । ଭାରତୀୟ ସଂସ୍କୃତି ଯାଇଛି । ଭାରତ କ୍ଷମତା ରାଜନୀତିରେ ଅନ୍ଧ ହୋଇ ରୁଷିୟା, ଇଂଲଣ୍ଡ ଓ ଆମେରିକାକୁ ଆଣି ଭାରତରେ ଥୋଇଛି ।

 

ଚାଷ ଖେଳରେ ଲୋକେ * ‘ବୁରଭୁସ୍’ ହୁଅନ୍ତି । ଆଜି କାହାର କେତେ ଆୟ ଏବଂ କି ପ୍ରକାର ଘର ତା’ର ଅବସ୍ଥାସଙ୍ଗତ, ତହିଁର କୌଣସି ବିଚାର ନାହିଁ । ଥରେ ଜଣେ ଘର ତୟାରି କଲେ ସେ ବୁରଭୁସ୍ ହେଉଛି ବା ଏତେ ଋଣଗ୍ରସ୍ତ ହେଉଛି ଯେ ଋଣ ଶୁଝିବାରେ ଅକ୍ଷମ ହୋଇ ଶୁଝିବା ଚିନ୍ତା ତାର ଚିତା ହେଉଛି । ଚିନ୍ତା ଚିତା ତାର ଯୋଗ୍ୟତା ଅପହରଣ କରି ତାକୁ ଅମନୁଷ୍ୟ କରି ପକାଉଛି । ତାର ଦୋଷର ସଂଖ୍ୟା ବଢ଼ୁଛି । ଶେଷରେ ପରିବାର ନିରନ୍ନ ହୋଇ ବହୁ ଆୟାସଲବ୍‍ଧ ଘର ମଧ୍ୟ ହରାଉଛି ବ ଘର ରଖିଲେ ଘରଭଡ଼ାକୁ ସମ୍ବଳ କରି ଗଛ ତଳର ଆଶ୍ରୟ ନେଉଛି । ଘର ତୋଳିବା ଢପ ନ ଛାଡ଼ିଲେ ଜାତି ଲକ୍ଷ୍ମୀଛଡ଼ା ହେବ । ଜାତିକୁ ୫୦ ବର୍ଷ ପୂର୍ବର ଘରକୁ ଫେରିବାକୁ ହେବ । ସଫା ସଫା ଛଡ଼ା ଛଡ଼ାରେ ଘର କରି ପବନ ଆଲୁଅର ବ୍ୟବସ୍ଥା କରିବାକୁ ହେବ । ସହରର ମଇଳା, ପାଇଖାନା, ମଶା, ମୂଷା ଭାରତୀୟ ସଂସ୍କୃତିର ପୃଷ୍ଠପୋଷକ ନୁହେଁ ।

 

*

ଚାଷର ମାଗୁଣି ଖେଳରେ ଗୋଟିଏ ପକ୍ଷ ଆଦୌ ‘ବାଜି’ ନ ପାଇଲେ “ବୁରଭୁସ” ହୁଅନ୍ତି-

Image

 

(୧୩)

ନାମ ଢପ

 

ବର୍ତ୍ତମାନ ଆମେ ଘାଟି ସ୍ଥଳରେ ପହଞ୍ଚିଛୁଁ । ବିରୁଡ଼ିବସାରେ ହାତ ଦେଇ ବିରୁଡ଼ି ଦଂଶନ ଜନିତ ଦେହଜ୍ଵାଳା ସାର ନ ହେଲେ ରକ୍ଷା । ଆଜୀବନ ତପ କରି ତାର ଅବତାରଣା କରି ନିଜକୁ ନିର୍ଦ୍ଦୋଷ ଦେଖାଇବାର ଅଭିସନ୍ଧି ନାହିଁ । ପକ୍ଷାନ୍ତରେ ମୁକ୍ତକଣ୍ଠରେ ଦୋଷ ସ୍ଵୀକାର କରି ତା’ କରିବାକୁ ଜାତିକୁ ଆବାହନ କରୁଛୁଁ । ନାମ କହିଲେ ସଚରାଚର ଭଗବାନଙ୍କ ନାମ ବୁଝାଏ । ବାପ ମା ସହିପଡ଼ିଶା ମୁହଁରୁ ଶୁଣୁ, ଆଉ ବୃଥାରେ ଗୋଳେଇଘାଣ୍ଟି ହୁଅ ନାହିଁ । ନାମ କର । ଚୈତନ୍ୟ ଦେବ ତାହା କହି ଦେଶକୁ ପ୍ରେମ ସ୍ରୋତରେ ଭସାଇ ଓଡ଼ିଶାକୁ ବଙ୍ଗୋପସାଗରରେ ପ୍ରାୟ ବୁଡ଼ାଇ ଦେଇଥିଲେ । କହିବାରେ ତାଙ୍କର ଜଟିଳତା ନ ଥିଲା । ମାତ୍ର ସେଥିରେ ଜଟିଳତା ଆମେ ପୂରାଇ ନିଜର ସର୍ବନାଶ କରିଛୁଁ । କରିବା ଓ କହିବା ମଧ୍ୟରେ କେଡ଼େ ତଫାତ୍ ରହିଛି । ନିଜେ କିଛି ନ କରି ‘ନାମ କର’ ବୋଲି କହିଲେ, ତାହା ପାଷଣ୍ଡପଣିଆ ମତ୍ର । ଚୈତନ୍ୟ ଦେବ ନିଜେ ବିବାହିତ ଓ ସଂସାରୀ ଥିଲେ । ଜ୍ଞାନଲାଭ କରି ନାମର ମାହାତ୍ମ୍ୟ ବୁଝି ଶେଷରେ କହିଲେ ‘ନାମ କର’ । ବଶିଷ୍ଠ ବ୍ରହ୍ମଜ୍ଞାନୀ । ବ୍ରହ୍ମଜ୍ଞାନୀ ବୋଲି କଲ୍ୟାଣିକା ବାଛୁରୀର ମାଂସ ଖାଇ ପାର କରିଥିଲେ । କିନ୍ତୁ ଆମେ ସାଧାରଣ ମନୁଷ୍ୟ ଚୈତନ୍ୟ ବା ବଶିଷ୍ଠ ପାଲଟି ‘ନାମ କର’ କହି, କଲ୍ୟାଣିକା ନ ହେଲା ଅନ୍ୟ ବାଛୁରୀ ମାଂସ ଖାଇଲେ, ତାହା ନା ପାର କରି ପାରିବା, ନା ଲୋକେ ଆମକୁ ସେଥିପାଇଁ ମାଫ୍ କରିବେ । କହିବ ଓ କରିବା ମଧ୍ୟରେ ଯେତେ ତଫାତ୍‍ ରହିଛି ନାମ କର ବା ନାମ ଓ କର ମଧ୍ୟରେ ସେତେ ତଫାତ୍ ଅଛି । ଅନ୍ୟକୁ ଉପଦେଶ ଦେବା ପୂର୍ବେ ନିଜଠାରୁ ଆରମ୍ଭ କଲେ ଆମର ଢପ ଓ ବହପପଣିଆ କମି ଯାଆନ୍ତା । ତେଣୁ ‘ନାମ କର’ ପ୍ରଚାରରେ ପର୍ଯ୍ୟବସିତ ରହି ଏପର୍ଯ୍ୟନ୍ତ ତାହା ବିଫଳ ହୋଇଛି ।

 

‘ନାମକର’ ଫମ୍ପା ଆବାଜ ମାତ୍ର । ଶ୍ରଦ୍ଧା ନ ଥାଇ ନାମର ଅବସ୍ଥିତି ନାହିଁ । ମନସା ଚିନ୍ତିତଂ କର୍ମ ବଚସା ନ ପ୍ରକାଶୟେତ୍ । ନାମ କର ନ କହି, ଚିନ୍ତା କର, ମନରେ ନାମ ଧାରଣା ଓ ଧାରଣ କର । ହୃଦୟରେ ତାହା ଧାରଣ କରି ହୃଦୟକୁ ପରିଷ୍କାର ଓ ପ୍ରସାରଣ କର । ତଦ୍ଦ୍ୱାରା ମନରେ ଭକ୍ତି ଆସିବ । ଭକ୍ତିଠାରୁ ଶ୍ରେୟଃ ଆଉ କିଛି ନାହିଁ । କର ସବୁଠାରେ ରହିଛି । କର୍ମର ସୂଚନା ସବୁଠାରେ । କହିବା ଦୁର୍ବଳତାର ପରିଚାୟକ । ଯେ କରେ ନାହିଁ, ସେ କହେ । ଯେ କରେ ସେ କରୁଛି ବୋଲି କହେ ନାହିଁ । ନ କହିଲେ ମଧ୍ୟ କରିବା ଲୁଚାଛପା ରହେ ନାହିଁ । ଲୋକେ କହି ଦିଅନ୍ତି, ରତ୍ନାକର ଦସ୍ୟୁ । ମରା ମରା କହି ରାମ ପାଇ ବାଲ୍ମୀକି ହୋଇଥିଲେ । ମନର ବଳ କେତେ ଥାଇ କେତେ ନିର୍ଭୟ ହୋଇ ସେ ରତ୍ନାକର ଦସ୍ୟୁ ହୋଇ ପାରିଲେ । ଯେଉଁ ଦସ୍ୟୁ ବାଲ୍ମୀକି ହୋଇ ଭାରତର ଆଦି କବି ବୋଲାନ୍ତି, ତାଙ୍କର ପ୍ରତିଭା କେତେ ଥିଲା, ତାହା କେହି ଭାବନ୍ତି ନାହିଁ । ପ୍ରତିଭା ନ ଥାଇ କେହି କବି ହୁଅନ୍ତି ନାହିଁ । ପାଣ୍ଡିତ୍ୟ କିନ୍ତୁ ଭିନ୍ନ କଥା । ପ୍ରତିଭା ତାଙ୍କର ଥିଲା, କିନ୍ତୁ ଫୁଟିବାକୁ ସୁବିଧା ପାଉ ନ ଥିଲା । ନାରଦଙ୍କ ସମ୍ପର୍କରେ ତାହା ପରିସ୍ଫୁଟ ହେଲା-। ବାସ୍ତବିକ ଜୀବନରେ ମୃତ୍ୟୁ ପରି ଭୟାବହ ଆଘାତ ନ ହେଲେ, ଜୀବନର ଗତିକୁ ବିପରୀତ ମାର୍ଗରେ ଚଳାଇ ହୁଏ ନାହିଁ । ଯେ ନାମ କର ବୋଲି କହିବ ସେ ନାମର ମାହାତ୍ମ୍ୟ ବୁଝେ ନାହିଁ-। ଆଜିକାଲିର ନାମଯଜ୍ଞକାରୀ ବୈଷ୍ଣବମାନେ ତାହା ପ୍ରମାଣ କରୁଛନ୍ତି । ମହାତ୍ମାଗାନ୍ଧୀଙ୍କର ପ୍ରାର୍ଥନା ସଭା ତହିଁର ବିପରୀତମୁଖୀ । ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କର୍ମମୟ ଜୀବନର ଆଲୋଚନା କଲେ ଦେଖିବା, କେବଳ ସେ ‘ନାମ କର’ ବୋଲି କହିବାକୁ ଭାଜନ ଥିଲେ । ହିନ୍ଦୁର ଜୀବନରେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ କର୍ମମୟ । ଉପାସନାମୟ ପ୍ରତ୍ୟେକ ମୁହୂର୍ତ୍ତରେ ହିନ୍ଦୁର ହୃଦୟ ନାମମୟ-। ତାହା ସେ କର୍ମର ଜପାମାଳି । ଉଷାର ନିଦ୍ରା ଭଙ୍ଗଠାରୁ ଗଭୀର ରାତ୍ରରେ ନିଦ୍ରାମଗ୍ନ ହେବା ପର୍ଯ୍ୟନ୍ତ ହିନ୍ଦୁ ଯାହା କରେ ବା କରିବା ଉଚିତ, ପ୍ରତ୍ୟେକରେ ଇଶ୍ଵର ଅନୁଭୂତି ହିନ୍ଦୁର ଅଭିପ୍ରେତ ଓ ଈଶ୍ଵର ନିର୍ଦ୍ଦିଷ୍ଟ ବୋଲି ଧରି ନେବାକୁ ବାଧ୍ୟ । ବାପୁଜୀଙ୍କର ଅହିଂସା ଦୁର୍ବଳର ଅହିଂସା ନୁହେଁ, ସବଳର ଅହିଂସା-। କହେ ଦୁର୍ବଳ, କିନ୍ତୁ ସବଳ କାମ କରି ଦେଖାଇଦିଏ । ବାପୁଜୀ କେଡ଼େ ସବଳ, କେଡ଼େ ସଚ୍ଚୋଟ ଭାରତର ସ୍ଵାଧୀନତା ହାସଲ କରି ତାହା ଦେଖାଇ ଦେଇଥିଲେ । ଜଗାଇ ମାଧାଇ ମୁଣ୍ଡ ଫଟାନ୍ତୁ-। ଦେହ ରକ୍ତରେ ଜର ଜର ହେଉ । ତତ୍ ପ୍ରତି ନଜର ନାହିଁ । ତେବେ ନା ନାମ କର ବୋଲି ମୁହଁରେ କହିବ ? ବାରମ୍ବାର ଜେଲ ଅନଶନ ଆଦି ସାଧନା ପରେ ନା ବାପୁଜୀ ନାମ କର, ବା କର ବା ମର କହି ପାରିଥିଲେ । କିନ୍ତୁ ଆଜି ଆମେ ସମସ୍ତେ ଚୈତନ୍ୟ ବଶିଷ୍ଠ ଓ ଗାନ୍ଧି ପାଲଟିଲେ, ଅର୍ଥାତ୍ ସବୁ କୁକ୍‍କୁର ପୁରୁଷୋତ୍ତମକୁ ଗଲେ ଅଇଁଣ୍ଠା ଚାଟିବ କିଏ ? ‘ନାମକର’ ଢପ ଭାରତକୁ ଖାଉଛି ଏବଂ ଏବେ ମଧ୍ୟ ଏ ଟପା ଭାରତ ଶାସନ କରୁଛି । ବେଶ ଗୁଣର ପରିଚାୟକ ନୁହେଁ । କହିବା କରିବାର ସୂଚନା ଦିଏ ନାହିଁ । ଦିଏ ତଦ୍ ବିପରୀତ । ନାମର ବାହ୍ୟ ଅର୍ଥ ସମସ୍ତେ ମୋଟା ମୋଟି ବୁଝୁଥାଇଁ । ନମ + ଅ = ନାମ, ନମ୍‍ ନଇଁପଡ଼ିବା ବୁଝାଏ । ବଙ୍ଗାଳୀମାନେ ଓହ୍ଲାଇ ପଡ଼ିବାକୁ ବା ନଇଁ ପଡ଼ିବାକୁ ‘ନାମ’ ବୋଲି କହନ୍ତି । ମନରେ ମୋଟା ମୋଟି ଭାବେ ନାମ କହିଲେ ଯାହା ବୁଝୂଁ, ଏ ନଇଁ ପଡ଼ିବା ତାହାହିଁ । ତାହା ଉଚ୍ଚାରଣ କରିବା ମାତ୍ରେ ଆମେ ଓହ୍ଲାଇ ବା ନଇଁ ପଡ଼ୁଛୁଁ, ଶୋଇ ପଡ଼ୁଛୁଁ, ଓ ତା କରିବାକୁ ଶାସକ ଆମକୁ ‘ନାମକର’ ବୋଲି ଉପଦେଶ ଛଳରେ ଆଦେଶ କରୁଛନ୍ତି-। ଶାସକ କହିଲେ, କ୍ଷମତା ହାସଲକାରୀ ବୋଲି ବୁଝିବାକୁ ହେବ । ପାଶ୍ଚାତ୍ୟ ଆଣବିକ ବୋମା, ହାଇଡ୍ରୋଜେନ୍ ବୋମା ଦେଖାଇ ଆମର ଅନୁଗାମୀ ହୁଅ ବୋଲି ଉପଦେଶ ଛଳରେ ଆଦେଶ କଲା, ‘ନାମକର’ । ଆମେ ଦୁଇଥର ପୃଥିବୀ ମହା ସମରରେ ପାଶ୍ଚାତ୍ୟର ଧବଳ ତୁଷାରାବୃତ ପ୍ରାନ୍ତରରେ ରକ୍ତ ଦେଇ ଦେଖିଛୁଁ, ଏ ‘ନାମକର’ର ଅର୍ଥ କଅଣ । ପ୍ରଥମ ପୃଥିବୀ ମହା ସମରରେ ଜଣେ ଭାରତୀୟ ଯୋଦ୍ଧା ଫ୍ରାନ୍‍ସର ରଣ କ୍ଷେତ୍ରରେ ଜଣେ ଜର୍ମାନ ସେନାପତିଙ୍କଦ୍ଵାରା ବନ୍ଦୀ ହେଲେ । ଭାରତୀୟ ବୀରତ୍ଵ ଦେଖି ମୁଗ୍‍ଧ ହୋଇ ଜେତା ସେନାପତି ବିଜିତ ବନ୍ଦୀଙ୍କୁ ପଚାରିଲେ, ‘ତମେ କିଏ” ? ବନ୍ଦୀ ଉତ୍ତର କଲେ, “ମୁଁ ଇଂରାଜ ପକ୍ଷର ଜଣେ ଭାରତୀୟ ସେନାପତି-।” ଜର୍ମାନ୍ ବୀର କହିଲେ, ନା ମୁ ତା’ ବିଶ୍ୱାସ କରୁନାହିଁ । ଯେଉଁ ଭାରତର (ତତ୍‍କାଳୀନ) ୩୩ କୋଟି ଭାରତୀୟଙ୍କୁ ଇଂଲଣ୍ଡର ଏକ ଲକ୍ଷ ଗୋରା ଶାସନ କରନ୍ତି, ସେହି ଭାରତୀୟ ଇଂରାଜର ତେତିଶ ଶହ ଭାଗରୁ ଭାଗେ ମାତ୍ର ହେବ ସିନା, ତମ ପରି ବୀର ହୋଇ ନ ପାରନ୍ତି ।” କଥା ଓ କାର୍ଯ୍ୟର ତଫାତ୍ ଓ ନାମକରର ଅର୍ଥ ବୁଝି ଭାରତୀୟ ନତମସ୍ତକ ହୋଇ ଯୁଦ୍ଧକ୍ଷେତ୍ର ଛାଡ଼ିଥିଲେ-। ତହିଁ ପରେ ମଧ୍ୟ ଭାରତ ଦ୍ଵିତୀୟ ପୃଥିବୀ ମହା ସମରରେ ‘ଇଂରାଜର ନାମକର’ ଆଦେଶରେ ଭାଗ ନେଇ ଓ ଭାରତୀୟର ସବୁ ଦିଗରେ ଅଭାବ ଘଟାଇ ନିରନ୍ନ ହୋଇ ଯେ ଭାବେ ‘ପ୍ରଭୁ ଭକ୍ତି’ ଦେଖାଇଛି, ତହିଁର ପଟାନ୍ତର ଇତିହାସରେ ବିରଳ । ଇତିମଧ୍ୟରେ ୧୯୪୨ରେ ଗାନ୍ଧୀଜୀଙ୍କର ‘ନାମ-କର’ ବା କର ବା ମର ନୀତି ଅନୁସରଣ କରି ଭାରତ ଯେ ଦୁଃଖ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା, ତାହା ଲେଖିଲେ ଗ୍ରନ୍ଥ ହେବ । ସେହି ଦୁଃଖ ଦୁର୍ଦ୍ଦଶା ଭୋଗି ମଧ୍ୟ ଭାରତ ଦ୍ଵିତୀୟ ପୃଥିବୀ ମହାସମରରେ ରକ୍ତ ଦେଇ ‘ପ୍ରଭୁଭକ୍ତି’ ଦେଖାଇବା ବେଳେ ନେତାଜୀ ବୋଷ ନାମକର ରଡ଼ି ଦେଇ ନାମ କରି କରି ଜୀବନ ବିସର୍ଜନ କରିଛନ୍ତି । ଫଳରେ ୧୯୪୭ରେ ଇଂରାଜରା ‘ନାମକର’ ନୀତିରେ ଭାରତ ଦ୍ଵିଖଣ୍ଡିତ ହେଲା । କଂଗ୍ରେସ ଭାରତର ଶାସନ ଭାର ନେଇ ‘ନାମକର’ ନୀତିରେ ଶାସନ ଆରମ୍ଭ କଲେ । ୧୯୫୧ରେ ପ୍ରଥମ ସାଧାରଣ ନିର୍ବାଚନରେ ଗାନ୍ଧୀଜୀଙ୍କ ନାମ ନେଇ ଜୟୀ ହୋଇ ଶାସନ ଗାଦୀ ସବଳ ଓ ଅଟଳ କରି ନେଲେ । ଚଣକ୍ୟଙ୍କର ନାମକର ବା divide and rule ନୀତିରେ ଆଜି ଆମର ଶାସକ କଂଗ୍ରେସ ଭାରତକୁ ପାଞ୍ଚ ଭାଗ କରି ଚିରକାଳ ନାମକର ନୀତିରେ ଦୋର୍ଦ୍ଦଣ୍ଡ ଶାସନ ଚଳାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଇତିମଧ୍ୟରେ ସୀମା କମିସନ ବସାଇ ଓଡ଼ିଶାରୁ ଛଅଟା ଜିଲ୍ଲା ଭିନ୍ନ ଭିନ୍ନ ରାଜ୍ୟକୁ ଦେଇ ଏବଂ କୋଟି କୋଟି ଓଡ଼ିଆ ମଧ୍ୟରୁ ଅନ୍ୟୁନ ୫୪,୦୦,୦୦୦ ଓଡ଼ିଆଙ୍କୁ ବଳି ଦେଇ ଓଡ଼ିଆର ଦାତାପଣିଆ ପ୍ରମାଣ କରିବାକୁ States Re-organisation Bill କୁ ବିଧିବଦ୍ଧ କରିଛନ୍ତି । ଥରେ ଚୈତନ୍ୟ ‘ନାମ କର’ କହି ଓଡ଼ିଶାକୁ ପ୍ରେମରେ ଭସାଇ ଦେଇଥିଲେ, କିନ୍ତୁ କଂଗ୍ରେସ ବର୍ତ୍ତମାନ ଓଡ଼ିଶାକୁ ପ୍ରେମ ସାଗରରେ ଭସାଉଛନ୍ତି, ଚୈତନ୍ୟଙ୍କ ପ୍ରେମସ୍ରୋତ ତା ତୁଳନାରେ କିଛି ନୁହେ । ଆଉ ଏ ପ୍ରେମସ୍ରୋତରେ ଭାସି ଓଡ଼ିଆଜାତି ସମାଧି ଲାଭ କରିବ, ତାହା ଝଲଝଲ ଦିଶିଲାଣି । ଭାରତକୁ ଦିନେ ଏକ ଲକ୍ଷ ଇଂରାଜ ଶାସନ କରୁଥିଲେ, କିନ୍ତୁ ଆଜି ତହୁଁ ବଳି ସାମ୍ରାଜ୍ୟବାଦୀ ପ୍ରାୟ ଏକ ଲକ୍ଷ କଂଗ୍ରେସୀ ଶାସନ କରି ‘ନାମକର’ କହି ଗାନ୍ଧୀଜୀ, ନେହେରୁଙ୍କ ନାମ ନଇ କଂଗ୍ରେସର ପୂର୍ବତନ ତ୍ୟାଗ ଦେଖାଇ ଦେଶକୁ ୫ ଭାଗ କରି ଚିରନ୍ତନ ପ୍ରେମ ସାଗରରେ ଭସାଉଛନ୍ତି ।

 

ସବୁଠାରୁ ଆମ ଓଡ଼ିଶାରେ ଏ ନାମ କର ନୀତି ପ୍ରବଳ ହୋଇଛି । ଦୁଇ ଜଣ ମଧ୍ୟରେ କଳି ହୁଏ । ଦୁର୍ବଳ ଜଣକର ମୁହଁ ଭାରି ଟାଣ, ସବଳ କିନ୍ତୁ ବେଶୀ କଥା କହିପାରେ ନାହିଁ । ସବଳ ଠାସ କରି ଚଟକଣା ପକାଇଲାରୁ ମୁହଁ ଟାଣୱାଲା କହେ “ଘାନ୍ତେ ତ ମାଇଲୁ, ଆଉ ଘାନ୍ତେ ମାଇଲେ ତୋର ଷଣ୍ଢପଣିଆ ଦେଖିବା” । ପଡ଼ିଲା ପୁଣି ଠାସ କରି ଆଉ ଏକ ଚଟକଣା । ଦୁର୍ବଳ ପୁଣି କହିଲା ‘ଆଉ ଘାନ୍ତେ ମାଇଲୁ’ । ପୁଣି ପଡ଼ିଲା ସେହିପରି ୫ ସେରିଆ ଏକ ଠାସ । ସେଇଠି କଳି ଶେଷ । ସ୍ଵାଧୀନତା ପରେ ପ୍ରଥମେ ଗଲା ସିଂହଭୂମି, ତା’ପରେ ଖରସୁଆଁ, ଷଢ଼ାଇକଲା ବିହାରୀ ସିଂହର ଭୂମି ହେଲା । ଉତ୍କଳ କେଶରୀ କହିଲେ, ସେ ଗଲା ସିନା ଯାଉ । ଆଉ କିପରି କେଉଁ ଅଂଶ ଯିବ ଦେଖିବା । ୧୯୫୩ ରେ ଆନ୍ଧ୍ରବାଘ ଓଡ଼ିଶାର ଦକ୍ଷିଣାଂଶ ଝାମ୍ପିନେଲା । ଉତ୍କଳବାଘ ଚଉଧୁରୀ ଓ ସିଂହବାହିନୀପତି ବାବା ବିଶ୍ଵନାଥ କହିଲେ, “ଯାଆନ୍ତୁ ସେଗୁଡ଼ା” ପାରଳାଖେମିଣ୍ଡି ମାଡ଼ରେ ଯେ ଆମ୍ପୁଡ଼ା ଖାଇଛୁଁ, ତା’ ଉତ୍ତାରୁ ଆଉ ନା ସେଆଡ଼େ ଚାହିଁବୁ । କିନ୍ତୁ ଆମର ମଧ୍ୟ ବୀରତ୍ଵ ରହିଛି, ଦେଖିବା ଆଉ କୋଆଡ଼େ କିମିତି ଆଉ ଅଂଶ ମାରିନେବେ ।” ଆସିଲା ସୀମା କମିସନ୍ । ମାରିନେଲେ ବସ୍ତର ଆଉ ମଧ୍ୟପ୍ରଦେଶର ଓ ବିହାରର ବିସ୍ତୀର୍ଣ୍ଣ ଓଡ଼ିଆ ଅଂଶ । ଆମର ଚଉଧୁରୀ, ଦାସ, ରଥ ଆଦି ରାଗରେ ଅସ୍ଥିର । ବାରପାହାଡ଼ିଆ ଠେଙ୍ଗା ଧରି ମାରିବାକୁ ଧାଇଁଲେ । ମହତାବେ ବୋମ୍ବାଇରୁ ଧାଇଁଲେ । ଫୁକାରରେ ଆଦେଶ ହେଲା, “ପୂର୍ବାଞ୍ଚଳରେ ଓଡ଼ିଶାର ସମାଧି ।” ଦାସ, ରଥ, ଚଉଧୁରୀ ସେହି ରାଗରେ ସେହି ବାରପାହାଡ଼ିଆ ଠେଙ୍ଗାମାନ କଚାଡ଼ିଲେ ଜାତି ଉପରେ । ଜାତି ସାବାଡ଼ । ବିଷକଣ୍ଠ ନୀଳକଣ୍ଠ ବିଷ ଉଦ୍‍ଗାର କରି କଂଗ୍ରେସ ନାମାବଳି ଘୋଡ଼ି ହୋଇ ଉଚ୍ଚାରଣ କରୁଛନ୍ତି, “ତଥାସ୍ତୁ, ତଥାସ୍ତୁ” । ଓଡ଼ିଶା ପ୍ରେମ ସାଗରରେ ଭାସି ସମାଧି ପାଇଛି ।

 

ନାମର ଢପ ମହା ବିଷମ । ଏ ବିଷମ ସମସ୍ୟା ଭେଦ କରିବା ଅସମ୍ଭବ । ତେବେ ଥରେ ୧୪୭,୦୦,୦୦୦ ଓଡ଼ିଆ ଏକ କଣ୍ଠରେ ଥରେ ଡାକିଦେଉଁ :–

 

ହେ ଜନଗଣ ମନ ଅଧିନାଯକ କଂଗ୍ରେସ ସଭାପତି ତମେ ୧୯୫୬ ଫେବୃଆରୀରେ ଆସି ଯାହା କହିଛ, ତାକୁ ମାନି ଆମେ ସମସ୍ଵରେ ଥରେ ହାତ ଯୋଡ଼ି ଡାକୁଛୁଁ :–

 

ପ୍ରଭୋ, ଭସାଅ ପରାଣ ମୋର ତବ ପ୍ରେମସ୍ରୋତେ–

Image

 

(୧୪)

ଆଦର ଢପ

 

ଛୁଆ ଖାଇଲା ନାହିଁ ବୋଲି ମାଆ ଭାରି ମନ କ୍ଷୁର୍ଣ୍ଣ କରନ୍ତି । ତାଙ୍କର ଇଚ୍ଛା ପିଲାର ପେଟ ସବୁବେଳେ ପୂରିଥାଉ । ପେଟକୁ ବିଶ୍ରାମ ନ ଦେଲେ ଅଜୀର୍ଣ୍ଣ, ବାନ୍ତି, ଝାଡ଼ା ହେଉଥିବାର ପିଲାର ଜନ୍ମଦିନୁ ସେ ଦେଖି ଆସୁଛନ୍ତି । ତଥାପି ଆଦରର ଆତିଶଯ୍ୟହେତୁ ସେ ତାହା ବୁଝି ପାରନ୍ତି ନାହିଁ । ପିଲାର ମଙ୍ଗଳ ଇଚ୍ଛା ଥାଇ ମଧ୍ୟ ଅମଙ୍ଗଳ କରି, ପିଲାକୁ ପେଟୁକ କରନ୍ତି । ଦୁରବସ୍ଥା ପଡ଼ିଲେ ଖୁଆଇ ନ ପାରି ତାକୁ ଭୋଖରେ ମାରନ୍ତି । କାରଣ ଅଭ୍ୟାସ ଯୋଗୁଁ ଛୁଆ କମ୍ ଖାଇ ବଞ୍ଚିବାର ଶିଖି ନ ଥାଏ । ଦୁରବସ୍ଥା ନ ପଡ଼ିଲେ ମଧ୍ୟ ପିଲାଟି ଅଯୋଗ୍ୟ ବା ଅପାରଗ ହେଲେ, ଅର୍ଜ୍ଜନେ ଅକ୍ଷମ ହୋଇ ଚିରକାଳ ଦୁଃଖ ପାଏ । ଖାଲି ଖାଦ୍ୟ ନୁହେଁ, ପରିଧାନ କ୍ଷେତ୍ରରେ ମଧ୍ୟ ତଦ୍ରୂପ । ଛୁଆକୁ ଅଳଙ୍କାର ପିନ୍ଧାଇବାରେ ପିତାମାତା ବିବ୍ରତ ହୁଅନ୍ତି । ଅଳଙ୍କାର ଲୋଭରେ କେତେ ଛୁଆ ତସ୍କରର ପାରଣା ହୁଅନ୍ତି । ନ ହେଲେ ଆବାଲ୍ୟ ଅଳଙ୍କାରପ୍ରିୟତା ତାର ଭବିଷ୍ୟତ୍ ନଷ୍ଟ କରେ । ସେ କର୍ମକୋଢ଼ି ହୁଏ । ଚୋରଖଣ୍ଟ ହାତରୁ ଉବୁରିଲେ ମଧ୍ୟ ବଞ୍ଚିଥିବା ଢକ ମୃତ୍ୟୁଦାଣ୍ଡରେ ଦଣ୍ଡିତ ହୁଏ । ପୁରୁଷ ଜାତି ଅଳଙ୍କାର ପିନ୍ଧିବା ସ୍ତ୍ରୀତ୍ଵର ଅନୁକରଣ ମାତ୍ର । ତଦ୍ଦ୍ୱାରା ଜାତିର ପୁରୁଷ ପଣିଆ କମିଯାଉଛି । ଆଉ ସ୍ତ୍ରୀ ପକ୍ଷେ ଏହା ଏକ ବିଷମ ପ୍ରକୃତି ପାଲଟି ଯାଇଥିବାରୁ ଏ ଜାତି ଆଉ ଉଧେଇ ପାରୁ ନାହିଁ । ବ୍ରିଟିସ୍ ଅମଳରେ ଗାନ୍ଧିଜୀ ଯେତେବେଳେ ସ୍ଵାଧୀନତା ଆନ୍ଦୋଳନ ଆରମ୍ଭ କରିଥିଲେ, ସେତେବେଳେ ସେ ଭାରତର ନାନାସ୍ଥାନରୁ ଯଦି ଏତେ ଅଳଙ୍କାର ପାଇ ନ ଥାନ୍ତେ, ମନେହୁଏ ସେ କୃତକାର୍ଯ୍ୟ ହୋଇ ନ ଥାନ୍ତେ । ତଦ୍ଦ୍ୱାରା ସେ ଗୋଟିଏ ଢେଲାରେ ଦିଓଟି ଛଡ଼ାଇ ମରିଛନ୍ତି । ଜମା ରହିଥିବା ଅଳଙ୍କାରକୁ ଦେଶର କାମରେ ଲଗାଇଛନ୍ତି ଏବଂ ଦେଶକୁ ଆଦର ଢପରୁ ବଞ୍ଚାଇ ଜାତିକୁ କର୍ମକ୍ଷମ କରିଛନ୍ତି । ଟିକିଏ ତଳେଇ ଦେଖିଲେ ଏହା ସୁସ୍ପଷ୍ଟ ହେବ । ଲୋକେ କହି ଦିଅନ୍ତି, ସୁନାରୁପା ହୋଇ ଘରେ ଥାଉ, ବିପଦ ବେଳେ ତାହା କାମକୁ ଆସିବ । ଟଙ୍କା ତ ଘରେ ରହିବ ନାହିଁ । କିନ୍ତୁ ଏହା କରିବା ନିର୍ବୁଦ୍ଧିତାର ପରିଚୟ ମାତ୍ର । ବଜାରକୁ ଯିବା ରାସ୍ତା ଯେପରି କେହି ପଚାରନ୍ତି ନାହିଁ, ମନୁଷ୍ୟ ପଣିଆ ଥିଲେ ପରିଶ୍ରମୀ ହେଲେ ଅର୍ଜନର ମାର୍ଗ କାହାରିକି ପଚାରିବାର ଆବଶ୍ୟକ ପଡ଼େ ନାହିଁ । ବିଶେଷତଃ ଯେଉଁ ଲୋକ ସେପରି କହେ, ସେ ନିଶ୍ଚୟ ଅର୍ଜନ କରି ଜାଣେ । ମାଟିରେ ଟଙ୍କା ପୋତିବା ବା ଅଳଙ୍କାର ଆକାରରେ ତାକୁ ବେକାମୀ କରି ରଖିବା ମନୁଷ୍ୟ ପଣିଆ ନୁହେଁ, ନିର୍ବୁଦ୍ଧିତା ଏବଂ ସଙ୍ଗେ ସଙ୍ଗେ ଦେଶଦ୍ରୋହ ଅଟେ-। ପାରଗ ପଣିଆ ଥିଲେ ଅନ୍ୟକୁ ପାରଗ କରିବା ଚେଷ୍ଟା ମାନବିକତା । ମନୁଷ୍ୟ ପକ୍ଷେ ମାନବିକତା ଈଶ୍ଵର ନିର୍ଦ୍ଦିଷ୍ଟ । ପରୋପକାରେ ମାନବିକତା ପରିସ୍ଫୁଟ ହୁଏ । ବଳକା ଧନ ଜାତିର ମଙ୍ଗଳରେ ଯେ ପର୍ଯ୍ୟନ୍ତ ନ ଲାଗିଛି, ସେ ପର୍ଯ୍ୟନ୍ତ ସମାଜ ଉଠିବ ନାହିଁ । ଅନ୍ୟ କଥା ଛାଡ଼ି, ଯଦି ଭାରତର ମହଜୁଦ୍ ଅଳଙ୍କାର ଦେଶର ଉପୁଜନ ବଢ଼ାଇବାରେ ନିୟୋଗ କରଯାନ୍ତା, ସଗର୍ବେ କୁହାଯାଇ ପାରେ ନାନା ପ୍ରାକୃତିକ ବିପତ୍ତି ସତ୍ତ୍ୱେ ଦେଶରେ ଅନ୍ନ କଷ୍ଟ ସ୍ଵପ୍ନ ହୁଅନ୍ତା ।

 

ଥରେ ଅସଭ୍ୟ ଆଦିବାସୀ ଓ ଅନୁନ୍ନତ ଜାତିମାନଙ୍କ ଆଡ଼କୁ ନଜର ଦେଲେ ଦେଖି ପାରିବା, ବିନା ସୁନା ରୁପାରେ ସେମାନେ କେଡ଼େ ସୁନ୍ଦର । ମୁକ୍ତ ବାୟୁ, ମୁକ୍ତ ଆଲୋକ, ମୁକ୍ତ ଆହାର ବିହାର, ସେମାନଙ୍କୁ କେଡ଼େ ସୁନ୍ଦର କେଡ଼େ ବଳିଷ୍ଠ କରି ରଖିଛି । ସେଥିରୁ ସହଜେ ଅନୁମାନ ‘କରି ନେବା, ସୁନାରୁପା ମନୁଷ୍ୟକୁ ସୁନ୍ଦର କରେ ନାହିଁ । ସୁନ୍ଦର କରେ ସରଳତା । ଆଉ ଆମେ ସରଳତା ହରାଇ ଆଡ଼ମ୍ବର ପ୍ରିୟ ହୋଇ ସ୍ୱାସ୍ଥ୍ୟ ନଷ୍ଟ କରି ଅସୁନ୍ଦର ହୋଇ ପଡ଼ିଥିବାରୁ ତାକୁ ଲୁଚାଇବାକୁ ପିନ୍ଧୁ ଅଳଙ୍କାର । ଛୋଟା, କୁଜୀ, ଅସୁନ୍ଦରୀକୁ ସୁନା ରୁପା ପିନ୍ଧାଇ ତାର ଅସୁନ୍ଦରୀତ୍ଵ ଲୁଚାଇ ସମାଜରେ ତାକୁ ଚାଲୁ କରିବାକୁ ତାକୁ ମଖାଉଁ ପାଉଡ଼ର, ଲିପ୍‍ଷ୍ଟିକ୍, ଦାମିକ ଶାଢ଼ି ଆଉ କେତେ କଅଣ । ଏପରି ଭାବେ ତାକୁ ସମାଜରେ ଚଳାଇ ସମାଜକୁ ଛୋଟା କୁଜା ଅସୁନ୍ଦର କରି ନରକର ପଥ ପରିଷ୍କାର କରୁଁ ମାତ୍ର । ଅସଲ କଥା ପ୍ରେମ ସମାଜରୁ ଯାଇଛି । କାମ ସମାଜର ମୂଳନୀତି ହୋଇଛି । ଆମର ବିବାହ ପ୍ରେମ ବିବାହ ନୁହେଁ, କାମସ୍ପୃହା ତୃପ୍ତି ପାଇଁ । ମନୁଷ୍ୟ ହୋଇ ଆମେ ଦେଖିପାରୁ ନାହୁଁ, ପ୍ରେମ ପକ୍ଷରେ କାଣୀ କୁଜୀ ଛୋଟୀ ଅନିନ୍ଦ୍ୟ । କାମ ପାଇଁ ଏମାନଙ୍କର ସମାଜରେ ସ୍ଥାନ ନାହିଁ ବା ଆମେ ସ୍ଥାନ ରଖିନାହୁଁ । ଜଣେ ଅନ୍ଧୀ ଓ ଜାଣେ ଛୋଟା ଭିକ୍ଷୁକ ଏକ ସଙ୍ଗେ ଭିକ୍ଷା କରନ୍ତି । ଛୋଟା ଅନ୍ଧୀକୁ କଢ଼ାଇ ନିଏ । ଦୁହେଁ ଯୁବକ ଯୁବତୀ । ତାକୁ ପଚରା ଗଲା, ତମେ କିପରି ଚାଲୁଛ ? ସେମାନେ କହିଲେ, ଆମେ ବିବାହିତ ଦମ୍ପତି, ଅବଶ୍ୟ ଗନ୍ଧର୍ବ ବିଧାନରେ । ଅନ୍ଧୀର ଜମି ଅଛି, ବାପ ମା ନାହାନ୍ତି । ତାର ଜମି ଅନ୍ୟ ଜଣେ ମାରି ନେଇଛି । ମାଗି ମାଗି ବର୍ତ୍ତମାନ ସେ ଜମି ଉଦ୍ଧାର କରି କରିଛୁଁ । ଅନ୍ଧୀ ବର୍ତ୍ତମାନ ଗର୍ଭବତୀ । କୃପା କରି ତାର ଜମି କରାଇ ଦିଅନ୍ତୁ । ସେମାନେ ଜମି ଫେରି ପାଇ ସୁଖରେ ଅଛନ୍ତି । ସେମାନଙ୍କର ପ୍ରେମ ଈର୍ଷାର ବିଷୟ । ବାହ୍ୟରୂପ ଚକ୍ଷୁର ବିକାର ମାତ୍ର ।

 

ଚକ୍ଷୁର ବିକାର ପାଇଁ ପୁରୁଷର ଆଖିରେ ସ୍ତ୍ରୀ ସୁନ୍ଦରୀ ଓ ସ୍ତ୍ରୀର ଆଖିରେ ପୁରୁଷ ସୁନ୍ଦର-। ନ ହେଲେ ସତ୍ୟ ଶିବ ସୁନ୍ଦର ମନୁଷ୍ୟ ଜାତିରେ ଅସୁନ୍ଦରର ଅସ୍ତିତ୍ଵର ସମ୍ଭାବନା କେଉଁଠାରେ-? ଆଉ ପ୍ରକୃତି ବୋଧହୁଏ ପୁରୁଷକୁ ସ୍ତ୍ରୀଠାରୁ ମଧ୍ୟ ସୁନ୍ଦର କରିଛି । ନ ହେଲେ ସିଂହର କେଶର, କୁକ୍‍କୁଟର ଚୂଳ, ମୟୂରର ଚୂଳ ଅଛି, କିନ୍ତୁ ସିଂହୀ, କୁକ୍‍କୁଟି ଓ ମୟୂରୀର ନ ଥାଏ କାହିଁକି ? ଆଉ ପୁରୁଷ ଉପରେ ସ୍ତ୍ରୀ ଅବନତା ରହିବାକୁ ପୁରୁଷର ବଳ ବେଶୀ କାହିଁକି ? ଆଉ କାହିଁକି ପୁରୁଷ ମୁହଁରେ ସବୁବେଳେ Ladies First, ବା ସୀତାରାମ, ରାଧେକୃଷ୍ଣ, ଗୌରୀଶଙ୍କର । ନ ହେଲେ ପୁରୁଷ ଅପେକ୍ଷା ସ୍ତ୍ରୀର ଏତେ ଅଳଙ୍କାର ପ୍ରିୟତା କାହିଁକି ଓ ପୁରୁଷ ସ୍ତ୍ରୀକୁ ଅଳଙ୍କାର ମଣ୍ଡନ କରି ତାର ଅସୁନ୍ଦରୀତ୍ଵ ଲୁଚାଇବାକୁ ଏତେ ବିବ୍ରତ କାହିଁକି ? ପୁରୁଷ ସ୍ତ୍ରୀର ବୋଝ ବହନ କରି ଚିରକାଳ ଏତେ ଦୁଃଖ ବରଣ କରୁଛି କାହିଁକି ? ଲେଖକ ଓ ତାର ଜାତି ପକ୍ଷେ ଏହା ବଡ଼ାଇ ମାତ୍ର । କାରଣ ଆଦରର ଏ ଢପ କ୍ରମେ ତାର ଜାତିକୁ ପୁରୁଷ କରି ରଖି ନାହିଁ, ସମ୍ପୂର୍ଣ୍ଣ ସ୍ତ୍ରୀ କରି ନେଲାଣି ।

 

ଏହାକୁ ଆଦରର ଢପ ନ କହି ଆଦରର ଅତ୍ୟାଚାର କହିଲେ ଚଳିବ । କେବଳ ମା’ ପିଲା ଉପରେ ଏ ଅତ୍ୟାଚାର କରନ୍ତି ତା’ ନୁହେଁ, ଭଉଣୀ ଭାଇ ଉପରେ, ସ୍ତ୍ରୀ ପତି ଉପରେ, ଜ୍ଞାତି ଜ୍ଞାତି ଉପରେ, ଯେଉଁଠାରେ ସ୍ନେହାଦରର ମାତ୍ରା ଯେତେ ବେଶୀ, ସେଠାରେ ଏ ଅତ୍ୟାଚାରର ପରିମାଣ ସେତେ ଅଧିକ । କେବଳ ଖାଦ୍ୟରେ ଯେ ଏ ଅତ୍ୟାଚାର ପର୍ଯ୍ୟବସିତ ତା’ ନୁହେଁ । ପାନ, ପରିଧାନ ଓ ରହଣିରେ ମଧ୍ୟ ଏହାର ପରିମାଣ ଅକଥ୍ୟ । ଅତିଥି ସବୁଦିନେ ହିନ୍ଦୁର ପୂଜ୍ୟ । ଏଥିପାଇଁ ହିନ୍ଦୁ ଶାସ୍ତ୍ରରେ ଯେ ବ୍ୟବସ୍ଥା ରହିଛି, ତାହାର ଠିକ୍‍ ଅର୍ଥ ନ କରି ଆମେ ନାନଦୁଃଖ ଦୁର୍ଦ୍ଦଶା ଭୋଗୁଛୁଁ । ଅପୂଜ୍ୟେ ପୂଜା ଅଧୋଗତିର ଖୋଲା ମାର୍ଗ । ଅତିଥି, ଯାର ଆସିବାକୁ ତିଥି ବା ସମୟ ନିର୍ଦ୍ଦେଶ ନାହିଁ । ଅତିକ୍ଳଷ୍ଟ ଅନ୍ୟଗତି ନ ଦେଖି ଆସିଗଲା, ତାର ସେବା ଅବଶ୍ୟ କର୍ତ୍ତବ୍ୟ । ଅଭାବିତ ଓ ଅଚିନ୍ତିତ ଅବସ୍ଥାରେ ଯେ ଆସେ, ସେ ସିନା ଅତିଥି, ତାହାର ସେବା ଅବଶ୍ୟ କର୍ତ୍ତବ୍ୟ-। କିନ୍ତୁ ପାରଗ ହେଲେ ମଧ୍ୟ କର୍ମକୋଢ଼ି ହୋଇ ଯେ ଭିକ୍ଷା ପାଇଁ ଆସିବ, ତାକୁ ଅତିଥିର ଆଦର ଦେଲେ, ସମାଜର କର୍ମକୋଢ଼ି ସଂଖ୍ୟା ବଢ଼ାଇବା ସିନା । ଆଜି ପଇତାଧାରୀ ନିରକ୍ଷର ଗଣ୍ଡି ମୋଟା ବ୍ରାହ୍ମଣ ଭିକ୍ଷୁକ ଓ ପରାଙ୍ଗପୁଷ୍ଟର ସଂଖ୍ୟା ଦେଖିଲେ ମନେ ହୁଏ, ଏହି ଅପାଂକ୍ତେୟ ହିଁ ପରାଙ୍ଗପୁଷ୍ଟ ହୋଇ ପ୍ରଥମେ ନିଜର ସର୍ବନାଶ କରି ଦେଶର ସର୍ବନାଶ କରିଛି । ଏବେ ମଧ୍ୟ ଏ ବାପୁଡ଼ା ପରିଶ୍ରମ କାତର ହୋଇ ସାଧୁ-ପରିଶ୍ରମ ସକାଶେ ଅନ୍ନିଚ୍ଛୁକ । ସାଧୁ ପରିଶ୍ରମ ବିନା ସେ ମୂର୍ଖ, ନିରକ୍ଷର କ୍ଳିଷ୍ଟକର୍ମା ଓ ଭିକାରି ;ତଥାପି ବ୍ରାହ୍ମଣ ଅଭିମାନ ଛାଡ଼ି ନାହିଁ । ଯେଉଁମାନେ ତାହା ଛାଡ଼ି ଉନ୍ନତି ପଥବର୍ତ୍ତୀ ହେଲେଣି ସେମାନଙ୍କୁ ଦେଖି ମଧ୍ୟ ଶିଖିବାକୁ ତା’ର ମନୁଷ୍ୟତ୍ଵ ନାହିଁ-। ଦୁନିଆରେ ଏମାନଙ୍କ ପାଇଁ ସ୍ଥାନ ନାହିଁ । ସେମାନେ ଲିଭିଲେ ସମାଜସୌଷ୍ଠବ ଘଟିବ ।

 

ଆଉ ଥୋକେ ବିରାଡ଼ିବୈଷ୍ଣବ ରହିଛନ୍ତି, ଯେଉଁମାନେ ବେଶସର୍ବସ୍ଵ ହୋଇ ପରାଙ୍ଗପୁଷ୍ଟ ରହି ଦେଶର ସର୍ବନାଶ କରନ୍ତି । ଏମାନେ ଦଳ ହୋଇ ଘାଟିସ୍ଥାନରେ ରହି ନିର୍ମଳଚିତ୍ତ ତୀର୍ଥଯାତ୍ରୀଙ୍କ ଉପରେ ଚଢ଼ାଉ ଚଳାଇ ଆଦିକାଳରୁ ପେଟ ପୋଷୁଛନ୍ତି । ଏମାନେ ଭେଖ ଧରି ଏପରି ଲୁଟ୍‍ପାଟ୍‍ କରୁଥିବାରୁ ପ୍ରକୃତ ସାଧୁସନ୍ୟାସୀର ଆଦର ଆଉ ଦେଶରେ ନାହିଁ । ପୂଜ୍ୟେ ପୂଜାର ଅଭାବ ଯେପରି ବିଷମ, ଅପୂଜ୍ୟେ ପୂଜା ମଧ୍ୟ ସେହିପରି ବିଷମ । ଏମାନଙ୍କର ଅତ୍ୟାଚାର ଯୋଗୁଁ ପ୍ରକୃତ ଭିକ୍ଷୁକ ଓ ଭିକ୍ଷାର ଉପଯୁକ୍ତ ପାତ୍ର ମଧ୍ୟ ଭିକ୍ଷାରୁ ବଞ୍ଚିତ । ଆଉ କେତେକେ ଥାଳୀରେ ମହାଦେବ, ଜଗନ୍ନାଥ ବା ଶାଳଗ୍ରାମ ଶିଳା ଧରି ଦ୍ଵାରେ ଦ୍ଵାରେ ବୁଲି ଦେବତାଙ୍କ ସମ୍ମାନ କ୍ଷୁଣ୍ଣ କରନ୍ତି । କେତେ କୃଷ୍ଠରୋଗୀ ଓ ରୋଗିଣୀ ଦ୍ଵାର ଦ୍ଵାର ବୁଲି କୃଷ୍ଠରୋଗ ଫଇଲାଉ ଥାନ୍ତି । ଏମାନଙ୍କୁ ଲୋକାଳୟରେ ଏପରି ରୋଗ ସଂକ୍ରମଣ କରୁଥିବାର ଦେଖି ମଧ୍ୟ ଲୋକେ ଅତିଥି ଜ୍ଞାନରେ ଯାହା ଟେକି ଦିଅନ୍ତି, ତଦ୍ଦ୍ୱାରା ଆମର ଏ ଓଡ଼ିଶା ଉଚ୍ଛନ୍ନ ହେଲାଣି । ଏମାନଙ୍କର ନିୟନ୍ତ୍ରଣ ଅତି ଆବଶ୍ୟକ । ଆଉ ବ୍ୟବସ୍ଥା ଦ୍ଵାରା ଭିକ୍ଷାବୃତ୍ତିର ଉଚ୍ଛେଦ କରା ନ ଯିବାରୁ ଏ ଜାତିଟା ଭିକ୍ଷୁକ ହୋଇ ପଡ଼ିଲାଣି । ସେହି ମନୋବୃତ୍ତିରେ ଆଜି ଆମର ଦେଶ ପ୍ରତିନିଧିମାନେ ପୂର୍ଣ୍ଣାଙ୍ଗ ଓଡ଼ିଶା ପାଇଁ ଦାବି ନ କରି ଅଳି କରୁଛନ୍ତି ମାତ୍ର । ଦେଖାଯାଉ ଏ କାଙ୍ଗାଳ ଓଡ଼ିଆଜାତିରୁ ଏ ଅଳି ପାଇଁ ଏପ୍ରକାର ଅତିଥିର କି ଭଳିଆ ସମ୍ବର୍ଦ୍ଧନା ହେଉଛି ।

 

ଆଉ ଏକ ପ୍ରକାର ସ୍ନେହ ସୌହାର୍ଦ୍ଦ୍ୟର ପାତ୍ର ଅଛନ୍ତି । ସେମାନେ ଆମଠାରୁ ଅତିଥିର ବ୍ୟବହାର ପାଆନ୍ତି, ମାତ୍ର ଏ ବ୍ୟବହାରର ଅତ୍ୟାଚାର କରି ସ୍ନେହ ସୌହାର୍ଦ୍ଦ୍ୟ ହରାଉଁ । ଝିଅ ଜୂଆଇଁ, ସମ୍ବନ୍ଧୀ ବା ଅନ୍ୟ ଜ୍ଞାତି ତ ଆସି ପହଞ୍ଚିଲେ ଆମେ ସମ୍ବର୍ଦ୍ଧନାରେ ବିବ୍ରତ ହୋଇ ମଧ୍ୟ ବିବ୍ରତ ହେବାର ଅନୁଭବ କରୁ ନାହିଁ । ତେଣେ ସେମାନେ ଯଦି କାର୍ଯ୍ୟୋପଲକ୍ଷେ ଆସନ୍ତି ଓ କାର୍ଯ୍ୟ ଶେଷ କରି ଚାଲିଯିବାକୁ ଚାହାନ୍ତି, ସେମାଙ୍କୁ ଆଉ କିଛି ଦିନ ରହିବାକୁ ବାଧ୍ୟ କରି ସେମାନଙ୍କର କ୍ଷତି ମଧ୍ୟ ଘଟାଉଁ । ପୁଣି ଯିବାବେଳେ ଯେଉଁ ବସ୍ତ୍ର ଅଳଙ୍କାର ଦେଇ ବିଦାୟ କରୁଁ, ସେମାନେ ଯଦି ସେଥିର ଅଯୋଗ୍ୟ ଥାନ୍ତି, ତେବେ ବାରମ୍ବାର ଆସି ଏପରି ବିରକ୍ତ କରନ୍ତି ଯେ ସ୍ନେହ ସୌହାର୍ଦ୍ଦ୍ୟ କ୍ରମେ ତୁଟିଯାଏ । ଆଉ ସେମାନେ ଯଦି ସେଥିର ଯୋଗ୍ୟ ଥାନ୍ତି, ସ୍ନେହ ସୌହାର୍ଦ୍ଦ୍ୟ ଅକ୍ଷୁଣ୍ଣ ରଖିବାକୁ କାଳେ ବେଳେ ଆସନ୍ତି, ନ ହେଲେ ଆସିବା ବନ୍ଦ କରନ୍ତି । ଫଳ ଉଭୟତ୍ର ଖରାପ ହୁଏ । ତା’ ନ କରି ଆମେ ଯେପରି ଖାଉଁ ସେପରି ସେମାନଙ୍କୁ ଖୁଆଇ କୁଶଳ ପ୍ରଶ୍ନ କରି ଆସିବାର କାରଣ ପଚାରି, ସାଧ୍ୟ ଥିଲେ ଶୀଘ୍ର ତାହା କରି ଦେଇ ସେମାନଙ୍କ ଇଚ୍ଛାନୁସାରେ ସେମାନଙ୍କୁ ଛାଡ଼ି ଦେଲେ ଉଭୟତ୍ର ସ୍ନେହ ସଦ୍‍ଭାବ ବୃଦ୍ଧି ହୁଏ । ଆଉ ଯେଉଁଠାରେ ସ୍ନେହ ସଦ୍‍ଭାବ ନାହିଁ, ସେଠାକୁ ଯିବା ଉଚିତ ନୁହେଁ । ବାରମ୍ବାର ଗଲେ ଗଳାଧକ୍‌କା ମିଳିବାର ସମ୍ଭାବନା । ଅଥଚ ଲୋକେ ଏପରି ବେହ୍ୟା ହେଲେଣି ଯେ ହତାଦର ପାଇଲେ ମଧ୍ୟ ବାରମ୍ବାର ସେଠାକୁ ଯିବେ, ମାଗିବେ, ଗଳାଧକ୍‌କା ପାଇବେ । ଆଉ ଗଳାଧକ୍‌କା ପାଇବାବେଳେ କହିଦେବେ, ଅତିଥିକୁ ଏପରି ଅପମାନ କରୁଥିବାରୁ ତମେ ହିନ୍ଦୁ ନୁହଁ, ଖିରସ୍ତାନ ହେଲାଣି ।” ଏଭଳିଆ ଅତିଥିମାନଙ୍କଦ୍ଵାରା ଗୃହସ୍ଥ ସର୍ବଦା ବିବ୍ରତ ହୋଇ ମଧ୍ୟ ତାହା ଅଭ୍ୟାସ ପଡ଼ିଥିବାରୁ ଉଁଚୁଁ ନ କାଲେ ମଧ୍ୟ ନିରାକରଣ ପାଇଁ ସମସ୍ତେ ଉଦ୍‍ଗ୍ରୀବ ହୋଇ ପଡ଼ିଛୁଁ ।

 

ଉପସଂହାରରେ କୁହାଯାଇ ପାରେ ଆମେ ସରଳ ହୋଇ ଜନ୍ମିଛୁଁ, ସରଳଭାବେ ମରିବୁଁ-। ମଝିରେ ମାତ୍ର ସରଳତା ହରାଇ, ଖାଦ୍ୟ, ପାନ, ପରିଧେୟ, ରହଣି, ଆଚାର, ବ୍ୟବହାର କଥା ଓ କାର୍ଯ୍ୟରେ ଆଡ଼ମ୍ବର ଭରି, ଅଭାବ ସୃଷ୍ଟି କରି, ତା’ର ପୂରଣରେ ଆଜୀବନ ବ୍ୟସ୍ତ ରହି, ମାରିବା ତକ ହାୟ ହାୟ କରୁଁ । ଆଡ଼ମ୍ବର ବିଧି ସୃଷ୍ଟି ନୁହେଁ, ଆମେ ତାହା ସୃଷ୍ଟି କରୁଁ । ଆଡ଼ମ୍ବର ଯୋଗୁଁ ଯେ ଅଭାବ ଘଟେ, ୬୦ ବର୍ଷ କାହିଁକି ତା’ର ଦୁଇ ଗୁଣ ପରମାୟୁ ହେଲେ ମଧ୍ୟ ଅଭାବ କେବେ ପୂର୍ଣ୍ଣ ହୁଏ ନାହିଁ । ତାର ମାତ୍ରା କ୍ରମେ ବଢ଼ି ମନୁଷ୍ୟ ମରେ ଅଭାବ ଯୋଗୁଁ । ମଲାବେଳକୁ ତାର ସ୍ଵଭାବ ନଷ୍ଟ ହୋଇଥାଏ । ଏହି ସ୍ଵଭାବ ମନୁଷ୍ୟତା ମାତ୍ର, ତେଣୁ ଆଡ଼ମ୍ବର ମନୁଷ୍ୟତା ବିହୀନତା-। ମନୁଷ୍ୟ ହୋଇ ମନୁଷ୍ୟତା ବିହୀନ ହେବାକୁ ଅପୌରୁଷ ଜାଣି, ଆସ ସମସ୍ତେ ଯେ ଯେଉଁଠାରେ ଯେଉଁ ଅବସ୍ଥାରେ ଥାଉଁ ଆଡ଼ମ୍ବରକୁ ଚିହ୍ନି ତାକୁ ତ୍ୟାଗ କରିବାକୁ ଚେଷ୍ଟା କରୁଁ । ଆଜି ନ ହେଲେ କାଲି, କାଲି ନ ହେଲେ ଅନ୍ତତଃ ଆଉ ଏକ ପୁରୁଷ ବେଳକୁ ଦେଖିବା, ଆମର ଅଭାବ ମେଣ୍ଟିଛି-। ଆମର ସ୍ଵଭାବ ବଦଳିଛି । ଆମେ ସରଳ ହୋଇଛୁଁ । ଆମର ଜୀବନ ସରସ ହୋଇଛି-। ଆଉ ଆମେ ଓଡ଼ିଆ ଶ୍ରେଷ୍ଠ ଭାରତୀୟ ହୋଇଛୁଁ-। ତଥାସ୍ତୁ ।

Image